ପୁରୀ: ୧୧ ମାସ ପରେ ପୁନର୍ଗଠିତ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ରାଜ୍ୟ ସରକାର ଆଜି ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିବା ପରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏମାନେ ହେଲେ ସିଂହାରୀ ନିଯୋଗରୁ ମଧୁସୂଦନ ସିଂହାରୀ, ପୂଜାପଣ୍ଡା ନିଯୋଗରୁ ଜଗନ୍ନାଥ ପୂଜାପଣ୍ଡା, ଦଇତାପତି ନିଯୋଗରୁ ଗଣେଶ ଦାସମହାପାତ୍ର ଓ ପ୍ରତିହାରୀ ନିଯୋଗରୁ ରାମନାରାୟଣ ଗୋଛିକାର। ମୁକ୍ତିମଣ୍ଡପରୁ ସିଦ୍ଧେଶ୍ବର ମହାପାତ୍ର ଓ ସୁଆର ମହାସୁଆର ନିଯୋଗରୁ କୃଷ୍ଣ ଚନ୍ଦ୍ର ସାମନ୍ତରା(ଟୁକୁ)ଙ୍କୁ କମିଟିକୁ ମନୋନୀତ କରାଯାଇଛି। ସେହିଭଳି ବଳରାମକୋଟ ମଠ ମହନ୍ତ ରଘୁବୀର ଦାସ ମହାରାଜ, ପୂର୍ବତନ ରାଜ୍ୟପାଳ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଓ ବିଶ୍ୱ ହିନ୍ଦୁ ପରିଷଦର ଓଡ଼ିଶା ପ୍ରାନ୍ତ ଅଧ୍ୟକ୍ଷ ଅନୁଗୁଳର ମହେଶ କୁମାର ସାହୁ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଏ.କେ. ସାବତଙ୍କୁ ସଦସ୍ୟ ଭାବେ କମିଟିରେ ନିଆଯାଇଛି।  

Advertisment

୨୦୨୪ ମସିହା ସେପ୍ଟେମ୍ବର ୧୩ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ଶେଷ ହୋଇଥିଲା। ଅବଧି ସରିବାର ୩ ମାସ ପୂର୍ବରୁ ଏହାର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବା କଥା। ହେଲେ ପ୍ରାୟ ବର୍ଷେ ଗଡ଼ିଯିବାରୁ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ରତ୍ନଭଣ୍ଡାର ଗଣତିମଣତି ଠାରୁ ଆରମ୍ଭ କରି ନୀତିକାନ୍ତି ଶୃଙ୍ଖଳା ପର୍ଯ୍ୟନ୍ତ ଅନେକ ନିଷ୍ପତ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କେବଳ ସେତିକି ନୁହେଁ, ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ପରିଚାଳନା କମିଟିର ସ୍ବୀକୃତି ଆବଶ୍ୟକ। ସେହିଭଳି ହୁଣ୍ଡି ସ୍ଥାନାନ୍ତର ମଧ୍ୟ ଅନ୍ୟତମ ପ୍ରମୁଖ କାମ, ଯାହା ପରିଚାଳନା କମିଟି ପାଇଁ ଅଟକି ରହିଛି।  

ଅନ୍ୟପଟେ ପରିଚାଳନା କମିଟିକୁ ନେଇ ମାମଲା କୋର୍ଟରେ ଗଡ଼ୁଛି। ଏହି କମିଟିରେ ପୂଜାପଣ୍ଡା ନିଯୋଗ, ଦଇତାପତି ନିଯୋଗ, ସୁଆରମହାସୁଆର ନିଯୋଗ, ପ୍ରତିହାରୀ ନିଯୋଗ ଓ ପୁଷ୍ପାଳକ ନିଯୋଗରୁ ଜଣେ ଲେଖାଏଁ ସଦସ୍ୟଙ୍କୁ ସରକାର ନିୟମିତ ଚୟନ କରୁଛନ୍ତି। ଶ୍ରୀମନ୍ଦିର ସହିତ ୩୬ ନିଯୋଗ ସଂପୃକ୍ତ ଥିଲେ ମଧ୍ୟ ଏହି ନିର୍ଦ୍ଦିଷ୍ଟ ନିଯୋଗରୁ ନିୟମିତ କାହିଁକି ଚୟନ କରାଯାଉଛି, କାହିଁକି ପର୍ଯ୍ୟାୟ ୱାରି ଅନ୍ୟ ନିଯୋଗକୁ ନିଯୁକ୍ତି ମିଳୁନାହିଁ ସେ ନେଇ ଆପତ୍ତି ଉଠୁଛି। ଛାମୁ ଖୁଣ୍ଟିଆ ନିଯୋଗରୁ ଜଣେ ସଦସ୍ୟଙ୍କୁ ସୁଯୋଗ ଦିଆଯିବା ଦାବିରେ ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ମାମଲାର ଶୁଣାଣି ରହିଛି। ଉଲ୍ଲେଖଥାଉକି, ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ ଅଛନ୍ତି। ଏହାବ୍ୟତୀତ ଅତିରିକ୍ତ ମୁଖ୍ୟଶାସନ ସଚିବ ସ୍ତରୀୟ ଅଧିକାରୀ କାର୍ଯ୍ୟକାରୀ ସଦସ୍ୟ, କମିସନର ପାହ୍ୟାର ଅଧିକାରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରିବା ଲାଗି ଶ୍ରୀମନ୍ଦିରରେ ବ୍ୟବସ୍ଥା ରହିଛି। ଏହାବ୍ୟତୀତ ଜିଲ୍ଲାପାଳ, ଏସ୍‌ପି ଏବଂ  ଏଏସ୍‌ଆଇ ଅଧୀକ୍ଷକ ପରିଚାଳନା କମିଟିର ସଦସ୍ୟ ରହିଛନ୍ତି।