ରାୟଗଡ଼ା: ଭିଜିଲାନ୍ସ ଜାଲରେ ପଡ଼ିଥିବା ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଗିରଫ ହୋଇଥିବାର ଖବର ମିଳିଛି। ଗତକାଲି ରାତିରେ ତାଙ୍କଠାରୁ ଅନୈତିକ ଉପାୟରେ ଆୟ କରିଥିବା ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।
ସୂଚନା ଅନୁଯାୟୀ ଗତ ୮ ତାରିଖ ରାତିରେ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କଠାରୁ ଓଡିଶା ଭିଜିଲାନ୍ସର ଏକ ଟିମ୍ ବ୍ୟାଗରେ ଥିବା ନଗଦ ୫ ଲକ୍ଷ ୪,୫୬୦ ଟଙ୍କା ଜବତ କରିଥିଲା। ସେ ଏହି ଟଙ୍କାକୁ ନିଜ ବୁଲେଟରେ ନେଇ ଭଡ଼ାଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ବାଟରେ ଅଟକାଇଥିଲା। ନଗଦ ୫ ଲକ୍ଷ ୪,୫୬୦ ଟଙ୍କର କେଉଁ ସୂତ୍ରରୁ ସେ ଆୟ କରିଛନ୍ତି, ସେନେଇ ରାୟଗଡ଼ା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।
ଏହାପରେ ଭିଜିଲା୍ସ ଟିମ୍ ତାଙ୍କର ଭଡ଼ାଘରେ ଚଢ଼ାଉ କରିଥିଲା। ସେଠାରୁ ନଗଦ ୬ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା। ଏହିପରି ସମୁଦାୟ ନଗଦ ୧୧ ଲକ୍ଷ ୩୪, ୫୬୦ ଟଙ୍କା ଜବତକରିଥିଲା ଭିଜିଲାନ୍ସ ଟିମ୍। ରାୟଗଡ଼ାର ମଙ୍ଗଳା ମନ୍ଦିର ନିକଟରେ ଅବସ୍ଥିତ ତାଙ୍କ ଭଡ଼ାଘର , ଭୁବନେଶ୍ୱରର ପାତ୍ରପଡ଼ା କିଶୋର ବିହାର, ଲେନ୍-୨ରେ ଥିବା ତାଙ୍କ ପତ୍ନୀଙ୍କ ବାସଭବନ ଏବଂ ନବରଙ୍ଗପୁରର ମନ୍ତ୍ରୀଗୁଡ଼ାରେ ଥିବା ପୈତୃକ ଘରେ ଚଢ଼ାଉ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଅଧିକ ଖୋଳତାଡ଼ କରିବାକୁ କିଶୋର ଚନ୍ଦ୍ର ନାୟକଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ୍ ପଚରାଉଚରା କରୁଥିଲେ। ଏହି ଘଟଣା ନବରଙ୍ଗପୁରରେ ଚର୍ଚ୍ଚାର ବିଷୟ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp