ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଭକ୍ତଙ୍କ ପାଇଁ ନିର୍ମାଣ ହେବ ଏକ ହଜାର କକ୍ଷ

ଭକ୍ତ ନିବାସରେ ରହିପାରିବେ ୬୦ ହଜାର ଭକ୍ତ

ଶ୍ରୀମନ୍ଦିର ନୀତି ପାଇଁ ଲୋଡ଼ାଯିବ ଶଙ୍କରାଚାର୍ଯ୍ୟଙ୍କ ମତ
୧୫ ଏକର ଜାଗାରେ ହେବ ସେବାୟତ ଗୁରୁକୁଳ
ମହାପ୍ରଭୁଙ୍କ ଜମିର ଆର୍‌ଓଆର୍‌ ପ୍ରସ୍ତୁତି ପାଇଁ ସବ୍‌କମିଟି

ପୁରୀ : ଶ୍ରୀମନ୍ଦିରକୁ ଦୈନିକ ହଜାର ହଜାର ସଂଖ୍ୟାରେ ଭକ୍ତ ଦର୍ଶନ ପାଇଁ ଆସୁଥିବା ବେଳେ ୬୦ ହଜାର ଭକ୍ତଙ୍କ ରହଣି ପାଇଁ ଏକ ହଜାର କକ୍ଷ ନିର୍ମାଣ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ପୁରୀ ପୌରାଞ୍ଚଳ ଅନ୍ତର୍ଗତ ମାଟିତୋଟାରେ ୬ଟି ଭକ୍ତ ନିବାସ ତିଆରି ହେବ। ସେବାୟତ ପିଲାମାନଙ୍କ ପାଠପଢ଼ା ପାଇଁ ମାଟିତୋଟାରେ ୧୫ ଏକର ଜାଗାରେ ସେବାୟତ ଗୁରୁକୁଳ ନିର୍ମାଣ କରାଯିବ। ଶ୍ରୀମନ୍ଦିରରେ ଯାହା କିଛି ନୀତିକାନ୍ତି ଅନୁଷ୍ଠିତ ହେଉଛି, ତା’ ଉପରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡ଼ାଯିବ। ପରାମର୍ଶକ୍ରମେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଜମି ସବ‌୍‌କମିଟି ଗଠନ କରାଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଆର୍‌ଓଆର୍ ପ୍ରସ୍ତୁତ ହେବ। ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର, ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂହ, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ିଙ୍କ ସମେତ ଅନ୍ୟ ସଦସ୍ୟ ଓ ଶ୍ରୀମନ୍ଦିର ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ରହିଥିଲା ଶ୍ରୀମନ୍ଦିର ଉପରେ ସୁପ୍ରିମ‌କୋର୍ଟଙ୍କ ଅନ୍ତରୀଣ ଆଦେଶ। ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ନେଇ ୨୩ଟି ଅନ୍ତରୀଣ ଆଦେଶ ଦେଇଥିବାବେଳେ ଏହା କିପରି ପାଳନ କରାଯାଇ ପାରିବ ସେ ଉପରେ ବିଚାରବିମର୍ଶ ହୋଇଥିଲା।

ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ଉପରେ କହିଥିଲେ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ନୀତିକାନ୍ତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରରେ ଯେଉଁ ନୀତିକାନ୍ତି ହେଉଛି ସେ ସଂପର୍କରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ଲୋଡ଼ିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଥିଲେ। ଏହି ଆଦେଶକୁ ପରିପାଳନ କରିବାକୁ ଯାଇ ଶ୍ରୀମନ୍ଦିରରେ ଯାହା କିଛି ନୀତିକାନ୍ତି ଅନୁଷ୍ଠିତ ହେଉଛି, ସେ ସଂପର୍କରେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବାକୁ ପରିଚାଳନା କମିଟି ନିଷ୍ପତ୍ତି ନେଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିଭଳି ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା, ଉନ୍ନୟନ କାର୍ଯ୍ୟ, ରୋଷଘର ଓ ଆନନ୍ଦବଜାରର ଅବ୍ୟବସ୍ଥା, ଭକ୍ତଙ୍କ ରହଣି ସଂପର୍କରେ ଦୃଷ୍ଟି ଦେବାକୁ ଆଦେଶ ଦେଇଥିଲେ।

ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଛନ୍ତି, ମାନ୍ୟବର ସୁପ୍ରିମକୋର୍ଟ ପୁରୀରେ ୬୦ ହଜାର ଭକ୍ତଙ୍କ ରହଣି ସହ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଆଦେଶ ଦେଇଥିଲେ। ଭକ୍ତଙ୍କ ରହଣି ପାଇଁ ପରିଚାଳନା କମିଟି ଭକ୍ତ ନିବାସ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛି। ପ୍ରାଥମିକ ପର୍ଯ୍ୟାୟରେ ମାଟିତୋଟାରେ ଶ୍ରୀଜଗନ୍ନାଥଙ୍କ ୬ଟି ପ୍ଲଟ୍ ଉପରେ ଭକ୍ତ ନିବାସ ନିର୍ମାଣ ପାଇଁ ଚିହ୍ନଟ ହୋଇଛି। ପ୍ରତି ପ୍ଲଟ୍‌ର ଆକାର ଏକ ଏକର ଲେଖାଏଁ ରହିବ। ଏଠାରେ ୬ଟି ଭକ୍ତ ନିବାସ ନିର୍ମାଣ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ପୁରୀ ସହର ଓ ଏହାର ଆଖପାଖ ଅଞ୍ଚଳରେ ଜାଗା ଚିହ୍ନଟ କରାଯାଇ ଭକ୍ତନିବାସ ନିର୍ମାଣ କରାଯିବ। ଏହାର ନିର୍ମାଣ ପାଇଁ ବିଭିନ୍ନ ଦାତବ୍ୟ ଟ୍ରଷ୍ଟ ସହ ବିଭିନ୍ନ କମ୍ପାନିର ସିଏସ୍‌ଆର୍‌ ପ୍ରକଳ୍ପର ସହଯୋଗ ଲୋଡ଼ାଯିବ। ଦାନ ଅର୍ଥ ଆକାରରେ ଯେପରି ଏହାର ନିର୍ମାଣ କାର୍ଯ୍ୟ ସମାପନ ହେବ ସେ ନେଇ ଅନୁରୋଧ କରାଯିବ। ଜାନୁଆରିରେ ଏ ସଂପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ମାଟିତୋଟାରେ ୫ କୋଟି ଟଙ୍କା ଓ ଏହାର ସୁଧ ଅର୍ଥରେ ୧୫ ଏକର ଜାଗାରେ ସେବାୟତ ଗୁରୁକୁଳ ନିର୍ମାଣ ହେବ। ବିଦ୍ୟାଳୟ ପରିଚାଳନା ‌ପାଇଁ ଜାନୁଆରିରେ ବିଜ୍ଞପ୍ତି ପ୍ରକାଶ ପାଇବ। ଗୁରୁକୁଳ ପାଇଁ ସ୍ବତନ୍ତ୍ର ଆକାଉଣ୍ଟ ବି ଖୋଲାଯିବ। ୫ କୋଟିର ଅନୁଦାନ ସହ ଏ ବାବଦ ସୁଧ ଯେପରି ସୁବିଧାରେ ମିଳିପାରିବ, ସେଥିପାଇଁ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରାଯିବ। ଏଥି ସହ ସିଏସ୍‌ଆର୍‌ ପ୍ରକଳ୍ପରେ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବାକୁ ବି ବିଭିନ୍ନ କମ୍ପାନିଙ୍କ ସହ ଆଲୋଚନା ହେବ। ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଅତ୍ୟାବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯିବ। ଶୃଙ୍ଖଳିତ ଦର୍ଶନ ସହ ପିଇବା ପାଣି ଓ ଅନ୍ୟାନ୍ୟ ସୁବିଧା କରାଯିବ।

୭୫ ମିଟର ସୌନ୍ଦର୍ଯ୍ୟୀକରଣ ଯୋଜନା ନକ୍ସା ଜାନୁଆରି ଶେଷ ସୁଦ୍ଧା ପ୍ରସ୍ତୁତି କରି ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ ହେବ। ସେବାୟତଙ୍କ ପରିଚୟପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବାକି ଯେଉଁମାନେ ପରିଚୟପତ୍ରରୁ ବଞ୍ଚିତ ହୋଇଛନ୍ତି ସଂପୃକ୍ତ ନିଯୋଗମାନଙ୍କ ସହାୟତାରେ ସେମାନଙ୍କୁ ପରିଚୟପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ‌ହୋଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସୁପ୍ରିମକୋର୍ଟ କହିଥିଲେ, ଶ୍ରୀମନ୍ଦିରର ୬୦ ହଜାର ୧୪୮ ଏକର ଜାଗା ବିଭିନ୍ନ ସ୍ଥାନରେ ରହିଥିଲେ ବି ଆଜି ସୁଦ୍ଧା କେବଳ ୩୪ ହଜାର ୨୦୦.୯୭୬ ଏକର ଜାଗାର ରେକର୍ଡ ଅଫ୍ ରାଇଟ୍ସ ପ୍ରସ୍ତୁତ ହୋଇପାରିଛି। ବାକି ଜମିର ଆର୍‌ଓଆର୍‌ ପ୍ରସ୍ତୁତ ପାଇଁ ଯୋଜନା କରାଯାଉଛି। କିନ୍ତୁ ଆବଶ୍ୟକ ଅଧିକାରୀ ନ ଥିବାରୁ ଏହି କାମ ସଂପାଦନ ହେବାରେ ବିଳମ୍ବ ହେଉଛି। ଅଧିକ ଅଧିକାରୀ ଓ କର୍ମଚାରୀ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟ ପରିଚାଳନା ପାଇଁ ଏକ ଜମି ସବ୍‌କମିଟି ଗଠନ କରାଯାଇଛି।

ସେହିଭଳି ଶ୍ରୀମନ୍ଦିରରୁ ନିର୍ଗତ ଆବର୍ଜନା ପରିଚାଳନା ପାଇଁ ଶ୍ରୀମନ୍ଦିର ବାହାରେ ପ୍ଲାଣ୍ଟ୍‌ ସ୍ଥାପନ ସହ ଭକ୍ତଙ୍କ ଗାଡି ପାର୍କିଂ ସୁବିଧା ଆଦି ଉପରେ ବି ବିସ୍ତୃତ ଆଲୋଚନା ହୋଇଥିବା ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ବ୍ୟାଙ୍କ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ଦାନ ସୁନାରୁପା ଆଦି ଅଳଙ୍କାରର ହିସାବ ପାଇଁ ଏକ ଅର୍ଥ ସବ୍‌କମିଟି ଗଠନ କରାଯାଇ ଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ଏହି କମିଟି ସଂପୂର୍ଣ୍ଣ ହିସାବ ଦେବା ପରେ ସୁପ୍ରିମକୋର୍ଟଙ୍କୁ ଏହାର ସଂପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର