ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରି ବୈଠକ
ଆଜି ହାଇକୋର୍ଟରେ ଦାଖଲ ହେବ ସତ୍ୟପାଠ
ରଥଯାତ୍ରା ପରେ ଖୋଲିବ ଜଗମୋହନ

Advertisment

ପୁରୀ : ରତ୍ନଭଣ୍ଡାର ମରାମତି ଆବଶ୍ୟକ। ଆଜି ଭୁବନେଶ୍ୱରସ୍ଥିତ ସ୍ପେସାଲ୍‌ ସର୍କିଟ୍‌ ହାଉସ୍‌ ବା ସ୍ୱତନ୍ତ୍ର ପ୍ରଦକ୍ଷଣ ପ୍ରକୋଷ୍ଠରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏଭଳି ସୂଚନା ଦେଇଛନ୍ତି। କହିଛନ୍ତି, ଇଞ୍ଜିନିୟରମାନେ ଆଜି ଏକ ପ୍ରାଥମିକ ରିପୋର୍ଟ ଦେଇଛନ୍ତି ଓ ତା ଆଧାରରେ ଆସନ୍ତାକାଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯିବ। ୭ ଦିନ ମଧ୍ୟରେ ଅନୁଧ୍ୟାନ ସଂପର୍କିତ ବିଶଦ ରିପୋର୍ଟ ମିଳିବା ପରେ ଠୋସ୍‌ ପଦକ୍ଷେପ ନିଆଯିବ। ଏଥିସହିତ ଜଗମୋହନ ଖୋଲିବା, ନାଟମଣ୍ଡପ ମରାମତି ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।

ଉଲ୍ଲେଖଯୋଗ୍ୟ, ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରି ବୈଠକ ବସିଥିଲା। ଏହି ବୈଠକରେ ଯାଞ୍ଚ ସଂପର୍କିତ ପ୍ରାରମ୍ଭିକ ସୂଚନା ମୁଖ୍ୟ ପ୍ରଶାସକ ଦେଇଥିଲେ। ମରାମତି ଆବଶ୍ୟକ ବୋଲି ବୈଠକରେ ସହମତି ହୋଇଥିଲା। ଏଏସ୍‌ଆଇ କର୍ତ୍ତୃପକ୍ଷ ପ୍ରାରମ୍ଭିକ ଯାଞ୍ଚ କରିଥିଲେ ହେଁ, ମରାମତି ପୂର୍ବରୁ ବିସ୍ତତ ଭାବେ ସ୍ଥିତି ଅନୁଧ୍ୟାନ କରିବେ। ଏହା ପରେ ଯାଇ ମରାମତି ପାଇଁ ପଦକ୍ଷେପ ନିଆଯିବ। ସମ୍ଭବତଃ ବର୍ଷା ଦିନେ ବା ମହାପ୍ରଭୁ ରଥଯାତ୍ରାରେ ଥିବା ବେଳେ ଏହାର ମରାମତି ହୋଇପାରେ।

ପରିଚାଳନା କମିଟି ବୈଠକରେ ଜଗମୋହନ ଭକ୍ତମାନଙ୍କ ପାଇଁ ଖୋଲାଯିବା ସଂପର୍କରେ ବି ଆଲୋଚନା ହୋଇଥିଲା। ସ୍ଥିର ହୋଇଥିଲା ଯେ ଏଏସ୍‌ଆଇ ରଥଯାତ୍ରା ମଧ୍ୟରେ ତାଙ୍କର ବକେୟା କାମ ସାରିବେ। ରଥଯାତ୍ରା ପରେ ଜଗମୋହନ ଭକ୍ତଙ୍କ ପାଇଁ ଖୋଲାଯିବ। ଏହା ପୂର୍ବରୁ ସେବାୟତଙ୍କ ପ୍ରାପ୍ୟ ସଂପର୍କିତ ସମସ୍ୟାର ସମାଧାନ ରାସ୍ତା କଢାଯିବ। ସଂପୃକ୍ତ ସେବାୟତ ବର୍ଗଙ୍କ ସହିତ ମୁଖ୍ୟ ପ୍ରଶାସକ ଆଲୋଚନା କରିବେ ଓ ଛତିଶା ନିଯୋଗ ବୈଠକରେ ମଧ୍ୟ ଚର୍ଚ୍ଚା ହେବ। ଏହା ପରେ ଭକ୍ତଙ୍କୁ ଭିତରକାଠରୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହାଇକୋର୍ଟଙ୍କୁ ସତ୍ୟପାଠ ଆଧାରରେ ଜଣାଇ ଦିଆଯିବ।

ନାଟମଣ୍ଡପ କେବେ ମରାମତି ହେବ, ସେ ନେଇ ବି ଚର୍ଚ୍ଚା ହୋଇଥିଲା। ପୂର୍ବରୁ ଏଥିପାଇଁ ୯୦ ଦିନ ସମୟ ଲାଗିବ ବୋଲି ଏଏସ୍‌ଆଇ ସୂଚାଇଥିଲେ। ହେଲେ ନିର୍ଦିଷ୍ଟ କେତେ ଦିନ ମଧ୍ୟରେ ଏହାର ମରାମତି ହୋଇପାରିବ, ସେ ସଂପର୍କିତ ଏକ ରିପୋର୍ଟ ଏଏସ୍‌ଆଇକୁ ମଗାଯିବାକୁ ସ୍ଥିର ହୋଇଛି। ଏଏସ୍‌ଆଇ ଏହି ତଥ୍ୟ ଦେବା ପରେ ପରିଚାଳନା କମିଟିରେ ମରାମତି ସଂପର୍କରେ ବିଶଦ ଆଲୋଚନା କରାଯିବ। ଆଜିର ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ।