ନେତାଙ୍କ ପ୍ରତିଶୃତି ଜାଲରେ ଶ୍ରୀ ଶାରଳା ସୂତାକଳ

କିଏ ପୁନଃ ଉଦ୍ଧାର କରିବ ଶ୍ରୀ ଶାରଳା ସୂତାକଳ?

ଜଗତସିଂହପୁର ଟାଉନ୍: ନିର୍ବାଚନ ଆସୁଛି ଯାଉଛି । ନେତା ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରୁଛନ୍ତି । ହେଲେ ନିର୍ବାଚନ ସରିଯିବା ପରେ ଯିଏ ବିଜୟ ହେଉଛି ସେ ଦେଇଥିବା ପ୍ରତିଶ୍ରୁତିକୁ ଭୂଲି ଯାଉଛି । ପରାଜୟ ବରଣ କରୁଥିବା ବିରୋଧୀ ମଧ୍ୟ ନିରବି ଯାଉଛନ୍ତି । ଫଳରେ ନିର୍ବାଚନ ମଣ୍ଡଳୀରେ ରହୁଥିବା ସମସ୍ୟା ଓ ସମ୍ଭାବନାକୁ କେବଳ ନିର୍ବାଚନ ସମୟରେ ଅସ୍ତ୍ର କରି ପ୍ରାର୍ଥୀ ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ଯାହା ତିର୍ତ୍ତୋଲରେ ଥିବା ଶାରଳା ସୂତାକଳକୁ ଉଦାହରଣ ରୂପେ ନିଆଯାଇପାରେ । ଦୀର୍ଘ ୨୦ ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ନାଉସୀରାରେ ରହିଛି ଶ୍ରୀ ଶାରଳା ବୁଣାକାର ସମବାୟ ସୂତା କଳ ଲିଃ । ଯେଉଁଠି ଦିନେ ହଜାର ହଜାର ଶ୍ରମିକ ରୋଜଗାରର ପନ୍ଥା ପାଇଥିଲେ ।

ହେଲେ ଦୀର୍ଘ ୨୦ ବର୍ଷ ହେବ ବନ୍ଦ ହୋଇଯିବାରୁ ଧୀରେ ଧୀରେ ଜରାଜୀର୍ଣ୍ଣ ଅବସ୍ଥା ପାଲଟି ଯାଇଛି |ଫାଟକରେ ତାଲା ଝୁଲୁଛି । ସବୁ କିଛି ଭାଙ୍ଗି ରୁଜି ଗଲାଣି । ଭିତରକୁ ଚାହିଁଲେ ଅନାବନା ଗଛରେ ପରିପୂର୍ଣ୍ଣ । ଇଟା, ରଡ, ସିମେଣ୍ଟ, ବାଲିରେ ତିଆରି କୋଠା ଘର ଗୁଡ଼ିକୁ ଯେମିତି ଗଛ ଲତା କବଳିତ କରିଛି । ଚାରିଆଡେ ଶୂନଶାନ୍ । ନିର୍ଜନତା ଯେମିତି ଏଠି ରାଜ୍ କରୁଛି । କେହି ବିଶ୍ୱାସ କରିବେ ନାହିଁ ଯେ ଏଠି ଦିନେ କୋଳାହଳ ଲାଗି ରହିଥିଲା । ସକାଳ ସାଇରନରେ ଲୋକଙ୍କ ନିଦ ଭାଙ୍ଗୁଥିଲା । ମେସିନର ଗର୍ଜନରେ ଏଠି ହଜାର ହଜାର ଶ୍ରମିକ କାମ କରି ପରିବାର ପ୍ରତି ପୋଷଣ କରୁଥିଲେ । ସୂଚନା ଅନୁସାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବହ୍ଲଭ ପଟ୍ଟନାୟକଙ୍କ ସମୟରେ ୩୦ ଏକରରୁ ଅଧିକ ଜମିରେ ଶାରଳା ସୂତାକଳ ଆରମ୍ଭ ହୋଇଥିଲା । ଏଥିପାଇଁ ସରକାର ୧୨ କୋଟି ଟଙ୍କା ବ୍ୟୟ କରିଥିଲେ ।

ସୂତାକଳ ୧୯୮୨ରେ ଆରମ୍ଭ ହୋଇଥିବା ବେଳେ ୧୯୮୪ରେ ସୂତା ପ୍ରଡକ୍ସନ ହୋଇଥିଲା । ସମବାୟ ଭିତ୍ତିରେ ଆରମ୍ଭ ହୋଇଥିବାରୁ ସରକାର ବୁଣାକାର ମାନଙ୍କୁ ପଚାଶ ପ୍ରତିଶତ ସବସିଡ ଦେଉଥିଲେ । ପ୍ରାୟ ୨୦୦ ଅଧିକାରୀ ଓ ୧୩୦୦ କର୍ମଚାରୀଙ୍କୁ ନେଇ ଚାଲିଥିଲା ସୂତାକଳ । ଏହା ଭିତରେ ଭିତରେ ଗେଷ୍ଟ ହାଉସ୍, ଷ୍ଟାଫ୍ କ୍ୱାଟର ସହ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିଲା । ସୂତାକଳକୁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର, ମହାରାଷ୍ଟ୍ର ଏବଂ ପାକିସ୍ତାନ ଭଳି ବାହାର ଦେଶରୁ କଞ୍ଚାମାଲ୍ ଆସୁଥିଲା । ଏଠାରେ ଥିବା କୂଶଳି କାରିଗର ମେସିନ୍ ସାହାଯ୍ୟରେ ସୂତା ପ୍ରସ୍ତୁତ କରୁଥିଲେ । କଲିକତା, ଗୁଜୁରାଟ ସମେତ ଏହାର ଅଧିକ ଚାହିଦା ଥିବାରୁ ଜାହାଜରେ ଏଠାକାର ସୂତା ସାଉଥ୍ କୋରିଆ ମଧ୍ୟ ରପ୍ତାନୀ ହେଉଥିଲା । ସେତେବେଳେ ପାଖାପାଖି ୪୦ ଜଣ ତନ୍ତିକୁ ପ୍ରତି ମାସରେ ଦୁଇ ବେଲ୍ ସୂତା(ଗୋଟିଏ ବେଲ୍ ୧୮୧ କିଲୋ ହିସାବରେ ଦୁଇ ବେଲକୁ ୩୬୨ କିଲୋ) ୫୦ ପ୍ରତିଶତ ରିହାତିରେ ଦିଆଯାଉଥିଲା । ଏଥିପାଇଁ ସରକାର ସେତେବେଳେ ପ୍ରାୟ ୭ ଲକ୍ଷ ଟଙ୍କା ଦେଉଥିଲେ । କିଛି ଦିନ ପରେ ସରକାର ତନ୍ତିଙ୍କୁ ଦେଉଥିବା ୫୦ ପ୍ରତିଶତ ରିହାତି ବନ୍ଦ କରିଦେଲେ ।

ଏହି ସମୟରେ କର୍ମଚାରୀଙ୍କ ଦରମା ବଢ଼ାଇ ଦିଆଗଲା । ଫଳରେ ସୂତାକଳ ଚଳାଇବା କଷ୍ଟକର ହୋଇ ପଡ଼ିଲା । ଏହାପରେ ୧୯୯୯ ମସିହା ମହାବାତ୍ୟାରେ ସୂତାକଳ ବହୁଳ ମାତ୍ରାରେ କ୍ଷତି ସହିଲା । ସେତେବେଳେ ସରକାର ୮୫ ଲକ୍ଷ ଟଙ୍କା ରିପାରିଂ ପାଇଁ ଦେଇଥିଲେ । ହେଲେ ସେଥିରେ ସମ୍ପୂର୍ଣ୍ଣ ମରାମତି ହୋଇ ପାରିଲା ନାହିଁ । ପରେ ପରେ ସରକାରଙ୍କ ଆନ୍ତରିକତା ଅଭାବରୁ ସୂତାକଳ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । କରୋନା ସମୟରେ ବାହାରୁ ଫେରୁଥିବା ପ୍ରବାସୀଙ୍କୁ ରୋଜଗାରକ୍ଷମ କରାଇବାକୁ ସୂତାକଳ ଚାଲୁ କରିବା ପାଇଁ ସମ୍ବାଦ ଦାବି ଉଠାଇଥିଲା । ଯେଉଁଥିରେ ସ୍ଥାନୀୟ ଲୋକଙ୍କ ସହ ରାଜନେତା ମଧ୍ୟ ସାମିଲ ହୋଇଥିଲେ । ଏମିତିକି ତତ୍କାଳୀନ ବିଧାୟକ ବିଷ୍ଣୁ ଦାସ ମଧ୍ୟ ସହମତି ପ୍ରକାଶ କରିଥିଲେ । ଜଗତସିଂହପୁର ଜିଲ୍ଲାରୁ ଯାଇ ସୂରଟର ସୂତା କଳରେ ସୂତା କାଟୁଥିବା କୁଶଳୀ ଶ୍ରମିକଙ୍କ ସଂଖ୍ୟା ୫ ଶହରୁ ଅଧିକ । ପ୍ରାୟ ୧୦ରୁ ୧୫ କୋଟି ଟଙ୍କା ବ୍ୟୟ ହେଲେ ପୁଣି ଥରେ ସୂତାକଳ ଚାଲି ପାରିବ ବୋଲି କୁହାଯାଉଛି ।

ଏହା ଦ୍ୱାରା ଜିଲ୍ଲାର ପ୍ରାୟ ୫ ହଜାର ଲୋକ ନିଯୁକ୍ତି ପାଇ ପାରିବା ସହ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ହଜାର ହଜାର ଲୋକ ଉପକୃତ ହେବେ । ଏଠି ୨୦ ବର୍ଷ ହେବ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିବାରୁ ଏଠି କିଛି ମୁଷ୍ଟିମେୟ ଲୋକ ଭିତରେ ଜମିକୁ ନିଜ ଅକ୍ତିଆରରେ ରଖିଛନ୍ତି । ଯନ୍ତ୍ରାଶକୁ ଭାଙ୍ଗି ରୁଜି ବିକ୍ରି କରାଯାଇଛି । ଭିତରେ ଗେଷ୍ଟ ହାଉସ୍, ଷ୍ଟାଫ୍ କ୍ୱାଟରକୁ ଅସାଧୁଙ୍କ ହାତରେ ଟେକି ଦିଆଯାଇଛି । ଏହା ଦାୟିତ୍ୱରେ ଥିବା ଅଧିକାରୀ କଟକରେ ବସି କେବଳ ହୁକୁମ୍ ଚଲାଉଥିବା ଅଭିଯୋଗ ହେଉଛି । ତେବେ ସୂତାକଳ ଚାଲୁ କରିବା ନେଇ ୨୦୦୦ ମସିହାରୁ ପ୍ରମୁଖ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ଲୋକଙ୍କୁ ଭରଷା ଦେଇଛନ୍ତି । ଏଥର ମଧ୍ୟ ତିନି ଦଳର ପ୍ରାର୍ଥୀ ସୂତା କଳ ଚାଲିବା କଥା କହି ଲୋକଙ୍କ ନିକଟକୁ ଯାଉଛନ୍ତି । ହେଲେ କେବେ ଏହି ସ୍ୱପ୍ନ ପୂରଣ ହେବ ତାକୁ ଦେଖିବାକୁ ବାକି ରହିଲା ।
କଣ କହିଥିଲେ ସ୍ୱର୍ଗତ ବିଷ୍ଣୁ ଦାସ?
ସେତେବେଳେ ବରିଷ୍ଠ ବିଜେଡି ନେତା ତଥା ବିଜେଡି ବିଧାୟକ ଶାରଳା ସୂତାକଳ ଚାଲିବାକୁ ନେଇ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଶାରଳା ସୂତାକଳ ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛନ୍ତି । ଶାରଳା ସୂତାକଳ ପୁନଃଉଦ୍ଧାର ପାଇଁ ଶହେ କୋଟି ଟଙ୍କା ଲାଗିବ । ଫାଇଭ୍-ଟି ସଚିବ ଓ ମନ୍ତ୍ରୀ ତିର୍ତ୍ତୋଲ ଆସି ସୂତାକଳ ଦେଖିବା ପରେ ବିଧିବଦ୍ଧ ଯୋଜନା କରାଯିବ । ସୂତାକଳ ଚାଲିଲେ ଆମ ଜିଲ୍ଲାର ଶ୍ରମିକ କାମ ପାଇବେ ଏହା ଜଗତସିଂହପୁରର ଗୌରବ ବଢ଼ିବ । ଏଥିପାଇଁ ସବୁପ୍ରକାର ଚେଷ୍ଟା କରାଯିବ ବୋଲି କହିଥିଲେ । ହେଲେ ତାଙ୍କୁ ଦେହାନ୍ତ ହୋଇ ଯାଇଛି । ଫଳରେ ଅଧା ରହି ଯାଇଛି ତାଙ୍କ ସ୍ୱପ୍ନ ।

ହିମାଂଶୁ ଭୂଷଣ ମଲ୍ଲିକ, କଂଗ୍ରେସ ପ୍ରାର୍ଥୀ
କଂଗ୍ରେସ ସରକାର ସମୟରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ସମୟରେ ଶାରଳା ସୂତାକଳ ହୋଇଥିଲା । କଂଗ୍ରେସ ଦୂରଦୃଷ୍ଟି ରଖି ଏଠି ଲୋକଙ୍କୁ ରୋଜଗାର ଦେଇଥିଲା । ହେଲେ ବିଜେଡି ସରକାର ୨୦୦୦ ମସିହାରୁ ଆସିବା ପରେ ଆଉ ଏହାକୁ ଗୁରୁତ୍ୱ ଦିଆଗଲା ନାହିଁ । ଫଳରେ ଧୀରେ ଧୀରେ ଜରାଜୀର୍ଣ୍ଣ ହୋଇଯାଇଛି । ବିଜେପି ଓ ବିଜେଡି ସୂତାକଳକୁ ପୁନଃ ଉଦ୍ଧାର କଥା କହିବା ହାସ୍ୟାସ୍ପଦ କଥା । କାରଣ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ରହିଛନ୍ତି । ସେମାନେ ଚାହିଁଥିଲେ ସୂତାକଳ ହୋଇ ସାରନ୍ତାଣି । କିନ୍ତୁ ସେମାନେ ଲୋକଙ୍କୁ ଭୂଆଁ ବୁଲାଇ ଭୋଟ୍ ନେବାକୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି । କଂଗ୍ରେସ ବିଜୟୀ ହେଲେ ନିଶ୍ଚୟ ସୂତାକଳ ଖୋଲିବ । କେବଳ ସୂତାକଳ କାହିଁକି ତିନୋଟି ବ୍ଳକରେ ଶିଳ୍ପ ପ୍ରତିଷ୍ଠା କରାଯିବ । ଘରେ ରହି ଲୋକ ରୋଜଗାର କିପରି କରିବେ ତାହାର ସୁବ୍ୟବସ୍ଥା କରାଯିବ ।

ରାଜକିଶୋର ବେହେରା, ବିଜେପି ପ୍ରାର୍ଥୀ
ଦେଖନ୍ତୁ ରାଜ୍ୟରେ ୨୦ ବର୍ଷ ହେବ ବିଜେଡି ସରକାର ରହିଛି । ୨୦ ବର୍ଷ ହେବ ସୂତାକଳ ବନ୍ଦ ହୋଇ ପଡ଼ିଛି । ଲଗାତାର ଭାବେ ବିଜେଡି ଏଠାରେ ବିଜୟୀ ହେଉଛି । ଯଦି ଆନ୍ତରିକତା ଥାଆନ୍ତା ତେବେ ସୁତାକଳ ଭଳି ଏକାଧିକ ଶିଳ୍ପ ଏଠାରେ ପ୍ରତିଷ୍ଠା ହୋଇ ସାରିଥାନ୍ତା । ହେଲେ ତାହା ହୋଇ ନାହିଁ । ମୋର ଯାହା ବିଶ୍ୱାସ ଏଥର ବିଜେପିକୁ ଲୋକ ଗ୍ରହଣ କରିଛନ୍ତି । ବିଜେପିର ବିଜୟ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଚାର ଧାରାରେ ଏଠାରେ ସୂତାକଳର ପୁନଃ ଉଦ୍ଧାର କରାଯାଇ ପାରିବ । ଏହା କିଛି ବଡ଼ କଥା ନୁହେଁ । ଯଦି ଏବେର ସମୟରେ ସୂତାକଳ ପାଇଁ ଅନୂକୂଳ ନହୁଏ ତେବେ ଭିତ୍ତିଭୂମି ତ ଅଛି । ଅନ୍ୟ କିଛି ଶିଳ୍ପ କରାଯାଇ ପାରିବ । ବାହାରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ହଜାର ହଜାର ଲୋକ କର୍ମସଂସ୍ଥାନ ପାଇ ପାରିବେ ।

ସମ୍ବନ୍ଧିତ ଖବର