କେନ୍ଦୁଝର: କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀବଳଦେବଜିଉ, ଶ୍ରୀଜଗନ୍ନାଥ ଓ ସୁଭଦ୍ରାଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ୧୭ କେଜି ସୁନା ଓ ୩୦ କେଜି ରୁପା ଅଳଙ୍କାର ଶ୍ରୀଜିଉମାନଙ୍କୁ ଲାଗି କରାଯାଇଛି। ୩୦ ହଜାର ଶ୍ରଦ୍ଧାଳୁ ଶ୍ରୀଜିଉମାନଙ୍କ ସୁନାବେଶ ଦର୍ଶନ କରିଛନ୍ତି। ଅପରାହ୍‌ଣ ୩ଟାରୁ ସୁନାବେଶ ଆରମ୍ଭ ହୋଇଥିଲା। ରଥ ଉପରକୁ ସାଧାରଣ ଭକ୍ତଙ୍କୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ରଥ ଚାରିପଟେ କର୍ଡନ କରାଯାଇ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ସୁଯୋଗ ଦିଆଯାଇଥିଲା।

Advertisment

ରାଜାରାଜୁଡ଼ା ସମୟରୁ କେନ୍ଦୁଝରରେ ସୁନାବେଶ ହୋଇଆସୁଥିଲା। ପରେ କୌଣସି କାରଣରୁ ବହୁବର୍ଷ ଧରି ସୁନାବେଶ ବନ୍ଦ ରହିଥିଲା। ୨୦୦୮ ମସିହାଠାରୁ ପୁଣି ଏହି ସୁନାବେଶ ଆରମ୍ଭ ହୋଇଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦୁଝର ଶାଖାର ଲକର୍‌ରୁ ଶ୍ରୀଜିଉମାନଙ୍କର ଅଳଙ୍କାର ବାହାର କରାଯାଏ। ଏଠାରେ ଶ୍ରୀଜିଉମାନଙ୍କ ୬୩ ପ୍ରକାରର ସୁନା ଅଳଙ୍କାର ଓ ମୂଲ୍ୟବାନ ପଥର ରହିଛି। ଏଥିରୁ ୧୫ ପ୍ରକାର ଅଳଙ୍କାର ବ୍ୟବହାର କରାଯାଉଛି। ଚଳିତବର୍ଷ ୧୬ କେଜି ୭୫୦ ଗ୍ରାମ ସୁନା ଓ ୩୦ କେଜି ରୁପା ଅଳଙ୍କାର ଶ୍ରୀଜିଉମାନଙ୍କୁ ଲାଗି କରାଯାଇଛି। ଶ୍ରୀବଳଭଦ୍ରଙ୍କୁ ୧୪ଟି ପଥର ଥାଇ ସୁନା ମୁକୁଟ, ଶ୍ରୀଜଗନ୍ନାଥଙ୍କୁ ୧୨ଟି ପଥର ଥାଇ ସୁନା ମୁକୁଟ, ଦେବୀ ସୁଭଦ୍ରାଙ୍କୁ ୧୨ଟି ପଥର ଥାଇ ସୁନା ମୁକୁଟ, ପାଞ୍ଚଟି କିଆପଥର ଥାଇ ସୁନା କିରୀଟ, ସୁନାର ମରିଚହାର, ସାତଟି ସୁନା କିରୀଟ, ୫ଟି ସୁନା କିରୀଟ, ୧୬ଟି ଝରା, ଜଗନ୍ନାଥ ଓ ବଳଭଦ୍ରଙ୍କ ସୁନାପଟି, ୧୭ଟି ଝରା, ସୁଭଦ୍ରାଙ୍କର ସୁନାପଟି, ଦୁଇଯୋଡ଼ା ସୁନା କୁଣ୍ଡଳ, ୫୬ଟି ମୋହର ଓ ୬୦ଟି କଣ୍ଠି ଥାଇ ଗିରିଗୋଲର ହାର, ୫୧ଟି ରୁଦ୍ରାକ୍ଷ ଥାଇ ସୁନା ରୁଦ୍ରାକ୍ଷ ମାଳ, ୫ଟି କିଆପତ୍ର, ଏକଯୋଡ଼ା କୁଣ୍ଡଳ, ଗୋଟିଏ ରୁପା ମୁକୁଟ, ଚାରିଟି ରୁପାହାତ, ଚାରିଟି ରୁପା ଗୋଡ଼, ଚାରିଟି ରୁପା ପୟର ଆଦି ଅଳଙ୍କାର ଲାଗି କରାଯାଇଛି। ସୂଚନାଯୋଗ୍ୟ, ଶ୍ରୀଜିଉମାନଙ୍କର ୩୪ କେଜି ୨୬୫ ଗ୍ରାମ ସୁନାଗହଣା ଗଚ୍ଛିତ ରହିଛି।

ଏଥିରୁ କେତେକ ଭାଙ୍ଗିରୁଜି ଯାଇଥିବାରୁ କମ୍‌ ଗହଣା ବ୍ୟବହାର ହେଉଛି।କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ, ଏସ୍‌ପି ନୀତିନ କୁଶଲକର, ଅତିରିକ୍ତ ଏସ୍‌ପି ଏ. କୁଜୁର, ଏସ୍‌ଡିପିଓ ମହେନ୍ଦ୍ର ମୁର୍ମୁ, କେନ୍ଦୁଝର ଉପଜିଲ୍ଲାପାଳ ସୌମ୍ୟସାର୍ଥକ ମିଶ୍ର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ଡେପୁଟି କଲେକ୍ଟର କିରଣ କୁମାର ନାୟକ, କେନ୍ଦୁଝର ଟାଉନ ଥାନା ଅଧିକାରୀ ରମାକାନ୍ତ ସାଏ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ବଡ଼ଦାଣ୍ଡରେ ଥିବା ଶ୍ରୀଗୋପାଳଜିଉ ମଠ ପକ୍ଷରୁ ରଥାରୂଢ ଶ୍ରୀଜିଉମାନଙ୍କୁ ରସଗୋଲା ଭୋଗ ଲାଗି କରାଯାଇଥିଲା।