ଭାରତ ବିଶ୍ବ ଋତାୟିନୀ

ପରମ‌େପ୍ରମ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ନବବର୍ଷର ଶୁଭ ଆଶିଷ ବାଣୀ: ଏହି ଉଷା, ଆମ୍ଭମାନଙ୍କର ନବବର୍ଷର ନବୀନ ଉଷା। ବର୍ତ୍ତମାନ ସୁଦ୍ଧା ତା’ର ଜାଗରଣ ଆସିଲେ ମଧ୍ୟ ନିଦ୍ରାବିହ୍ବଳ ଆବିଳ ଆଳସ୍ୟ ଭାଙ୍ଗିନାହିଁ। ପକ୍ଷୀମାନେ ପ୍ରଭାତର ସାମଗାନ ଆରମ୍ଭ କରିନାହାନ୍ତି। ମଝିରେ ମଝିରେ ନିବିଡ଼ ନିସ୍ତବ୍ଧତା ଭାଙ୍ଗି ସମତାନେ କେବଳ ଗୋଟିଏ ଗୋଟିଏ ଗାଇ ଉଠୁଛନ୍ତି। ଆଦିତ୍ୟ ତା’ର ବାଳରଶ୍ମି ବିକୀର୍ଣ୍ଣ କରି କୁଣ୍ଢାଇ ଧରିଛି ତା’ର ମା’ ଉଷାଦେବୀଙ୍କୁ।

ଊର୍ଦ୍ଧ୍ବମୁଖୀ ହୋଇ ଦେଖ, ପ୍ରତ୍ୟେକଟି ଜ୍ୟୋତିଷ୍କ ଏହି ବାଳରଶ୍ମି ଜାଲକୁ ଆଲିଙ୍ଗନ କରୁଛନ୍ତି। ଏହା ଭିତର ଦେଇ ସେମାନଙ୍କର ପ୍ରଶ୍ନହରା ସତ୍ତା ଏକ ବିରାଟ ବିବର୍ଦ୍ଧନ ହୋଇ ସବୁ ନିଜତ୍ବଗୁଡ଼ିକୁ ଦେଇ ଦେଇ ଏହି ଆଦିତ୍ୟକୁ ହିଁ ସାର୍ଥକ କରି କ୍ରମବିବର୍ଦ୍ଧନରେ ବୃହତ୍ତର କରି ତୋଳୁଛି- ସେମାନେ ଏହି ଦୃଷ୍ଟିର ସମ୍ମୁଖରେ ରହି ମଧ୍ୟ ଯେଭଳି ନିଜସ୍ବହରା, ସତ୍ତାହରା କେଉଁ ଆଲୋକ ଅନ୍ତରାଳେ ହଜିଯାଉଛନ୍ତି- ଯଦିଓ ହଜି ଯାଇନାହାନ୍ତି- ଅଛନ୍ତି ଏହି ପରମ ଆଦିତ୍ୟେ-ଏକ‌େତ୍ବ।

ପରମପିତାଙ୍କ ପାଖରେ ପ୍ରାର୍ଥନା- ତୁମ୍ଭେମାନେ ପ୍ରତ୍ୟେକ ଏହି ଜ୍ୟୋତିଷ୍କ ଭଳି ସେହି ପ୍ରକାର ଭଙ୍ଗୀରେ ପରମ ଆଦିତ୍ୟକୁ କୁଣ୍ଢାଇ ଧର, ତୁମ୍ଭମାନଙ୍କର ନିଜତ୍ବର ସ୍ବର ପରମପିତାଙ୍କ ଜ୍ୟୋତିର ଲହରରେ ମିଶିଯାଇ ସାର୍ଥକ କରି ଉଠାଅ ସମସ୍ତଙ୍କୁ- ଯେଉଁମା‌ନେ ତୁମର ପାରିପାର୍ଶ୍ବିକଙ୍କର ଏକାନ୍ତ ହୋଇ ତୁମର ଚେତନାକୁ ଚେତାଇ ତୋଳୁଛନ୍ତି। ମଙ୍ଗଳ ଆଣ, ଆଶୀର୍ବାଦ ଆଣ, ଅମୃତ ଆଣ, ଶାନ୍ତିପାଣି ଛିଟାଇ ଦିଅ, ପ୍ରତ୍ୟେକଙ୍କର ଅନ୍ତର ଅମୃତବାହୀ କରି ଉଠାଅ।ଭଲ-ମନ୍ଦ, ନ୍ୟାୟ-ଅନ୍ୟାୟ, ପୁଣ୍ୟ-ପାପ, ଆଲୋକ-ଅନ୍ଧାର, ଜୀବନ-ମରଣ- ଏହା ନେଇ ହିଁ ବିଶ୍ବବ୍ୟଷ୍ଟି ଜୀବନ ସତ୍ତା ସମଷ୍ଟିର ସହିତ ଦୋଦୁଲ୍ୟମାନ- ଆଉ ଏହା ଭିତ‌ର ଦେଇ ସେମାନଙ୍କର ସାର୍ଥକ-ସମ୍ବର୍ଦ୍ଧନୀ ଉପଭୋଗ।

ପରମପିତାଙ୍କ ଶ୍ରୀଚରଣରେ ମୋର ଏହି ଆକୁଳ ଭିକ୍ଷା- ତୁମ୍ଭେମାନେ ଶତ ଶତ ବର୍ଷ ଆୟୁର ଅଧିକାରୀ ହୋଇ ବାଧା-ବିପତ୍ତି-ଦୁଃଖ-ଅଭିଶାପକୁ ବିଦଳିତ କରି ଅମୃତ ବହନେ ଆରୋତର ହୁଅ।

ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର
ସହ-ପ୍ରତିଋତ୍ବିକ ଓ ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ

ସମ୍ବନ୍ଧିତ ଖବର