ବଡ଼ ଠାକୁରଙ୍କୁ ପ୍ରତାରଣା!

ଅଧାରେ ଅଟକିଗଲା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା

ସରକାର ନିରବ, ସେବାୟତଙ୍କୁ ଭୟ?
ଆତ୍ମରକ୍ଷା ପାଇଁ କମିସନ ଢାଲ

ଭୁବନେଶ୍ୱର : କାହିଁକି ହଠାତ୍‌ ଶ୍ରୀମନ୍ଦିର ସଂସ୍କାର କମିସନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ରୋକିଦେଲେ? ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପୂର୍ବରୁ କମିସନଙ୍କ କାର୍ଯ୍ୟ ଅବଧି ବୃଦ୍ଧି ନ କରିବା ପଛର କାରଣ କଣ? ରାଜ୍ୟ ସରକାର କଣ ଶ୍ରୀମନ୍ଦିରରେ ସଂସ୍କାର ଚାହୁଁନାହାନ୍ତି? କମିସନ ତାଙ୍କ ପୂର୍ଣ୍ଣାଙ୍ଗ ରିପୋର୍ଟରେ ସେବାୟତଙ୍କ ସୁବିଧା ଓ ଅସୁବିଧା ସଂପର୍କରେ ରିପୋର୍ଟ ଦେଇଥାନ୍ତେ ବୋଲି ସୂଚନା ମିଳୁଥିଲା। କାଳେ ସେମାନେ ବିଗିଡିଯିବେ, ଆସନ୍ତା ନିର୍ବାଚନରେ ଭୋଟ ବ୍ୟାଙ୍କ ଉପରେ ତାର ପ୍ରଭାବ ପଡିବ, ସେଥିପାଇଁ ସରକାର ଡରିଲେ କି? ନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପକଡ଼ ଖସିଯିବ ବୋଲି ତାଙ୍କ ଚାପରେ ସରକାର ଚପିଗଲେ?

ଏମିତି ମାଳ ମାଳ ପ୍ରଶ୍ନ ଏବେ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କଲାଣି। ଦୁଇବର୍ଷ ତଳେ ଜଷ୍ଟିସ ବିମଳ ପ୍ରସାଦ ଦାସ କମିସନଙ୍କୁ ସରକାର ସବୁଠାରୁ ଅଧିକ ଗୁରୁତ୍ୱ ଦେଉଥିଲେ। ଏହା ଭିତରେ କଣ ହେଲା ଯେ କମିସନ ଚୂଡ଼ାନ୍ତ ରିପୋର୍ଟ ଦେବା ଆଗରୁ ତାକୁ ବନ୍ଦ କରିଦିଆଗଲା, ସେ ନେଇ କେହି କିଛି ବୁଝିପାରୁନାହାନ୍ତି।

ଆଇନମନ୍ତ୍ରୀ ମଧ୍ୟ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ବାର୍ତ୍ତା ଯାଉଛି, ଯେମିତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମବିଭ୍ରାଟ, ନୀଳାଦ୍ରି ବିଜେରେ ବିଶୃଙ୍ଖଳା ନେଇ ଯେଉଁ ଜନମତ ସୃଷ୍ଟି ହୋଇଥିଲା, ତାକୁ କେବଳ ଚାପିବା ଲାଗି ସରକାର କମିସନଙ୍କୁ ଢାଲ କରିଥିଲେ। ଆଉ ଏବେ ଏହି ପ୍ରସଙ୍ଗ ଚପିଯିବା ପରେ କମିସନଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରିବା ଲାଗି ସରକାର ଆଗ୍ରହ ରଖୁନାହାନ୍ତି।

ଉଲ୍ଲେଖଥାଉକି, ନବକଳେବରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ବିଭ୍ରାଟ ଘଟଣାକୁ ନେଇ ଓଡ଼ିଶାରେ କମ୍ପନ ସୃଷ୍ଟି ହୋଇଥିଲା। ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ବିରୋଧ କରିଥିଲେ। ସମଗ୍ର ଭାରତବର୍ଷରେ ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଏହା ମର୍ମାହତ କରିଥିଲା। ସେବେଠାରୁ ଶ୍ରୀମନ୍ଦିରରେ ବିଶୃଙ୍ଖଳା କ୍ରମାଗତ ବଢିଚାଲିଥିଲା। ଆଉ ତା ପରବର୍ଷ ନୀଳାଦ୍ରି ବିଜେ ଦିନ ଶ୍ରୀଜୀଉଙ୍କୁ ପଣବନ୍ଦୀ କଲାଭଳି ମୁଷ୍ଟିମେୟ ସେବାୟତ ପହଣ୍ଡି ବନ୍ଦ କରାଇଦେଲେ। ଶ୍ରୀସୁଦର୍ଶନଙ୍କୁ ଘଣ୍ଟାଏ ଅଟକାଇ ରଖିଲେ ଚାରମାଳ ଉପରେ। ତତ୍କାଳୀନ ଆଇନ ମନ୍ତ୍ରୀ ଅରୁଣ ସାହୁଙ୍କ ଠାରୁ ଆରମ୍ଭ କରି ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସାମ୍ନାରେ ନୀତି ନିୟମକୁ ଦଳି ଚକଟି ଦିଆଗଲା। ହେଲେ ଏହାକୁ ପ୍ରତିରୋଧ କଲେନି। କେବଳ ସେତିକି ନୁହେଁ, ଏହା ଭିତରେ ଏମିତି ଅନେକ ଘଟଣା ଘଟିଛି, ଯାହାକୁ ନେଇ ଶ୍ରଜଗନ୍ନାଥ ମନ୍ଦିର ଚର୍ଚ୍ଚାକୁ ଆସିଛି। ସ୍ୱାଭାବିକ ଭାବେ ରାଜ୍ୟ ସରକାରଙ୍କ ବିରୋଧରେ ଜନମତ ଉଗ୍ର ରୂପ ଧାରଣ କରିଥିଲା।

ଏଭଳି ଏକ ପୃଷ୍ଠଭୂମିରେ ରାଜ୍ୟ ସରକାର ଦାସ କମିସନ ଗଠନ କରିଥିଲେ। ଯଦିଓ ଶ୍ରୀମନ୍ଦିରରେ ସେବାୟତଙ୍କ ବିଶୃଙ୍ଖଳାକୁ ନେଇ ସରକାର ଅକଳରେ ପଡିଥିଲେ, ତଥାପି ରୋଷରୁ ବର୍ତିବା ପାଇଁ ଅତି ଚତୁରତାର ସହିତ କମିସନଙ୍କ ପାଇଁ ଯେଉଁ ଟର୍ମସ ଆଣ୍ଡ ରେଫରେନ୍ସ ପ୍ରସ୍ତୁତ କରାଯାଇଥିଲା, ସେଥିରେ ଏକାଧିକ ପ୍ରସଙ୍ଗକୁ ସ୍ଥାନ ଦିଆଯାଇଥିଲା।

ତତ୍କାଳୀନ ଆଇନମନ୍ତ୍ରୀ ଅରୁଣ ସାହୁ ଗଣମାଧ୍ୟମକୁ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିର(ପ୍ରଶାସନ) ଅଧିନିୟମ, ୧୯୫୨ ଓ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ, ୧୯୫୫ ଅନୁସାରେ, ସେବକ, ପୂଜାରୀ ଏବଂ ସେବାପୂଜା ଓ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ସହିତ ସଂପୃକ୍ତ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ଅଧିକାର ଓ କର୍ତ୍ତବ୍ୟ ସଂପର୍କରେ ବିଶେଷ ଭାବରେ ଉଲ୍ଲେଖ ରହିଛି । ଏହା ସତ୍ତେ୍ଵ ଠାକୁରଙ୍କର ରୀତିନୀତି ସଂପାଦନାରେ ଓ ସେବାପୂଜାରେ ବିଳମ୍ବ ହେଉଛିି। ତେଣୁ ସରକାର ତଦନ୍ତ କମିସନ ଅଧିନିୟମ, ୧୯୫୨ ଅନୁଯାୟୀ ଏକ କମିସନ ଗଠନ କରିବାକୁ ସ୍ଥିର କରିଛନ୍ତି । ଅବସରପ୍ରାପ୍ତ ଅଧିକାରୀ ତଥା ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀଙ୍କୁ ମଧ୍ୟ କମିସନଙ୍କୁ ସହଯୋଗ କରିବାକୁ ଏଥିରେ କୁହାଯାଇଥିଲା।

ସରକାର ସେତେବେଳେ ଜଣାଇଥିଲେ, ଏହି କମିସନ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା, କୀର୍ତ୍ତିରାଜିର ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ, ଶ୍ରୀମନ୍ଦିରର ଶୃଙ୍ଖଳିତ ନୀତି, ପରିଚାଳନା, ସେବାୟତ ଓ ମନ୍ଦିର ପରିଚାଳନା ସହିତ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱକୁ ସୁସଂଗଠିତ କରିବା ସଂପର୍କରେ କାର୍ଯ୍ୟ କରିବେ। ଏହାବ୍ୟତୀତ ସେବାପୂଜା ନିମନ୍ତେ ଆବଶ୍ୟକ ସାମଗ୍ରୀର ସଠିକ୍‌ ଯୋଗାଣ, ସେବକ ପୂଜାରୀ ପରିଚାଳନା ଓ ଦେବୋତ୍ତର ସହିତ ସଂପୃକ୍ତ କର୍ମଚାରୀଙ୍କ ପାଉଣା, ଭକ୍ତମାନଙ୍କ ପାଇଁ ସୁବିଧା ସୁଯୋଗ, ସେବକ ପୂଜାରୀ ଏବଂ ସେବାପୂଜା ସହିତ ସଂପୃକ୍ତ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ କଲ୍ୟାଣ ନିମନ୍ତେ ଶିକ୍ଷା, ତାଲିମ, ସ୍ୱାସ୍ଥ୍ୟ ଏବଂ ଗୃହ ବ୍ୟବସ୍ଥା, ଶ୍ରୀଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର-ପ୍ରସାର ଆଦି ପ୍ରସଙ୍ଗରେ କମିସନ ଚାହିଁଲେ ଅନୁଧ୍ୟାନ କରିବେ।

କମିସନ ଏ ମଧ୍ୟରେ ଯେଉଁ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି, ତାହା ସାର୍ବଜନୀନ ହୋଇନଥିଲେ ହେଁ, ସୁରକ୍ଷା, କୀର୍ତିରାଜିର ସଂରକ୍ଷଣ ଆଦି ଉପରେ ଏଥିରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି। ଆଶା କରାଯାଉଥିଲା, କମିସନଙ୍କ ପରବର୍ତ୍ତୀ ରିପୋର୍ଟରେ ଅସଲ ପ୍ରସଙ୍ଗ ଅର୍ଥାତ୍‌ ଶୃଙ୍ଖଳିତ ନୀତି, ସେବାୟତ ଓ ପରିଚାଳନା ପ୍ରସଙ୍ଗ ସ୍ଥାନ ପାଇବ। ମାତ୍ର ଏହା ପୂର୍ବରୁ ସରକାର କମିସନଙ୍କ କାର୍ଯ୍ୟକୁ ଅଧାରେ ଅଟକାଇ ଦେଇଛନ୍ତି।

ବୁଦ୍ଧିଜୀବୀ ମହଲର କହିବା କଥା ହେଉଛି, ତଦନ୍ତକୁ ତୁରନ୍ତ ଶେଷ କରିବା ଲାଗି ସରକାର ଚାହିଁଲେ କମିସନଙ୍କୁ ଜଣାଇପାରିବେ। ହେଲେ ଅଚାନକ ତଦନ୍ତକୁ ରୋକିଦେବା ଦ୍ୱାରା ବୁଝାପଡୁଛି ଯେମିତି ସରକାର କମିସନ ବସାଇବା ଆଳରେ କେବଳ ପ୍ରହସନ କରିଛନ୍ତି। ସମ୍ଭବତଃ, ସେବାୟତଙ୍କ ସଂପର୍କରେ କମିସନ ତାଙ୍କ ମତ ରଖିଥିଲେ, ଏହି ବର୍ଗ ବିଗିଡିଥାନ୍ତେ। ଏଣୁ ସରକାର ଏହାକୁ ଦୃଷ୍ଟିରେ ରଖି କମିସନଙ୍କ କାର୍ଯ୍ୟ ଅବଧିକୁ ବୃଦ୍ଧି କରିନାହାନ୍ତି।

ଏଠାରେ ଉଲ୍ଲେଖଥାଉକି,ପୂର୍ବରୁ ଶ୍ରୀମନ୍ଦିର ସଂସ୍କାର ନେଇ ଏକାଧିକ କମିସନଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ରହିଛି। ଏଥିରୁ ଅଧିକାଂଶ ଆଜି ବି ଲାଗୁ ହୋଇନାହିଁ। ଏବେ ଏହି ଦାସ କମିସନଙ୍କ ରିପୋର୍ଟ ଚୂଡାନ୍ତ ରୂପ ଧାରଣ କରିବା ପୂର୍ବରୁ ସରକାର ଏହାର ଭବିଷ୍ୟତକୁ ମଧ୍ୟ ମୋଡ଼ିମକଚି ଦେବାକୁ ଉଦ୍ୟମ କରିଛନ୍ତି।

ସମ୍ବନ୍ଧିତ ଖବର