ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କ ଜନ୍ମମାସ ଅବସରରେ ସତ୍‌ସଙ୍ଗ : ‘ମୁଁ’ ନୁହେଁ, ‘ଆମେ’ ମନ୍ତ୍ରରେ ବିଶ୍ୱାସ ରଖ – ସୌମ୍ୟରଂଜନ

ବାଲିଆପାଳ/ବୋଳଂ : ଗୋଟିଏ ପଟେ ପରିବେଶ ଅସନ୍ତୁଳନ ସ୍ଥିତିରେ। ଫଳରେ ପୃଥିବୀ ପୃଷ୍ଠରେ ଉତ୍ତାପ ବୃଦ୍ଧି ସାଙ୍ଗକୁ ଜଳସ୍ତର ହ୍ରାସ ଭଳି ପ୍ରମୁଖ ସମସ୍ୟା ସୃଷ୍ଟି ହୋଇଛି। ଯାହାକୁ ନେଇ ବିଶ୍ୱବାସୀ ଚିନ୍ତିିତ ମଧ୍ୟ। ଅନ୍ୟପଟେ ମଣିଷର ସଂପର୍କଗତ ଦୁଃସ୍ଥ ପରିବେଶ ତା’ଠାରୁ ଅଧିକ ଚିନ୍ତାର କାରଣ ହୋଇଛି। ପ୍ରତ୍ୟେକ ବ୍ୟକ୍ତି ପାଇଁ ତା’ର ଚାରିପାଖର ମଣିଷଙ୍କୁ ନେଇ ସୃଷ୍ଟ ପରି‌ବେଶ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛି; ଗୋଟିଏ ଛୁଆ ପାଇଁ ଯେପରି ଗୁରୁତ୍ବପୂର୍ଣ୍ଣ ପରିବେଶ ହେଉଛି ତା’ର ମାଆ। ହେଲେ ଦେଖାଯାଉଛି, ଏହି ପରିବେଶ ଏବେ ବିଗିଡ଼ିବାରେ ଲାଗିଛି। ଫଳରେ ମଣିଷର ବଂଚିବା-ବଢ଼ିବା ବ୍ୟାହତ ‌ହେଉଛି। ଏହା ପଛର ବଡ଼ କାରଣ ହେଉଛି ‘ମୁଁ’ର ଅହଂଭାବ। ଯାହା ଦୂ‌ର ହେବା ହିଁ ମଣିଷ ପରିବେଶ ପାଇଁ ମଙ୍ଗଳ। ‘ମୁଁ’ ଭାବ ମଣିଷ ସଂପର୍କରେ ସଂକୋଚନ ଆଣୁଥିବା ବେଳେ ‘ଆମେ’ ଭାବ ସଂପର୍କ ବିସ୍ତାର କରେ। ‘ମୁଁ’ ଭାବ ପୋଖରୀ ସଦୃଶ ହେଲେ, ‘ଆମେ’ ଭାବ ସମୁଦ୍ର ସଦୃଶ। ସେଥିପାଇଁ ‘ମୁଁ’ ମନ୍ତ୍ରରେ ବିଶ୍ବାସ ନରଖି ‘ଆମେ’ ମନ୍ତ୍ରରେ ବିଶ୍ବାସ ରଖିବା ଦରକାର। ଆଉ ଏହି ମନ୍ତ୍ର ଆମକୁ ସତ୍‌ସଙ୍ଗରୁ ହିଁ ମିଳିଥାଏ। ‘ମୁଁ’ ଭାବ ଆମ ଭିତରେ ସମର୍ପଣ ଓ ସଂଯୋଗର ମନୋଭାବ ଆଣୁଥିବା ବେଳେ ସତ୍‌ସଙ୍ଗ ତାକୁ ଦିଗ ଦେଖାଏ ବୋଲି ବାଲିଆପାଳ ବ୍ଲକ୍‌ ଲଙ୍ଗଳେଶ୍ୱରସ୍ଥିତ ସତ୍‌ସଙ୍ଗ ବିହାର ପରିସରରେ ଅନୁ‌ଷ୍ଠିତ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି।

ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କ ୧୩୨ତମ ଜନ୍ମ ମାସ ତଥା ଭାଦ୍ରବ ପରିକ୍ରମାର ୨୯ତମ ଦିବସ ଅବସରରେ ଅନୁଷ୍ଠିତ ଏହି ସତ୍‌ସଙ୍ଗରେ ମୁଖ୍ୟ ଋତ୍ବିକ ଚକ୍ରଧର ଜେନା ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କ ସହ ମୁଖ୍ୟବକ୍ତା ଭାବେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇଥିଲେ। ସେ ମନୁଷ୍ୟର ଆଧ୍ୟାତ୍ମିକ ଚେତନାର ପରିପ୍ରକାଶ ପାଇଁ କଠିନ ସାଧନାର ଆବଶ୍ୟକତା ରହିଥିବା କହିଛନ୍ତି। ସେହିପରି ଜୀବନଚର୍ଯ୍ୟା ସାଧାରଣ ନହୋଇ ବ୍ୟବସ୍ଥିତ ତଥା ଶୃଂଖଳିତ ହେବା ଆବଶ୍ୟକ। ଶ୍ରୀ ଶ୍ରୀ ଠାକୁର ମନୁଷ୍ୟ ରୂପରେ ଜନ୍ମଲାଭ କରି ଏପରି ବାର୍ତା ଦେଇଯାଇଛନ୍ତି। ଆତ୍ମକୈନ୍ଦ୍ରିକ ନହୋଇ ସମାଜ ପାଇଁ ନିଜର ଦକ୍ଷତାକୁ ସନ୍ନିବିଷ୍ଟ କରୁଥିବା ମଣିଷ ଦେବତ୍ବର ଅଧିକାରୀ ହୋଇପାରିଥାଏ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ସତ୍‌ସଙ୍ଗ ବିହାରର ସମ୍ପାଦକ ସମାଜସେବୀ ସଂଜୟ କୁମାର ପାତ୍ର ପ୍ରାରମ୍ଭିକ ସୂଚନା ଦେବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ। ସତ୍‌ସଙ୍ଗ ବଂଚିବା ପାଇଁ ସବୁପ୍ରକାର ଆଧାର ପ୍ରସ୍ତୁତ କରିଥାଏ। ଏଠାରେ ପ୍ରେମ ଓ ଭକ୍ତି ଥାଏ। ସେହିପରି ସମର୍ପଣ ଭାବ ବି ଜନ୍ମହୁଏ। ସତ୍‌ସଙ୍ଗ ନିଜ ଭିତରେ ଥିବା ଅହଂକାର ତ୍ୟାଗ କରିବାର କଳା ଶିଖାଏ ବୋଲି ସେ କହିଛନ୍ତି।

ଆୟୋଜିତ ସତ୍‌ସଙ୍ଗରେ ଅନ୍ୟମାନଙ୍କ ମଧ୍ୟରେ ସହପ୍ରତି ଋତ୍ବିକ ଭାସ୍କର ମୈକାପ, ପ୍ରଫେସର ମୃତ୍ୟଂଜୟ ପଣ୍ଡା, ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା, ସରୋଜ ବାରିକ, ଅରୁଣ ପାତ୍ର, ପ୍ରଣବ ଜେନାଙ୍କ ସହ ଶତାଧିକ ଭକ୍ତ ସାମିଲ ହୋଇଥିଲେ। ସତ୍‌ସଙ୍ଗ ଆରମ୍ଭ ହେବା ପୂର୍ବରୁ ବାଲିଆପାଳ ମିଡିଆ ଫୋରମ୍‌ ପକ୍ଷରୁ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିପରି ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମହାମହୋତ୍ସବ କାର୍ଯ୍ୟକ୍ରମ ଆଜି ମଧ୍ୟ ସତ୍‌ସଙ୍ଗ କେନ୍ଦ୍ରରେ ପାଳିତ ହୋଇଛି। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ଯୋଗଦେଇ ସତ୍‌ସଙ୍ଗ ଯୋଗୁ ମଣିଷ ତା’ର ସ୍ଥୂଳ ଅବସ୍ଥାକୁ ଭୁଲିଯାଇ ସୂକ୍ଷ୍ମ ଅବସ୍ଥାକୁ ଆସିଥାଏ। ଆମ ସମସ୍ତଙ୍କ ପାଇଁ ‌ଜାଗତିକ ସୁଖ ଅପେକ୍ଷା ମହାଜାଗତିକ ସୁଖ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ଏଥିରେ ସତ୍‌ସଙ୍ଗ ବିହାରର ସମ୍ପାଦକ ସମାଜସେବୀ ଶ୍ରୀ ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଶତାଧିକ ଭକ୍ତ ସତ୍‌ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ।

ସମ୍ବନ୍ଧିତ ଖବର