୩ଥର ଗୋଟି ପହଣ୍ଡି, ୩ଥର ଧାଡ଼ି ପହଣ୍ଡି: ୬ଥର ପହଣ୍ଡି ହୁଅନ୍ତି ଶ୍ରୀବିଗ୍ରହ

ପୁରୀ: ଶୁକ୍ଳ ଫୁଲରେ ସୁସଜ୍ଜିତ ଟାହିଆ ମସ୍ତକରେ ଧାରଣ କରି ବିଶ୍ବନିୟନ୍ତା ଯେବେ ଝୁଲିଝୁଲି ରଥ ଉପରକୁ ଆସନ୍ତି, ଏ ଅଲୌକିକ ଦୃଶ୍ୟ ଦେଖି ଲୋକେ ବିଭୋର ହୁଅନ୍ତି। କବି ଜଣାଣ ଗାଆନ୍ତି। ଜ୍ବରରୁ ଉଠିଥିବା ମହାପ୍ରଭୁଙ୍କୁ ଦେଖି ଭକ୍ତ ଆଖି ଛଳଛଳ ହୋଇଯାଏ। ପହଣ୍ଡି ଶବ୍ଦ ପାଦ ହୁଣ୍ଡନ ବା ପାଦ ହୁଣ୍ଡ ଶବ୍ଦରୁ ସୃଷ୍ଟି ବୋଲି ଗବେଷକ ଭାସ୍କର ମିଶ୍ର କୁହନ୍ତି। କେତେକ ଗବେଷକଙ୍କ ମତରେ ଏହା ‘ପାହୁଣ୍ଡ’ ଶବ୍ଦର ଅପଭ୍ରଂଶ।

ସ୍ନାନ ଯାତ୍ରା ଓ ଘୋଷଯାତ୍ରାରେ ଚତୁର୍ଦ୍ଧା ବିଗ୍ରହଙ୍କର ୬ଥର ପହଣ୍ଡି ନୀତି ଅନୁଷ୍ଠିତ ହୁଏ। ଶ୍ରୀସୁଦର୍ଶନ ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ଅନନ୍ୟ। ଦଇତାପତିମାଙ୍କ କାନ୍ଧ ଓ ହାତରେ ପହଣ୍ଡି ହୋଇ ସ୍ନାନମଣ୍ଡପ ଓ ରଥାରୂଢ଼ ହୁଅନ୍ତି। ମାତ୍ର ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ଦଇତାପତି ଓ ଅନ୍ୟ ସେବକମାନେ ପାଟଡୋରିରେ ଆଗକୁ ପଛକୁ ଧୀରେଧୀରେ ଟାଣି ପହଣ୍ଡି କରାଇଥାଆନ୍ତି। ମହାପ୍ରଭୁ ଝୁଲିଝୁଲି ଆସିବା ବେଳେ ଟାହିଆର ସେଇ ଦୋଳାୟମାନ ଦୃଶ୍ୟ ଭକ୍ତ ପ୍ରାଣକୁ ବିଭୋର କରେ। ବିଜେ କାହାଳୀ ବାଜିବା ପରେ ଘଣ୍ଟୁଆ, କାହାଳିଆ, ବଜନ୍ତରୀ, ଓଲାର ଓ ଛତାର ସେବକମାନଙ୍କ ଉପସ୍ଥିତିରେ ଘଣ୍ଟ ଓ ବାଦ୍ୟ ତାଳରେ ମହାପ୍ରଭୁଙ୍କ ପହଣ୍ଡି ଆହୁରି ଆକର୍ଷଣୀୟ ହୁଏ। ପହଣ୍ଡି ବିଜେ ପୂର୍ବରୁ ପୂଜାପଣ୍ଡା ଜଗନ୍ନାଥଙ୍କ ବାଡ଼ରେ, ମୁଦିରସ୍ତ ବଳଭଦ୍ରଙ୍କ ବାଡ଼ରେ ଏବଂ ପତିମହାପାତ୍ର ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳାର୍ପଣ କରିଥାଆନ୍ତି। ଗରାବଡ଼ୁ ସେବକ ମଙ୍ଗଳାର୍ପଣର ସମସ୍ତ ଜିନିଷ ସେବକଙ୍କ ହାତକୁ ବଢ଼ାଇ ଦିଅନ୍ତି। ସୁଦ୍ଧସୁଆର, ଭଣ୍ଡାର ମେକାପ, ବାଡ଼ଗ୍ରାହୀ ଦଇତାପତି ଓ ଅନ୍ୟ ଦଇତା ସେବକମାନେ ଉପସ୍ଥିତ ରୁହନ୍ତି। ପହଣ୍ଡି ସମୟରେ ପଣ୍ଡା, ପୁଷ୍ପାଳକ ଓ ଅନ୍ୟ ସେବକମାନେ ଡୋର ଧରିଥାଆନ୍ତି। ଛାମୁଖୁଣ୍ଟିଆ, ବେହେରାଖୁଣ୍ଟିଆ, ସେବକ ପହଣ୍ଡି ହେଉଥିବା ଶ୍ରୀବିଗ୍ରହଙ୍କ ଆଗେଆଗେ ‘ମଣିମା ଶ୍ରୀଅଙ୍ଗକୁ ସାବଧାନ’ ଉଚ୍ଚାରଣ କରି ଯୋଡ଼ି ବେତ ବାଡ଼େଇ ଚାଲନ୍ତି। ପହଣ୍ଡିରେ ସାମିଲ ହେଉଥିବା ସେବକମାନେ କେତେକ ନିର୍ଦ୍ଦିଷ୍ଟ ନିୟମ ପାଳନ କରିବା ବିଧେୟ ରହିଛି।

ରାଘବ ଦାସ ମଠ ପକ୍ଷରୁ ଟାହିଆ ଯୋଗାଇ ଦିଆଯାଏ। ଚତୁର୍ଦ୍ଧା ବିଗ୍ରହ ସାତପାହାଚ ଉପରେ ବିଜେ ହେବାପରେ ଟାହିଆ ଲାଗି ହୋଇଥାଏ। ମହାପ୍ରଭୁଙ୍କ ପହଣ୍ଡି ଦୁଇ ପ୍ରକାର। ଗୋଟି ପହଣ୍ଡି ଓ ଧାଡ଼ି ପହଣ୍ଡି। ଗୋଟିପହଣ୍ଡିରେ ମହାପ୍ରଭୁ ଜଣ ଜଣ ହୋଇ ପହଣ୍ଡି ହୋଇ ଆସନ୍ତି। ଧାଡ଼ି ପହଣ୍ଡିରେ ମହାପ୍ରଭୁ ଜଣଙ୍କ ପରେ ଜଣେ ପହଣ୍ଡି ହୋଇଆସନ୍ତି। ଶ୍ରୀବିଗ୍ରହମାନେ ବିଜେ ସମୟରେ ଧାଡ଼ିପହଣ୍ଡି ହୋଇଥାଏ। ବାହୁଡ଼ା ବିଜେ ବେଳେ ଗୋଟି ପହଣ୍ଡି କରାଯାଏ। ୬ଥର ପହଣ୍ଡି ମଧ୍ୟରୁ ୩ ଥର ଗୋଟି ପହଣ୍ଡି ଓ ଅନ୍ୟ ୩ ଥର ଧାଡ଼ି ପହଣ୍ଡି ହୁଏ। ସ୍ନାନ ପୂର୍ଣ୍ଣିମାରେ ଯିବା ଓ ଆସିବାରେ ଦୁଇଥର, ଗୁଣ୍ଡିଚା ଯାତ୍ରାରେ ରତ୍ନ ସିଂହାସନରୁ ରଥକୁ ଆସିବାରେ ଥରେ, ଆଡ଼ପ ମଣ୍ଡପକୁ ବିଜେ ସମୟରେ ଥରେ, ବାହୁଡ଼ା ଦଶମୀରେ ଥରେ ଏବଂ ନୀଳାଦ୍ରି ବିଜେରେ ଥର ପହଣ୍ଡି ଦୃଶ୍ୟ ଦେଖିବାକୁ ମିଳିଥାଏ। ପହଣ୍ଡି ପୂର୍ବରୁ ଶ୍ରୀମନ୍ଦିରର କୋଠ ସୁଆଁସିଆ ସେବକମାନେ ଗୁଣ୍ଡିଚା ମନ୍ଦିରର ରତ୍ନ ସିଂହାସନ ଓ ସ୍ନାନପୂର୍ଣ୍ଣିମାରେ ଶ୍ରୀମନ୍ଦିରସ୍ଥ ରତ୍ନ ସିଂହାସନଠାରେ ଚାରମାଳ ବାନ୍ଧିବା ଦାୟିତ୍ବ ସମ୍ପାଦନ କରନ୍ତି। ସିଂହାସନରୁ ଏହି ଚାରମାଳ ଉପରେ ଶ୍ରୀବିଗ୍ରହମାନେ ଧୀରେଧୀରେ ପହଣ୍ଡି ବିଜେ କରନ୍ତି।

ସମ୍ବନ୍ଧିତ ଖବର