ଭୁବନେଶ୍ବର: କବି ଜୟଦେବ ଓ ‘ଗୀତଗୋବିନ୍ଦ’ ଆମ ସାଂସ୍କୃତିକ ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ। ଆଜି ଜୟଦେବ ଜୟନ୍ତୀ ଅବସରରେ ଜନ୍ମପୀଠ କେନ୍ଦୁବିଲ୍ବଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୟଦେବଙ୍କ ପୀଠକୁ ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରିବା ପାଇଁ ଅନେକ ପ୍ରକଳ୍ପ ଘୋଷଣା କରିବା ସହିତ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ। ଜୟଦେବ ପୀଠକୁ ବିଶ୍ୱସ୍ତରୀୟ ପୀଠରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ରଖିଥିଲେ। ଏଥିରେ ଅନେକ ପ୍ରକାରର ଫୁଲ ବଗିଚା, ୧୦ଟି କଇଁ ପୋଖରୀ ଏବଂ ବିଭିନ୍ନ ପ୍ରକାରର ଲତାଜାତୀୟ ଗଛର ବଗିଚା ସୃଷ୍ଟି କରାଯିବ।
ଜୟଦେବଙ୍କ ପୀଠକୁ ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ
କେନ୍ଦୁବିଲ୍ବକୁ ଆଦର୍ଶ ଗ୍ରାମ ଭାବେ ବିକଶିତ କରିବାକୁ ସାଂସଦଙ୍କୁ ପରାମର୍ଶ
ଏହା ସହିତ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆହୁରି ଅନେକ ପ୍ରକଳ୍ପ ଘୋଷଣା କରିଥିଲେ। ଏଥିରେ ପ୍ରବେଶଦ୍ବାର, ଦଶାବତାର ପ୍ଲାଜା, ପଦ୍ମପୋଖରୀର ସୌନ୍ଦର୍ଯ୍ୟୀକରଣ, ବିଭିନ୍ନ କୁଞ୍ଜର ବିକାଶ, କ୍ରାଫ୍ଟ ସପ୍, ଫୁଡ଼୍କୋର୍ଟ ଆଦିର ବିକାଶ କରାଯିବ। ଏ ପୀଠକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱୟଂ ଆସିଛନ୍ତି। ତେଣୁ ଏହାର ସୌନ୍ଦର୍ଯ୍ୟୀକରଣ ପାଇଁ ଯାହା ଅର୍ଥ ଆବଶ୍ୟକ ରାଜ୍ୟ ସରକାର ଯୋଗାଇ ଦେବେ। ଏହାର ବିକାଶ ପାଇଁ ସଂସ୍କୃତି, ପର୍ଯ୍ୟଟନ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ମିଳିତ ଭାବେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ କେନ୍ଦୁବିଲ୍ବ ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ବିକଶିତ କରିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଗୀତଗୋବିନ୍ଦ’ ଯୋଗୁ ଜୟଦେବଙ୍କୁ ମହାକବିର ମର୍ଯ୍ୟାଦା ମିଳିଛି। ଏହା ଆମର ସାଂସ୍କୃତିକ ଓ ଧାର୍ମିକ ଐତିହ୍ୟ ତଥା ପରମ୍ପରାକୁ ପରିପୁଷ୍ଟ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପର୍ଯ୍ୟଟନ ବିଭାଗର କମିସନର ତଥା ଶାସନ ସଚିବ ବଲବନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।