ଭଦ୍ରକ : ଭଦ୍ରକର ପ୍ରସିଦ୍ଧ ଶ୍ରୀରାମ ନବମୀ ମହୋତ୍ସବର ଆଜି ପାରମ୍ପରିକ ନଗର ସଙ୍କୀର୍ତ୍ତନ ଶୋଭାଯାତ୍ରାରେ ଗେରୁଆମୟ ହୋଇଥିଲା ଭଦ୍ରକ ସହର। ୭୦ରୁ ଅଧିକ ମେଢ଼ ଓ ୫୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଜୟ ଶ୍ରୀରାମ ଧ୍ୱନିରେ କମ୍ପି ଉଠିଥିଲା ସହର। ଘଣ୍ଟା, କୀର୍ତ୍ତନ, ପାରମ୍ପରିକ ବାଦ୍ୟରେ ସହର ଉଠୁଥିଲା ପଡୁଥିଲା। ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅପରାହ୍ଣ ୩ଟାରୁ ନେହେରୁ ଷ୍ଟାଡିୟମରୁ ଶୋଭାଯାତ୍ରା ବାହାରି ବନ୍ତ ଛକ, ମେଡିକାଲ ଛକ, କୁଆଁଶ, ରାଜଘାଟ ଛକ, ଚନ୍ଦନବଜାର, ପୁରୁଣାବଜାର, ଲାହପଟି, ଶଙ୍କରପୁର, ନଙ୍ଘାମହଲା, ମହିଳା କଲେଜ ଛକ, ସନ୍ତିଆ ଛକ, କୋର୍ଟ ରୋଡ ଦେଇ ରାତି ୧୦ଟାରେ ଗାନ୍ଧି ପଡିଆରେ ପହଞ୍ଚିଥିଲା। ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥ ଯୋଗ ଦେଇ ସନ୍ଧ୍ୟା ୬ଟାରେ ଯଜ୍ଞର ପୂର୍ଣ୍ଣାହୁତି ଦେଇଥିଲେ। ଶୋଭାଯାତ୍ରା ବେଳେ ସହରର ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ୧୦୦ ଜଣ ପୁଲିସ ଅଫିସର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ। ୨୦ ଜଣ ମାଜିଷ୍ଟ୍ରେଟ ନିୟୋଜିତ ହୋଇଥିଲେ। ସେହିପରି ୧୪୪ଧାରାକୁ ଅପରାହଣ ୩ଟାରୁ ରାତି ୧୦ଟା ପଯ୍ୟର୍ନ୍ତ କୋହଳ କରାଯାଇଥିଲା। ଇଣ୍ଟରନେଟ ସେବାକୁ ମଧ୍ୟ ୨୬ତାରିଖ ପଯ୍ୟର୍ନ୍ତ ବନ୍ଦ କରାଯାଇଛି। ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ, ଉତ୍ତରାଞ୍ଚଳ ଆଇଜି ବିନୟତୋଷ ମିଶ୍ରା, ଏସପି ଅନୁପ କୁମାର ସାହୁ ଓ ନୂତନ ଏସପି ପି. ଗଙ୍ଗାଧର ବାଟୁଳାଙ୍କ ସହ ଜିଲ୍ଲାର ବିଭିନ୍ନ ଏସଡିପିଓ, ବିଭିନ୍ନ ଥାନାର ଅଧିକାରୀ, ୩ କମାଣ୍ଡାଣ୍ଟ ଆଇନଶୃଙ୍ଖଳା ଉପରେ କଡା ନଜର ରଖିଥିଲେ।
ସଂକୀର୍ତନ ଶୋଭାଯାତ୍ରାରେ କମ୍ପିିଲା ସହର
ଭଦ୍ରକର ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ ଉଦ୍ଯାପିତ