‘ଧର୍ମ ରକ୍ଷା ଶାସକଙ୍କର ପ୍ରଧାନ ଦାୟିତ୍ବ’

ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମିଳନୀ

ଭୁବନେଶ୍ବର : ବ୍ୟକ୍ତି ଓ ସମାଜର ଆଧାର ହେଉଛି ଧର୍ମ। ଧର୍ମ ଦୁର୍ବଳ ହେଲେ ସାମାଜିକ ବିଶୃଙ୍ଖଳା ସୃଷ୍ଟି ହୁଏ। ଧର୍ମ  ଠିକ୍‌ ଭାବେ ପାଳନ ହେଲେ ଶାନ୍ତି ପ୍ରତିଷ୍ଠା ହେବ। ତେଣୁ ଧର୍ମ ରକ୍ଷା ଶାସକଙ୍କର ପ୍ରଧାନ ଦାୟିତ୍ବ। ମାତ୍ର ଶାସକମାନେ ଏହାକୁ ଏଡ଼ାଇ ଭୌତିକ ପ୍ରଗତିରେ ମାତିଛନ୍ତି। ଫଳରେ ଧର୍ମପୀଠ ଏହି ଦାୟିତ୍ବ ନେଇଛନ୍ତି। କିନ୍ତୁ ବ୍ୟତିକ୍ରମ ଏହି ଯେ, କୌଣସି ବୈଧ ପ୍ରମାଣ ନଥାଇ ଅନେକ ଏ ବାବଦରେ ମନଇଚ୍ଛା ସିଦ୍ଧାନ୍ତ ନେଉଛନ୍ତି। ଫଳରେ ଧର୍ମ ରକ୍ଷା ହେଉନାହିଁ। ବରଂ ବିଶୃଙ୍ଖଳା ହେଉଛି ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ।

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଏବଂ ଡ. ଦାଶ ଫାଉଣ୍ଡେସନ(ୟୁଏସ୍‌ଏ) ମିଳିତ ଆନୁକୂଲ୍ୟରେ ଇଡିକଲ ଅଡିଟୋରିୟମରେ ଆୟୋଜିତ ‘ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମିଳନୀ’ରେ ଉଦ୍‌ଘାଟକ ଭାବେ ଯୋଗଦେଇ ଗଜପତି ମହାରାଜା କହିଲେ, ଶାସକ ଶାସ୍ତ୍ରକୁ ଆଧାର କରି ସିଦ୍ଧାନ୍ତ ନେଇ ଧର୍ମରକ୍ଷାକୁ ପ୍ରାଧାନ୍ୟ ଦେଲେ ଉତ୍କ‌ଳରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ହେବ।  ଏହି ଅବସରରେ ସ୍କନ୍ଦ ପୁରାଣ(ଉତ୍କଳ ଖଣ୍ଡ)ର ଦ୍ବିତୀୟ ସଂସ୍କରଣ, ‘ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥ ସଂସ୍କୃତି ସମାଚାର’ର ଦ୍ବିତୀୟ ସଂସ୍କରଣ(ଇଂରାଜୀ), ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର(ଓଡ଼ିଆ/ଇଂରାଜୀ) ଏବଂ ହେମନ୍ତ ଫାଉଣ୍ଡେସନ୍‌ର ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଦାଶ ଫାଉଣ୍ଡେସନ୍‌ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା‌ ସୁଦୀପ ସୁଦର୍ଶନ ରଣାଙ୍କୁ ୫୦ ହଜାର, ଚିନ୍ମୟ ବେହେରା ଓ ଜନ୍ମେଜୟ ପଣ୍ଡାଙ୍କୁ ୧୦ ହଜାର ଲେଖାଏଁ ଲେଖାଏଁ ଓ ତୃତୀୟ ସ୍ଥାନରେ ଥିବା ଗୁରୁ ନିଗମ ଦାସଙ୍କୁ ୧୫ ହଜାର ଟଙ୍କା ସହ ପୁରସ୍କୃତ କରାଯାଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ଗୋପୀନାଥ ମହାନ୍ତି ସ୍ବାଗତ ଭାଷଣ‌ ଓ ଉପସଭାପତି ପୀତବାସ ରାଉତରାୟ ଅତିଥି ପରିଚୟ ଦେଇଥିଲେ। ଦାଶ ଫାଉଣ୍ଡେସନ୍‌ ୬ଟି ହାଇସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲା। ଏଥିରେ ଶ୍ରୀଜଗନ୍ନାଥ ଧର୍ମ ପ୍ରଚାର ପ୍ରସାର ପାଇଁ ଲାଇବ୍ରେରି ଖୋଲା ଯିବ ବୋଲି ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଡା. ଶୀତକଣ୍ଠ ଦାଶ କହିଛନ୍ତି। ଦିବ୍ୟ ଜୀବନ ସଂଘର ଶିବ ଚିଦାନନ୍ଦ ଦାସ, ମହନ୍ତ ସଚ୍ଚିଦାନନ୍ଦ ଦାସ, ସୁଭଦ୍ରାଙ୍କ ବାଡ଼ଗ୍ରାହୀ ସେବକ ରାମଚନ୍ଦ୍ର ଦାସ ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ‘ଶାସ୍ତ୍ରୀୟ ପଦ୍ଧତିରେ ଶ୍ରୀଜଗନ୍ନାଥ ମହିମା ପ୍ରଚାର’ ଏବଂ ‘ଶ୍ରୀଜଗନ୍ନାଥ ଆଦର୍ଶର ପ୍ରଚାରକ ନିର୍ମାଣ’ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ପାଦକ ଦେବେନ୍ଦ୍ର କୁମାର  ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର