ପୁରୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରବର୍ତ୍ତନ ମନ୍ତ୍ରାଳୟ ବିଶେଷଜ୍ଞ ମୂଲ୍ୟାୟନ କମିଟି (ଇଏସି)ର ଅଧ୍ୟକ୍ଷ ରାମ କୁମାରଙ୍କ ନେତୃତ୍ବରେ ଆଜି ୪ଜଣିଆ କମିଟି ପୁରୀ ବ୍ରହ୍ମଗିରି ତହସିଲ ଅଧୀନ ସିପସରୁବାଲି ଓ ଷଣ୍ଢପୁର ମୌଜାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ଗ୍ରିନ୍‌‌ଫିଲ୍ଡ ବିମାନବନ୍ଦର ଅଞ୍ଚଳ ପରିଦର୍ଶନ କରିଛନ୍ତି। ବିମାନବନ୍ଦର ପାଇଁ ଏପ୍ରିଲ ୯ ତାରିଖରେ ସିପସରୁବାଲି ମୌଜା ଓ ଏପ୍ରିଲ ୧୧ ତାରିଖରେ ଷଣ୍ଢପୁର ମୌଜାରୁ ବେସରକାରୀ ଜମି ଅଧିଗ୍ରହଣ ନେଇ ଜନଶୁଣାଣି ହେବ।

Advertisment

ଶନିବାର ପୂର୍ବାହ୍ଣ ସାଢ଼େ ୧୧ଟାରେ ଇଏସି ଅଧ୍ୟକ୍ଷ ରାମ କୁମାର, ସଦସ୍ୟ ଡ.ମନୀଷା ମଲ୍ଲିକ, ସତୀଶ ଚନ୍ଦ୍ର ଗର୍‌କୋଟି, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରବର୍ତ୍ତନ ମନ୍ତ୍ରାଳୟର ପ୍ରତିନିଧି ମୁନା କୁମାର ସାହା ପ୍ରସ୍ତାବିତ ଅଞ୍ଚଳରେ ପହଞ୍ଚି ପରିବେଶ ଦୃଷ୍ଟିକୋଣରୁ ଏହି ବିମାନବନ୍ଦର କେତେଦୂର ଠିକ୍‌ ତାର ସ୍ଥିତି ଅନୁଧ୍ୟାନ କରିଥିଲେ। ବିଡିଏ ଅଧିକାରୀ ଭବତାରଣ ସାହୁ ପ୍ରକଳ୍ପ ସଂପର୍କରେ କମିଟିକୁ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ପରେ ପୁରୀ ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହଠାରେ ଜିଲ୍ଲାପାଳ, ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କ ସହ ବିମାନବନ୍ଦର ପାଇଁ ଆବଶ୍ୟକ ଜମିର ସ୍ଥିତାବସ୍ଥା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। କମିଟି ଅଧ୍ୟକ୍ଷ ରାମ କୁମାର ଆଜି ଫେରି ଯାଇଥିବାବେଳେ ଅନ୍ୟ ତିନି ସଦସ୍ୟ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ରହି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

ପ୍ରସ୍ତାବିତ ଅଞ୍ଚଳ ପରିଦର୍ଶନ ସମୟରେ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ବିବେକ କୁମାର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶରତ କୁମାର ମହାପାତ୍ର, ଉପଜିଲ୍ଲାପାଳ ରାଜକିଶୋର ଜେନା, ଜମି ଅଧିଗ୍ରହଣ ଅଧିକାରୀ ପ୍ରଶାନ୍ତ ଜେନା, ସଦର ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମୋଟ ୧୧୬୪.୮୩୬ ଏକର ଜମି ଆବଶ୍ୟକ ଥିବା ବେଳେ ସେଥିରୁ ସିପସରୁବାଲି ମୌଜାରୁ ୧୫୩.୩୭୦ ଏକର ଓ ଷଣ୍ଢପୁର ମୌଜାର ୬୮.୪୮୦ ଏକର, ଏପରି ମୋଟ ୨୨୧.୪୮୦ ଏକର ବ୍ୟକ୍ତିଗତ ଜମି ଅଧିଗ୍ରହଣ ହେବ।