ପୁରୀ : ଚଳିତବର୍ଷ ଜୁନ ଭିତରେ ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ନିର୍ମାଣ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଅଣତାରକା ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ମାର୍ଗ ନିର୍ମାଣରେ କେତେ ଅର୍ଥ ବ୍ୟୟ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ସେହିଭଳି ଏହାଦ୍ବାରା କେତେ ଲୋକ ବିସ୍ଥାପିତ ହୋଇଛନ୍ତି ଓ ସେମାନଙ୍କୁ କେତେ ଅର୍ଥ ପ୍ରଦାନ କରାଯାଇଛି, କେଉଁ କେଉଁ ପ୍ରକଳ୍ପକୁ କେତେ ଅର୍ଥ ବ୍ୟୟ ବରାଦ ହୋଇଛି, ଅଦ୍ୟାବଧି ୨୦୨୩ ଫେବ୍ରୁଆରି ସୁଦ୍ଧା ଏଥିରୁ କେତେ ଅର୍ଥ ବାକି ରହିଛି, ଏଥିରୁ କେତେ ପରିମାଣର ଅର୍ଥ କେନ୍ଦ୍ର ସରକାର ଦେଇଛନ୍ତି ଓ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ କେତେ ଅର୍ଥ ଖର୍ଚ୍ଚ କରିଛନ୍ତି, କେବେ ସୁଦ୍ଧା ଏହି ପ୍ରକଳ୍ପ ସରିବ ଆଦି ଶ୍ରୀ ଷଡ଼ଙ୍ଗୀ ବିଧାନସଭାରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।
ଏହାର ଜବାବରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ମାର୍ଗ ନିର୍ମାଣରେ ସରକାର ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି) ଦ୍ବାରା ୮୭.୩୭ କୋଟି ଅର୍ଥ ବ୍ୟୟ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ୩୦୯ଜଣ ଲୋକ ବିସ୍ଥାପିତ ହୋଇଛନ୍ତି। ଜମି ଅଧିଗ୍ରହଣ ପୁନର୍ବାସ ଓ ଥଇଥାନ ଯୋଜନା ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯାଉଛି। ବିଭିନ୍ନ ସମୟରେ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ପ୍ରକଳ୍ପର ଆବଶ୍ୟକତା ଅନୁଯାୟୀ ଅର୍ଥ ବ୍ୟୟ କରୁଛନ୍ତି। ଏହି ପ୍ରକଳ୍ପ ଜୁନ ୨୦୨୩ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/srimandir-bkm.jpg)