ପୁରୀ : ଶ୍ରୀମନ୍ଦିର ଭଳି ଶ୍ରୀଗୁଣ୍ଡିଚା ମନ୍ଦିରର ନାଟମଣ୍ଡପ ବି ଅସୁରକ୍ଷିତ ହୋଇପଡ଼ିଛି। ଶ୍ରୀଗୁଣ୍ଡିଚା ମନ୍ଦିରର ପିଲାର୍ ଓ ବିମ୍ରେ ଏକାଧିକ ଫାଟ ସୃଷ୍ଟି ହୋଇଛି। ଏହା ସହ ଅନ୍ୟାନ୍ୟ ସ୍ଥାନରେ ବି ଛୋଟବଡ଼ ସମସ୍ୟା ରହିଛି। ଶନିବାର ଦିନ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ଶ୍ରୀଗୁଣ୍ଡିଚା ମନ୍ଦିର ସ୍ଥିତି ଅନୁଧ୍ୟାନ ବେଳେ ଏଭଳି ସମ୍ବେଦନଶୀଳ ସ୍ଥିତି ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ ସହ ଆବଶ୍ୟକ ଆଲୋଚନା କରି ଆସନ୍ତା ୧୦ ଦିନ ଭିତରେ ଏହାର ମରାମତିର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଆଗାମୀ ରଥଯାତ୍ରା ପୂର୍ବରୁ ଆବଶ୍ୟକ ମରାମତି କାମ ସାରିବାକୁ କୋର କମିଟି ଲକ୍ଷ୍ୟ ରଖିଛି।
ଶ୍ରୀମନ୍ଦିର କୋର କମିଟି ସଦସ୍ୟ ଏନ୍ ସି ପାଲ, ରୁର୍କୀ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ର ଫ୍ରଫେସର ଏସ୍ କେ ଭଟ୍ଟାଚାର୍ଯ୍ୟଙ୍କ ସମେତ ୭ଜଣିଆ ଟିମ୍ ଆଜି ମଧ୍ୟାହ୍ନରେ ଶ୍ରୀଗୁଣ୍ଡିଚା ମନ୍ଦିର ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ମାଧବ ଚନ୍ଦ୍ର ପୂଜାପଣ୍ଡା ସାମନ୍ତ ପ୍ରମୁଖଙ୍କ ସହ ଏକ ବୈଠକ କରାଯାଇଥିଲା। ବୈଠକରେ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ସ୍ଥିତି ସମ୍ପର୍କରେ ଶ୍ରୀ ପାଲ୍ କହିଛନ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧୀନରେ ରହିଛି। ଶ୍ରୀମନ୍ଦିର ପ୍ରଶାସନ ଏହାର ଆବଶ୍ୟକ ମରାମତି କରୁଛି। ଶ୍ରୀଗୁଣ୍ଡିଚା ମନ୍ଦିର ଗର୍ଭଗୃହ ଶେଷଥର ୧୯୯୪ ମସିହାରେ ମରାମତି ହୋଇଥିଲା। ଶ୍ରୀମନ୍ଦିର ଗର୍ଭଗୃହ ମରାମତି ସମୟରେ ଏହି ମରାମତି ହୋଇଥିଲା।
ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ୪ଟି ପଥର ପିଲାର୍ ଓ ୪ଟି ପଥର ବିମ୍ ଉପରେ ଠିଆ ହୋଇଛି। ଶ୍ରୀମନ୍ଦିରରେ ବି ସମାନ ଢଙ୍ଗରେ ନାଟମଣ୍ଡପ ତିଆରି ହୋଇଛି। ଚଳିତବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ ଥିବା ଜଣାପଡ଼ିଥିଲା। ଯେହେତୁ ରଥଯାତ୍ରା ଥିଲା, ସେ ଦୃଷ୍ଟିରୁ ଏହାର ଅସ୍ଥାୟୀ ମରାମତି କରାଯାଇଥିଲା। ଉପଯୁକ୍ତ ଅନୁଧ୍ୟାନ ପରେ ଏହି ଫାଟର ସ୍ଥାୟୀ ମରାମତି ରଥଯାତ୍ରା ପରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ଅନୁଯାୟୀ ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ଅନୁଧ୍ୟାନ କରାଯାଇଛି। ୪ଟି ପିଲାର୍ରୁ ୩ଟିରେ ଫାଟ ରହିଛି। ସେହିଭଳି ଗୋଟିଏ ବିମ୍ରେ ଫାଟ ରହିଛି। କିଛି ସ୍ଥାନ ଖରାପ ଥିବା ବି ଅନୁଧ୍ୟାନ ବେଳେ ଜଣାପଡ଼ିଛି। ଆଗାମୀ ରଥଯାତ୍ରା ପୂର୍ବରୁ ସମସ୍ତ ମରାମତି କାମ ସରିବ। ଏହା ଉପରେ ଆଜି ପ୍ରାଥମିକ ଆଲୋଚନା ହୋଇଛି। କେବେଠୁ ଓ କିଭଳି ମରାମତି କାମ ହେବ, ତାର ସମ୍ପୂର୍ଣ୍ଣ ରୂପରେଖ ୧୦ ଦିନ ଭିତରେ ପ୍ରସ୍ତୁତ ହେବ। ଏହା ପରେ ପରେ ମରାମତି କାମ ଆରମ୍ଭ ହୋଇଯିବ ବୋଲି ଶ୍ରୀ ପାଲ କହିଛନ୍ତି।
ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରର ଆବଶ୍ୟକ ମରାମତି ପାଇଁ ଯେଉଁ କମିଟି କରିଛି, ପ୍ରଫେସର ଭଟ୍ଟାଚାର୍ଯ୍ୟ ତାର ମୁଖ୍ୟ ଅଛନ୍ତି। ପ୍ରଫେସର ଭଟ୍ଟାଚାର୍ଯ୍ୟଙ୍କ କହିବା ଅନୁସାରେ, ଏହି ଫାଟ ସେଭଳି ଜଟିଳ ସମସ୍ୟା ସୃଷ୍ଟି କରିବ ନାହିଁ। ଏହାକୁ ପର୍ଯ୍ୟାୟକ୍ରମେ ମରାମତି କରାଯାଇପାରିବ। ପଥର, ପିଲାର୍, ବିମ୍ ଆଦିରେ ଯେଉଁ ସମସ୍ୟା ରହିଛି, ଆମେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ପୁରୁଣା ପ୍ରତ୍ନତତ୍ତ୍ବ ଶୈଳୀ ଆଧାରରେ ଏହାର ମରାମତି କରିବୁ ବୋଲି ଶ୍ରୀ ଭଟାଚାର୍ଯ୍ୟ କହିଛନ୍ତି।