ନୂଆବର୍ଷରୁ ଅବଢ଼ା ଦର, ଅନ୍‌ଲାଇନ୍ ଟିକେଟ୍

ପୁରୀ :‌ ନୂଆବର୍ଷରୁ ଆନନ୍ଦବଜାରରେ ଅବଢ଼ା ଦର ତାଲିକା ଲାଗିବ। ତାଲିକାରେ ଓଳି ମାପ ସହ ଦାମ୍‌ ଉଲ୍ଲେଖ ରହିବ। ଏହାଛଡା ନୂଆବର୍ଷରୁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ବି ଆରମ୍ଭ ହେବ। ନିର୍ଦ୍ଦିଷ୍ଟ ତାରିଖ ଘୋ‌ଷିତ ହୋଇନଥିଲେ ମଧ୍ୟ ଜାନୁଆରି ୨ କିମ୍ବା ୩ ତାରିଖରେ ଏହି ଦୁଇ ବ୍ୟବସ୍ଥା ଲାଗୁ ହେବ ବୋଲି ଜଣାପଡିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ସଦସ୍ୟ ଓ ବିଭିନ୍ନ ନିଯୋଗ କର୍ମକର୍ତାଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନୂଆବର୍ଷରେ ଦର୍ଶନ ବ୍ୟବସ୍ଥା ସାଙ୍ଗକୁ ନୀତି ଯେପରି ଶୃଙ୍ଖଳିତ ହେବ ତା’ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଇଂରାଜୀ ନବବର୍ଷରେ ପାଖାପାଖି ୬ ଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରିଛି ମନ୍ଦିର ପ୍ରଶାସନ। ଏଥି ପାଇଁ ବ୍ୟାରିକେଡ୍‌ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଥିଲେ, ଆଜିର ବୈଠକରେ ନୂଆବର୍ଷର ନୀତି ଓ ଦର୍ଶନ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଥିଲା। ପ୍ରତିବର୍ଷ ନୂଆବର୍ଷରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମେ। ଏ ବର୍ଷ ସାଢ଼େ ୫ ଲକ୍ଷରୁ ୬ ଲକ୍ଷ ଭକ୍ତ ଶ୍ରୀମନ୍ଦିର ଆସିବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷ କରି ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖ ଦୁଇଦିନ ଶ୍ରୀମନ୍ଦିରରେ ଭିଡ଼ ରହିବ। ଏହାକୁ ଆଖି ଆଗରେ ରଖି ସିଂହଦ୍ବାର ସମ୍ମୁଖରେ ବ୍ୟାରିକେଡ୍ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ପୂର୍ବରୁ ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକରେ ନୀତି ଚୂଡ଼ାନ୍ତ ହୋଇଥିଲା। ସେହି ଅନୁସାରେ ନୀତି କାର୍ଯ୍ୟ ସଂପାଦିତ ହେବ। ନୂଆବର୍ଷ ଉପଲକ୍ଷେ ୩୧ ତାରିଖ ରାତିରେ ସଅଳ ପହୁଡ଼ (ସାଢ଼େ ୯ଟା) ଏବଂ ରାତି ୨ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ଏହି ସମୟରେ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ ଓ ଅନ୍ୟ ଦ୍ବାରରେ ବାହାରିବେ। ଅଧିକାଂଶ ଭକ୍ତ ଉତ୍ତରଦ୍ବାର ଦେଇ ବାହାରୁଥିବାରୁ ଏଠାରେ ଭିଡ଼ ଜମୁଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର ଦ୍ବାରରେ ଥିବା ସମସ୍ତ ଦୋକାନ ଅସ୍ଥାୟୀ ଭାବେ ଉଠାଇ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ଅବଢ଼ା ଦର ତାଲିକା ସଂପର୍କରେ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ, ଚୂଡ଼ାନ୍ତ ଦର ତାଲିକା ପାଇଁ ବରାଦୀ ଭୋଗରେ ଯେଉଁ ଅବଢ଼ା ରୋଷେଇ ହୋଇଥିଲା ତାର ହିସାବ ସରିଛି। ଯଦିଓ ତାରିଖ ଚୂଡ଼ାନ୍ତ ହୋଇନାହିଁ, ଜାନୁଆରି ମାସରେ କିନ୍ତୁ ଏହି ଦର ତାଲିକା ଲାଗିବ। ଅନଲାଇନ୍ ଟିକେଟ୍ ବ୍ୟବସ୍ଥାର ବ୍ଲୁ-ପ୍ରିଣ୍ଟ ପାଇଁ ପ୍ରତିହାରୀ ନିଯୋଗକୁ ଦାୟିତ୍ବ ଦିଅଯାଇଥିଲା। ଏହି କାର୍ଯ୍ୟ ‌ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ପ୍ରତିହାରୀ ନିଯୋଗର ସଂପୃକ୍ତ କର୍ମକର୍ତା ପ୍ରକାଶ କରିଛନ୍ତି। ଟିକେଟ୍‌ ଦର ଧାର୍ଯ୍ୟ ହୋଇନାହିଁ। ପାରିମାଣିକ ଦର୍ଶନ ବନ୍ଦ ପରେ ସେବାୟତମାନେ ଯେଉଁ କ୍ଷତି ସହୁଥିଲେ, ଟିକେଟ୍ ଦର୍ଶନ ବ୍ୟବସ୍ଥାରୁ ତାର ଭରଣା କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ବୈଠକରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀ, ନୀତି ପ୍ରଶାସକ ବିଶ୍ବଜିତ ବିଶ୍ବାଳ, ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, କୃଷ୍ଣଚନ୍ଦ୍ର ସାମନ୍ତରାୟ, ବୈଦ୍ୟନାଥ ମହାସୁଆର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର