୭୫ ବର୍ଷରେ ଲକ୍ଷ୍ମୀସାଗର ଶ୍ରୀଶ୍ରୀ ଭଗବତ୍‌ ବାସୁଦେବ ମେଳଣ

ଐତିହ୍ୟ ଗ୍ରାମ ଲକ୍ଷ୍ମୀସାଗରର ଭୌଗୋଳିକ ଅସ୍ତିତ୍ୱ ସ୍ମାର୍ଟସିଟି ଭୁବନେଶ୍ୱରରେ ବିଲୀନ ହୋଇଯାଇଥିଲେ ମଧ୍ୟ ଏଇ ଗାଁ ତା’ର ସାଂସ୍କୃତିକ ଏବଂ ପାରମ୍ପରିକ ଉତ୍ସବର ସ୍ୱାତନ୍ତ୍ରକୁ ବଜାୟ ରଖିପାରିଛି। ଇଷ୍ଟଦେବ ଶ୍ରୀଶ୍ରୀ ପତିତପାବନଙ୍କ ରାସଯାତ୍ରା, ରାଧାକୃଷ୍ଣ ମେଲଣ, ସଂକୀର୍ତ୍ତନ ମହୋତ୍ସବ, ମା’ ବୁଦ୍ଧେଶ୍ୱରୀଙ୍କ ପୀଠରେ ଭାଗବତ ସପ୍ତାହ, ମା’ ଡାଳଖାଇଙ୍କ ପୀଠରେ ହାଣ୍ଡିଭଙ୍ଗା ଯାତ ସହ ଶ୍ରୀଶ୍ରୀ ଭଗବତ୍ ବାସୁ‌ଦେବ ମେଳଣ ଏକ ଅନ୍ୟତମ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ମହୋତ୍ସବ।

ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଦ୍ବାରା ଓଡ଼ିଆରେ ସରଳ, ସାବଲୀଳ ଭାଷାରେ ରଚିତ ଭାଗବତ ଓଡ଼ିଶାର ଘରେ ଘରେ ଆଦୃତ। ସଂଜ ହେଲେ ଓଡ଼ିଶାର ପୁରପଲ୍ଲୀରେ ଥିବା ଭାଗବତ ଟୁଙ୍ଗୀରେ ସେଇ ଭାଗବତ ପଢ଼ା ହୁଏ ଏବଂ ଆବାଳ ବୃଦ୍ଧବନିତା ଭକ୍ତିଚିତ୍ତରେ ତାହା ଶୁଣିଥା’ନ୍ତି। ଏହି ଧାର୍ମିକ ଚେତନାକୁ ଅଧିକ ସଂପ୍ରସାରଣ ଏବଂ ପ୍ରସାର କରିବା ଉଦ୍ଦେଶ୍ୟରୁ ଭଗବତ୍‌ ମେଳଣର ସୃଷ୍ଟି। ପଞ୍ଚୁଦୋଳ ସମୟରେ ହେଉଥିବା ଶ୍ରୀଶ୍ରୀରାଧାକୃଷ୍ଣଙ୍କ ମେଳଣଠାରୁ ଏହା ଭିନ୍ନ। ଏ ମେଳଣରେ ଭାଗବତ, ପୋଥି ଠାକୁର ଭାବେ ବିମାନରେ ବିରାଜମାନ ହୋଇ ମେଲଣ ପଡ଼ିଆକୁ ଆସିଥା’ନ୍ତି ଏବଂ ନାମ ସଂକୀର୍ତ୍ତନ, ଭାଗବତ ଚର୍ଚ୍ଚା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୁଏ। ଏ ପରମ୍ପରାକୁ ଲକ୍ଷ୍ମୀସାଗର ଗ୍ରାମ ବହୁବର୍ଷ ହେଲା ବଜାୟ ରଖି ଆସିଛି। ସହରୀ ସଭ୍ୟତାର ଚାକଚାକ୍ୟ ଭିତରେ, ଟିଭି ଏବଂ ସୋସିଆଲ୍ ମିଡିଆର ବିଳାସମୟ ମନୋରଂଜନ ଭିତରେ ଏବେ ମଧ୍ୟ ଲକ୍ଷ୍ମୀସାଗର ଗ୍ରାମରେ ନଅ ଦଶଟି ଭାଗବତ ଟୁଙ୍ଗୀ ରହିଛି। ପ୍ରତି ସଂଧ୍ୟାରେ ସେଠାରେ ଭାଗବତ ପଢ଼ା ହେଉଛି।

ଲକ୍ଷ୍ମୀସାଗରର ଏଇ ଭଗବତ ମେଳଣର ଇତିହାସ ଅନୁଯାୟୀ, ଏ ଗ୍ରାମର ଜଣେ ବ୍ୟକ୍ତି ନାଲୁ ସ୍ୱାଇଁ ଅପୁତ୍ରିକ ଥିବାରୁ ପୁତ୍ର ସନ୍ତାନଟିଏ ପାଇଁ ମନସ୍କାମନା କରିଥିଲେ। ଯଦି ତାଙ୍କର ପୁତ୍ର ସନ୍ତାନଟିଏ ହୁଏ, ବାର ବର୍ଷ ଧରି ସେ ଭଗବତ୍ ବାସୁଦେବ ମେଳଣ କରିବେ। ତାଙ୍କ ମନସ୍କାମନା ପୂର୍ଣ୍ଣ ହେଲା ଏବଂ ସେ ମଧ୍ୟ ବାର ବର୍ଷ ଧରି ଏ ମେଳଣ କରାଇଲେ। ତାହା ପରେ ଗ୍ରାମବାସୀଙ୍କ ତରଫରୁ ଏହି ଅଧ୍ୟାତ୍ମିକ ଉତ୍ସବ ୭୫ ବର୍ଷ ହେବ ପାଳିତ ହୋଇଆସୁଛି। ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ପତିତପାବନଙ୍କର ଭାଗବତ ଠାକୁରଙ୍କ ସହ ବଡ଼ଗଡ଼, ଝାରପଡ଼ା, କେଶୁରା, ରସୁଲଗଡ଼, ପାଣ୍ଡରା ଏବଂ କୋରଡ଼କଣ୍ଟା ଗ୍ରାମର ଠାକୁରମାନେ ଏଇ ମେଳଣରେ ଯୋଗ ଦିଅନ୍ତି। ଗ୍ରାମର ଅନ୍ୟ ସମସ୍ତ ଭାଗବତ ଟୁଙ୍ଗୀର ଭାଗବତ ଗୋସେଇଁମାନେ ମଧ୍ୟ ସୁସଜ୍ଜିତ ବିମାନରେ ଶୋଭାଯାତ୍ରାରେ ଆସି ଏଇ ମେଲଣରେ ଯୋଗ ଦିଅନ୍ତି।

ବୈଶାଖ ମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥିଠାରୁ ତିନି ଦିନ ଧରି ଏହା ଅନୁଷ୍ଠିତ ହୁଏ। କୃଷ୍ଣ ଚତୁର୍ଥୀ ତିଥି ସଂଧ୍ୟାରେ ଦିଅଁ ମେଳଣ ହୋଇଥାଏ। କିନ୍ତୁ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନାମ ସଂକୀର୍ତନ ଚାଲିଥାଏ। ଅନ୍ୟାନ୍ୟ ମେଳା ପରି ବିଭିନ୍ନ ଦୋକାନ, ମୀନା ବଜାର ଲାଗିଥାଏ। ଆଖପାଖ ଅଞ୍ଚଳର ପ୍ରାୟ ପଚାଶ ହଜାର ଜନସାଧାରଣଙ୍କ ଏଠାରେ ଭିଡ଼ ଜମେ। ଏଇ ଗ୍ରାମର ଭଗବତ୍ ମେଳଣ ପରିଚାଳନା କମିଟି, ସ୍ଥାନୀୟ ପ୍ରସାଶନ, ପୁଲିସ, ଅଗ୍ନିଶମ ବିଭାଗ, ମହାନଗର ନିଗମ ସମସ୍ତଙ୍କ ସହଯୋଗରେ ଏହା ଅତି ଶୃଙ୍ଖଳିତ ଭାବରେ ପାଳିତ ହୋଇଥାଏ। ଚଳିତ ମାସ ୧୮ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ଆଧ୍ୟାତ୍ମିକ ଉତ୍ସବ ପାଳିତ ହେଉଛି।
ବିଚିତ୍ରାନନ୍ଦ ସାହୁ

ସମ୍ବନ୍ଧିତ ଖବର