ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବ

ବାରଙ୍ଗ : ବାରଙ୍ଗ ବିଦ୍ୟାଧରପୁରସ୍ଥିତ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟର ପଞ୍ଚମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସ୍ବାମୀ ବିବେକାନନ୍ଦ କହିଥିଲେ, ଶୃଙ୍ଖଳିତ ଯୁବପିଢ଼ି ଉପରେ ଦେଶର ଭବିଷ୍ୟତ ନିର୍ଭର କରେ। ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ଏମିତି ଯୁବପିଢ଼ି ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହି ଅନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଆଧ୍ୟାତ୍ମିକ ପରିବେଶରେ ମାନସିକ ଚାପମୁକ୍ତ ରହି ଯୋଗାଭ୍ୟାସ କରିବା ସହ ଶିକ୍ଷା ଲାଭ କରୁଛନ୍ତି। ସଭାରେ ପୌରୋହିତ୍ୟ କରିଥିବା ତଥା ବିଶ୍ୱବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଶ୍ରୀଶ୍ରୀ ରବିଶଙ୍କରଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ ଶ୍ରୀ ଲାଲ କହିଲେ, ଗୁରୁଜୀ ଜଣେ ସିଦ୍ଧ ପୁରୁଷ। ଯେକୌଣସି ବ୍ୟକ୍ତି ତାଙ୍କ ବ୍ୟକ୍ତିତ୍ବ ଆଗରେ ମୁଣ୍ଡ ନୁଆଁଇବ। ସେ ସମଗ୍ର ମାନବଜାତି ପାଇଁ ପ୍ରେରଣାର ଉତ୍ସ ବୋଲି ଶ୍ରୀ ଲାଲ କହିଥିଲେ।

ସମ୍ମନିତ ଅତିଥି ଭାବେ ରାଜ୍ୟ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଯୋଗ ଦେଇ କହିଲେ, ଗୁରୁଜୀଙ୍କ ମନ୍ତ୍ର ‘ପଢ଼, ନେତୃତ୍ୱ ନିଅ ଓ ସେବା ଦିଅ’ ମୋତେ ଉଦ୍‌ବୁଦ୍ଧ କରିଛି। ଏଭଳି ଏକ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା କରିଥିବାରୁ ସେ ଧନ୍ୟବାଦ ଜଣାଇଥିଲେ।

ପରେ ସୁଶ୍ରୀ ରିଚା ବାଘେଲା ଓ ବିରାଟ ଚରାନିଅଙ୍କୁ ରାଜ୍ୟପାଳ ଡକ୍ଟରେଟ୍‌ ପ୍ରଦାନ କରିଥିଲେ। ସେହିପରି ୮ଟି ବିଭାଗର ୧୪ଜଣ ଛାତ୍ରଛାତ୍ରୀଙ୍କୁ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ୧୩୭ ଜଣଙ୍କୁ ସ୍ନାତକୋତ୍ତର ଓ ୧୭୮ଜଣଙ୍କୁ ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟ ସଭାପତି ରଜିତା କୁଲକର୍ଣ୍ଣି ସ୍ବାଗତ ଭାଷଣ ଦେଇଥିବା ବେଳେ କୁଳପତି ଡ. ନନ୍ଦଲାଲ ବିବରଣୀ ପାଠ କରିଥିଲେ। କୁଳସଚିବ ଘନଶ୍ୟାମ ଓଝା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର