ଖୁବ୍‌ଶୀଘ୍ର ନିର୍ମାଣ ହେବ ଶ୍ରୀସେତୁ, ୩୧୭ କୋଟିରେ ନେଲା ଆରକେଡି

ଭୁବନେଶ୍ୱର : ମାଳତିପାଟପୁରରୁ ସିଧାସଳଖ ପୁରୀ ବଡ଼ଦାଣ୍ଡରେ ପହଞ୍ଚିବା ପାଇଁ ବହୁପ୍ରତୀକ୍ଷିତ ଶ୍ରୀ ସେତୁ ନିର୍ମାଣ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହୋଇଛି। ଆଜି ପୂର୍ତ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଚୂଡ଼ାନ୍ତ ହୋଇଥିବା ଟେଣ୍ଡର୍‌ ଆର୍‌କେଡି କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡ୍‌କୁ ମିଳିଛି। ୩୧୭କୋଟି ୫୬ ଲକ୍ଷ ୫୬ ହଜାର ୫୬୫ଟଙ୍କାର ଏହି ସେତୁ ସହ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍‌ ସେଣ୍ଟର୍‌ ନିର୍ମାଣ କରିବାକୁ ଆର୍‌କେଡି କନଷ୍ଟ୍ରକ୍ସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସ୍ୱୀକୃତିପ୍ରାପ୍ତ ହୋଇଛି।

ଏହି ଟେଣ୍ଡର୍‌ ପ୍ରକ୍ରିୟାରେ ୪ଟି ସଂସ୍ଥା ଭାଗ ନେଇଥିଲେ। ଆର୍‌କେଡି କନ୍‌ଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡ୍‌ ସହ ଭାଗ ନେଇଥିବା ସାପୁରଜି ପାଲୋନଜି ଆଣ୍ଡ କମ୍ପାନି ଲିମିଟେଡ୍‌, ଏନସିସି ଓ ଆଇରନ ଟ୍ରାଇଆଙ୍ଗେଲ ସଂସ୍ଥା ଅଧିକା ଦରରେ ଟେଣ୍ଡର୍‌ ପକାଇ ଥିବାରୁ ସେମାନେ ବିଡିଂରେ କଟି ଯାଇଥିଲେ। ଏହି ଟେଣ୍ଡର୍‌ ସହ ଅନ୍ୟ ଦୁଇଟି କାମ ପାଇଁ ଆଜି ଟେଣ୍ଡର୍‌ ନିଷ୍ପତ୍ତି ହୋଇଛି। ପୁରୁଣା ଜେଲ୍‌ ଜାଗାରେ ଏକ ମଲ୍ଟି ଲେଭେଲ ପାର୍କିଂ ତିଆରି ହେବ। ଆଜି ଏହି ଟେଣ୍ଡର୍‌ ନିଷ୍ପତ୍ତି ହୋଇଛି। ଏହି କାମ ପି.ଡି ଅଗ୍ରୱାଲ ସଂସ୍ଥା କାମ କରିବ। ଏଥିରେ ୬୭ କୋଟି ୬୨ଲକ୍ଷ ୮୫ହଜାର ୧୯୫ ଟଙ୍କା ଖର୍ଚ୍ଚ ହେବ। ଟେଣ୍ଡର୍‌ରେ ଭାଗ ନେଇଥିବା ୪ଟି ସଂସ୍ଥା ମଧ୍ୟରୁ ପି.ଡି ଅଗ୍ରୱାଲ ସର୍ବନିମ୍ନ ଦର ଧାର୍ଯ୍ୟ କରିଥିବାରୁ ନିଲାମ ନେବାକୁ ସ୍ଵୀକୃତିପ୍ରାପ୍ତ ହୋଇଛି। ସେହିଭଳି ବଡ଼ଦାଣ୍ଡ ମାର୍କେଟ୍‌ ଛକରେ ମ୍ୟୁନିସିପାଲିଟି ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ହେବାକୁ ଆଜି ଟେଣ୍ଡର୍‌ ଫାଇନାଲ୍ ହୋଇଛି। ୪୦କୋଟି ୪୦ଲକ୍ଷ ୪୦ହଜାର ୪ଶହ ଟଙ୍କାରେ ଆଚାର୍ଯ୍ୟ ବ୍ରଦର ନିଲାମ ନେଇଛି। ଏହି ଟେଣ୍ଡର୍‌ରେ ମଧ୍ୟ ୪ଟି ସଂସ୍ଥା ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର