ସାଢ଼େ ୧ରୁ ୪ ମଧ୍ୟରେ ଶ୍ରୀଜିଉଙ୍କ ପହଣ୍ଡି

ଦେବସ୍ନାନ ପୂର୍ଣ୍ଣିମା ଉପରେ ଦଇତାପତି ନିଯୋଗ ସହ‌ ବୈଠକ

ପୁରୀ : ଆଉ ୧୨ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା। ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ମହାପ୍ରଭୁ ଜ୍ବରରେ ପଡ଼ି ସୁସ୍ଥ ହେବା ପର୍ଯ୍ୟନ୍ତ ଅଣସର ପିଣ୍ଡିରେ ବିଜେ କରିବେ। ସ୍ନାନପୂର୍ଣ୍ଣିମାଠାରୁ ଆରମ୍ଭ କରି ଅଣସର ନୀତି, ଶ୍ରୀଗୁଣ୍ଡିଚା ଯାତ୍ରା, ନୀଳାଦ୍ରି ବିଜେ, ସବୁଥିରେ ଦଇତାପତି ସେବକଙ୍କ ପ୍ରମୁଖ ଭୂମିକ ରହୁଥିବାରୁ ନିଯୋଗର ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ରାତିରେ ଦଇତାପତି ନିଯୋଗ ସହ ବୈଠକ କରି ଦେବସ୍ନାନପୂର୍ଣ୍ଣିମା ନୀତିକାନ୍ତି ସହ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ଆଲୋଚନା କରିଛି। ଚଳିତବର୍ଷର ନୀତିକାନ୍ତିରେ ଦଇତାପତି ନିଯୋଗ ସହମତି ଜଣାଇଥିବାବେଳେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂର୍ବଦିନ ରାତିରୁ ଅର୍ଥାତ୍‌ ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ରାତି ସାଢ଼େ ଗୋଟାଏରୁ ଭୋର ୪ଟା ଭିତରେ ଶ୍ରୀଜିଉ ସ୍ନାନବେଦିକୁ ପହଣ୍ଡି ବିଜେ କରିବାର ନୀତି ନିର୍ଘଣ୍ଟ ହୋଇଛି। ନୀତିକାନ୍ତିରେ ‌କେବଳ ଛତିଶାନିଯୋଗର ଚୂଡ଼ାନ୍ତ ମୋହର ବାକି ରହିଛି। ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେବସ୍ନାନ ପୂର୍ଣ୍ଣିମାରେ କେତେ ଦଇତାପତି ସେବକ ରହିବେ ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ଗତବର୍ଷ କୋଭିଡ୍ କଟକଣା ଭିତରେ ଯେତିକି ସଂଖ୍ୟକ ଦଇତାପତି ସେବକଙ୍କୁ ସେବା କରିବାକୁ ଅନୁମତି ଦିଆଯାଇଥିଲା, ଚଳିତବର୍ଷ ବି ସେତିକି ସଂଖ୍ୟାରେ ସେବକ ରହିବା ନେଇ ନିଷ୍ପତ୍ତି ହୋଇଛି। ବୈଠକରେ ନୀତି ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା। ଗତବର୍ଷ ଭଳି ଚଳିତବର୍ଷ ଯେଭଳି ଶୃଙ୍ଖଳିତ ଭାବେ ନୀତିକାନ୍ତି ଶେଷ ହେବ ସେ ଉପରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଆଲୋଚନା ସମ୍ପର୍କରେ ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗା ଦାସମହାପାତ୍ର କହିଛନ୍ତି, ଚଳିତବର୍ଷ ଦେବସ୍ନାନ ପୂର୍ଣ୍ଣିମା ନୀତିକାନ୍ତିରେ ଶୃଙ୍ଖଳା ଆଜିର ଆଲୋଚନାର ମୁଖ୍ୟାଂଶ ରହିଥିଲା। ଆଷାଢ଼ ମାସରେ ସ୍ନାନଯାତ୍ରାଠାରୁ ଆରମ୍ଭ କରି ଅଣସର ଓ ଅନ୍ୟାନ୍ୟ ନୀତି ଯେଭଳି ଶୃଙ୍ଖଳିତ ଭାବେ ଶେଷ ହେବ ସେ ଉପରେ ସହଯୋଗ ଲୋଡ଼ାଯାଇଥିଲା।

ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ହେଉଥିବାରୁ ସଅଳ ନୀତିକାନ୍ତି ସାରିବାକୁ ମତପ୍ରକାଶ ପାଇଥିଲା। ନିଯୋଗ ଏଥିରେ ପୂର୍ଣ୍ଣ ସହଯୋଗ କରିବ ବୋଲି ସହମତି ଦେଇଛି। ବରିଷ୍ଠ ଦଇତାପତି ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, ଆଜିର ବୈଠକରେ ଗତବର୍ଷର ବକେୟା ପାଉଣା ସହ ଚଳିତବର୍ଷର ପାଉଣା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ଉପରେ ତ୍ବରିତ ପଦକ୍ଷେପ ନେବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ସହମତି ଦେଇଛି। ଚଳିତବର୍ଷ ପୂର୍ବଦିନ ରାତି ସାଢ଼େ ଗୋଟାଏରୁ ଚାରିଟା ମଧ୍ୟରେ ପହଣ୍ଡି ବିଜେ ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ ହୋଇଛି। ଛତିଶାନିଯୋଗ ବୈଠକ ପରେ ଯାହା କିଛି ଚୂଡ଼ାନ୍ତ ହେବ। ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଅଣସର ନୀତି ୧୫ ଦିନ ପାଳିତ ହେବ ଆଶା ରଖିଛୁ। ବାକି ମହାପ୍ରଭୁଙ୍କ ଇଚ୍ଛା ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର