ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ, ହେଲା ଶ୍ରୀଜୀଉଙ୍କ ମନ୍ଦିର ବାନା ପରିବର୍ତ୍ତନ

ବ୍ରହ୍ମଗିରି : ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନର ଶନିବାର ଥିଲା ଦ୍ବିତୀୟ ଦିନ। ଭୋର ଚାରିଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଦ୍ବାରପାଳ ପୂଜା, ବଲ୍ଲଭ, ସୂର୍ଯ୍ୟ ପୂଜା, ରୋଷ ହୋମ ନୀତି ସକାଳ ୬ଟା ସୁଦ୍ଧା ସମ୍ପନ୍ନ ହୋଇଥିଲା। ପରମ୍ପରା ଅନୁଯାୟୀ ଅଣସର ଦର୍ଶନର ଦ୍ବିତୀୟ ଦିନରେ ଶ୍ରୀଜୀଉଙ୍କ ମନ୍ଦିରର ବାନା ପରିବର୍ତ୍ତନ ହୋଇଛି। ଚୂନରା ସେବାୟତ ନୂଆବାନା ଶ୍ରୀଜିଉଙ୍କ ପାଖରେ ଲାଗି କରିବା ପରେ ନୀଳଚକ୍ରରେ ବାନ୍ଧିଥିଲେ। ମଧ୍ୟ୍ୟାହ୍ନ ୧୨ଟା ବେଳକୁ ସକାଳ ଧୂପ, ଗୋଟାଏରେ ଦ୍ବିପ୍ରହର ଧୂପ ନୀତି ବଢିଥିଲା। ଅପରାହ୍ନ ୨ଟାରେ ପହଡ଼ ଓ ୩ଟାରେ ପହଡ ଖୋଲିଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ସନ୍ଧ୍ୟା ଆଳତି, ମଇଲମ, ସନ୍ଧ୍ୟା ଧୂପ ନୀତି ବଢିଥିଲା। ସମସ୍ତ ନୀତି ସଅଳ ଚାଲିଥିଲା। କରୋନା କଟକଣା ସାଙ୍ଗକୁ ପ୍ରଶାସନର ୧୪୪ ଧାରା ଜାରି ଫଳରେ ଶ୍ରଦ୍ଧାଳୁଙ୍କ ଦେଖା ନ ଥିଲା। ସବୁଆଡେ ନୀରବତା ଛାଇ ଯାଇଛି।

ମନ୍ଦିରକୁ ଲାଗି ଥିବା ସେବାୟତ ଗାଁର କିଛି ଶ୍ରଦ୍ଧାଳୁ ଆସୁଥିଲେ ସୁଦ୍ଧା ବ୍ୟାରିକେଡ୍‌ ପାଖରେ ଥିବା ଚାଙ୍ଗୁଡାରେ ଫୁଲ, ତୁଳସୀ ଓ ଅମୋଣିହା ରଖି ସେହିଠାରୁ ପ୍ରଣାମ କରି ଫେରୁଛନ୍ତି। ଅଣସର ଦର୍ଶନର ଦ୍ବିତୀୟ ଦିନରେ ଯେଉଁଠି ହରିବୋଲ ହୁଳହୁଳି ସାଙ୍ଗକୁ ବିଜେ କାହେଳୀ ବାଜି, ଘଣ୍ଟ ଘଣ୍ଟାରେ ସବୁଆଡେ ପ୍ରକମ୍ପିତ ହୋଇଥାନ୍ତା, ସେଠାରେ ଆଜି ନିରବତାର ରାଜୁତି।

ସମ୍ବନ୍ଧିତ ଖବର