ହାଇକୋର୍ଟରେ ଶ୍ରୀ ଜଗନ୍ନାଥ ମନ୍ଦିର ମାମଲା : ଏଏସ୍‌ଆଇର ସତ୍ୟପାଠ ଦାଖଲ

କଟକ : ନାଟ ମଣ୍ଡପର ସବିଶେଷ ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କୋର୍‌ କମିଟି ପରାମର୍ଶ ଦେଇଛି। ବିନା ବାଧାରେ ତିନି ଦିନ ଲଗାତର ନାଟ ମଣ୍ଡପ ଭିତର ଅଂଶର ବୈଷୟିକ ଓ ବିଜ୍ଞାନ ସମ୍ମତ ଯାଞ୍ଚ ପାଇଁ ପରାମର୍ଶ ଦିଆଯାଇଛି। ଏଏସଆଇ କୋର୍‌ କମିଟି ବିଶେଷଜ୍ଞଙ୍କ ସହିତ ଆଇଆଇଟି ମାଡ୍ରାସ ଓ ଖଡଗପୁର ବିଶେଷଜ୍ଞମାନେ ଏହି ଯାଞ୍ଚ କରି ନାଟ ମଣ୍ଡପର ସଂରକ୍ଷଣ ତଥା ମରାମତି ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଆଜି ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏଏସ୍‌ଆଇର ଭାରପ୍ରାପ୍ତ ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକଙ୍କ ପକ୍ଷରୁ ନାଟମଣ୍ଡପ ଓ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ମନ୍ଦିରର ମରାମତି ସଂପର୍କରେ ସତ୍ୟପାଠ ଦାଖଲ କରାଯାଇଥିଲା। ସତ୍ୟପାଠରେ ଦର୍ଶାଯାଇଥିଲା ଯେ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ ପାଇଁ ନାଟ ମଣ୍ଡପର ନିର୍ଦ୍ଧାରିତ ସ୍ଥାନକୁ ଅଗଷ୍ଟ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଦାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇ ପକ୍ଷରୁ ଅନୁରୋଧ କରାଯାଇଛି। ଏଥି ସହିତ ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିର ଗୁଡିକର ସଂରକ୍ଷଣ ଓ ମରାମତି କାର୍ଯ୍ୟ ଜାରି ରହିଛି। ପରବର୍ତ୍ତୀ ଶୁଣାଣି ସମୟରେ ନାଟ ମଣ୍ଡପ ସହିତ ପରିସରରେ ଥିବା ଅନ୍ୟ ମନ୍ଦିର ଗୁଡିକର ମରାମତିର ଅଗ୍ରଗତି ସଂପର୍କରେ ଅବଗତ କରିବା ପାଇଁ ଖଣ୍ଡପୀଠ ଏଏସଆଇକୁ ଆଜି ନିର୍ଦ୍ଦେଶ ଦେଇଥିଲେ।

ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ମାଉସୀ ମା’ ଓ ଗୁଣ୍ଡିଚା ମନ୍ଦିର ଏଏସଆଇ ଦ୍ୱାରା କେନ୍ଦ୍ରୀୟ ଭାବେ ସଂରକ୍ଷଣ କରାଯାଉଥିବା ମନ୍ଦିର ନୁହେଁ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ମାଉସୀ ମା’ ଓ ଗୁଣ୍ଡିଚା ମନ୍ଦିର ସ୍ଥିତି ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଏ ସଂପର୍କିତ ତଥ୍ୟ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଛି ବୋଲି ଏଏସଆଇ ପକ୍ଷରୁ ଦର୍ଶାଯାଇଥିଲା। ପରବର୍ତ୍ତୀ ଶୁଣାଣି ସମୟରେ ମାଉସୀ ମା’ ମନ୍ଦିର ଓ ଗୁଣ୍ଡିଚା ମନ୍ଦିର ମରାମତି ପ୍ରସଂଗରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବା ପାଇଁ ଖଣ୍ଡପୀଠ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୦ରେ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ତ୍ରିଲୋଚନ ଦାଶ, ସରକାରଙ୍କ ତରଫରୁ ଜିଏ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର