ୟୁନିଅନ୍ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା, ୫.୭୫ % ସୁଧରେ ଜମା ହେବ ୩୫୨ କୋଟି

ଟେଣ୍ଡର ଆବେଦନ କରିଥିଲେ ୧୧ଟି ବ୍ୟାଙ୍କ, ଅବଶିଷ୍ଟ ଟଙ୍କା କେଉଁଠି ରହିବ ସ୍ଥିର ହୋଇନି

ପୁରୀ : ୟେସ୍ ବ୍ୟାଙ୍କ‌‌ରୁ ମହାପ୍ରଭୁଙ୍କ ଜମା ଟଙ୍କା ଫେରିବା ପରେ ଏହି ଟଙ୍କା କେଉଁଠି ରହିବ ତାକୁ ନେଇ ରହିଥିବା ଦ୍ବନ୍ଦ୍ବ ଆପାତତଃ ଦୂର ହୋଇଛି। ମହାପ୍ରଭୁଙ୍କ ଜମା ଟଙ୍କା ରଖିବାକୁ ଶ୍ରୀ ମନ୍ଦିର ପ୍ରଶାସନ ଆହ୍ବାନ କରିଥିବା ଟେଣ୍ଡର ଚୂଡ଼ାନ୍ତ ହୋଇଛି। ଆଜି ଟେଣ୍ଡର ଖୋଲିବା ପରେ ଏ ନେଇ ନିଷ୍ପତ୍ତି ହୋଇଛି।

ଟେଣ୍ଡରରେ ଭାଗ ନେଇଥିବା ବ୍ୟାଙ୍କ ଗୁଡିକ ମଧ୍ୟରୁ ୟୁନିଅନ ବ୍ୟାଙ୍କ୍ ଆଗରେ ରହିଛି। ଏହି ବ୍ୟାଙ୍କ ସର୍ବାଧିକ ସୁଧ ପ୍ରସ୍ତାବ ଦେଇଛି। ଏହା ପଛକୁ ଇଣ୍ଡିଆନ୍ ବ୍ୟାଙ୍କ୍ ଓ କାନାଡା ବ୍ୟାଙ୍କ ରହିଛି। ଖୁବ୍‌ଶୀଘ୍ର ମହାପ୍ରଭୁଙ୍କ ପାଣ୍ଠିରୁ ୩୫୨ କୋଟି ଟଙ୍କା ସର୍ବାଧିକ ସୁଧ ପ୍ରସ୍ତାବ ଦେଇଥିବା ବ୍ୟାଙ୍କ ‘ୟୁନିୟନ ବ୍ୟାଙ୍କ’ରେ ରଖାଯିବ ବୋଲି ସ୍ଥିର ହୋଇଛି। ଅବଶିଷ୍ଟ ଟଙ୍କା କେଉଁ ବ୍ୟାଙ୍କରେ ରହିବ ତାହା ଏ ଯାଏ ସ୍ଥିର ହୋଇନାହିଁ। ତେବେ ଟେଣ୍ଡରରେ ‌ଯେଉଁ ସୁଧହାରର ପ୍ରସ୍ତାବ ଆସିଛି ‌ତାହା ସନ୍ତୋଷଜନକ ନୁହେଁ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ସୂଚନା ଅନୁସାରେ, ୟୁନିଅନ ବ୍ୟାଙ୍କରେ ଟଙ୍କା ରଖିବା ନେଇ କିଛି କାଗଜପତ୍ର କାମ ବାକି ରହିଛି। ୟୁନିଅନ୍ ବ୍ୟାଙ୍କରେ ମହାପ୍ରଭୁଙ୍କ କର୍ପସ ଓ ଟେମ୍ପୁଲ ଫଣ୍ଡ ରହିବ ବୋଲି ଜଣାପଡିଛି।

ପ୍ରକାଶ ଯେ, ଗତକାଲି ୟେସ୍ ବ୍ୟାଙ୍କରୁ ମହାପ୍ରଭୁଙ୍କ ୩୯୭ କୋଟି ୨୩ଲକ୍ଷ ୨୭ ହଜାର ୬୩୬ ଟଙ୍କା‌ ଫେରିଛି। ଏହି ଟଙ୍କା ବର୍ତ୍ତମାନ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପୁରୀ ମୁଖ୍ୟ ଶାଖାରେ ଶ୍ରୀଜଗନ୍ନାଥ ଟେମ୍ପୁଲ କର୍ପସ ପାଣ୍ଠି ନାମରେ ଥିବା ଜମାଥିବା ଜଣାପଡିଛି। ପୂର୍ବ ନିଷ୍ପତ୍ତି ମୁତାବକ, ମହାପ୍ରଭୁଙ୍କ ଟଙ୍କା କେଉଁ ବ୍ୟାଙ୍କରେ ରଖାଯିବ ସେ ନେଇ ଟେଣ୍ଡର ଆହ୍ବାନ କରାଯାଇଥିଲା। ମୋଟ ୧୬ ଟି ବ୍ୟାଙ୍କକୁ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଥିଲା। ସେଥିରୁ ୧୧ଟି ବ୍ୟାଙ୍କ ଟେଣ୍ଡର ପାଇଁ ଆବେଦନ କରିଥିଲେ। ତେବେ ବୈଷୟିକ ଓ ଅନ୍ୟ କାରଣରୁ ଆଜି ୩ଟି ବ୍ୟାଙ୍କ କାଟ ଖାଇଯାଇଥିଲା। ଆଜି ଏହି ଟେଣ୍ଡର ପ୍ରକ୍ରିୟାରେ ୮ଟି ବ୍ୟାଙ୍କ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସର୍ବୋଚ୍ଚ ବିଡର ରହିଥିଲା। ଏହି ବ୍ୟାଙ୍କ ୫.୭୫ ପ୍ରତିଶତ ସୁଧହାର ପ୍ରସ୍ତାବ ଦେଇ ସବୁଠୁ ଆଗରେ ରହିଥିଲା। ସେହିଭଳି ଇଣ୍ଡିଆନ୍ ବ୍ୟାଙ୍କ ୫.୪ ପ୍ରତିଶତ ସୁଧ ଦେବାକୁ ପ୍ରସ୍ତାବ ଦେବାକୁ ଦ୍ବିତୀୟ ସର୍ବୋଚ୍ଚ ବିଡର ଥିବା ବେଳେ କାନାଡ଼ା ବ୍ୟାଙ୍କ ୫ ପ୍ରତିଶତ ସୁଧ ପ୍ରସ୍ତାବ ଦେଇ ତୃତୀୟ ସର୍ବୋଚ୍ଚ ବିଡର ରହିଛି। ତେବେ ୟୁନିଅନ ବ୍ୟାଙ୍କରେ ମୋଟ ୩୫୨ କୋଟି ଟଙ୍କା ରଖାଯିବାର ପ୍ରସ୍ତାବ ରହିଛି। ନିୟମ ମୁତାବକ ପ୍ରଥମ ବ୍ୟାଙ୍କରେ ୫୦ ପ୍ରତିଶତ ଅର୍ଥ ଜମା କରାଯିବ। ଅନ୍ୟ ଦୁଇଟି ବ୍ୟାଙ୍କରେ ୨୫ ପ୍ରତିଶତ ଲେଖାଏଁ ଅର୍ଥ ଜମା ରହିବ। ଦ୍ବିତୀୟ ଓ ତୃତୀୟ ବ୍ୟାଙ୍କ ଅରାଜି ହେଲେ ପ୍ରଥମ ବ୍ୟାଙ୍କରେ ସବୁତକ ଟଙ୍କା ଜମା ରହିବ।

ସମ୍ବନ୍ଧିତ ଖବର