ପୁରୀ: ଆଉ ୨୫ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସଜେଇ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର। ସଜଡ଼ା ଚାଲିଛି ପହଣ୍ଡି ବାଟ। ପୂର୍ବ ନିଷ୍ପତ୍ତିକ୍ରମେ ପହଣ୍ଡି ବାଟରେ ଲାଗିଥିବା ପୁରୁଣା ଖାଣ୍ଡେଲାଇଟ୍‌ ପଥର ସବୁକୁ ବଦଳାଯାଇ ଏବେ ନୂଆ ଖା‌ଣ୍ଡେଲାଇଟ୍‌ ପଥର ବସାଯାଉଛି। ଆଜି ନାକଚଣା ଦ୍ବାର ପହଣ୍ଡି ବାଟ ଖାଣ୍ଡେଲାଇଟ୍‌ ପଥର ବଦଳା କାମ ଚାଲିଥିବା ଦେଖିବାକୁ ମିଳିଛି। ମରାମତି କାମ ପାଇଁ ଖାଣ୍ଡେଲାଇଟ୍‌ ପଥର ବି ଷ୍ଟକ୍‌ ରଖାଯାଇଥିବା ଦେଖିବାକୁ ମିଳିଛି।

Advertisment

ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀନରେ ରହିଥିବାବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ରହିଛି। ଗତ ରଥଯାତ୍ରା ସମୟରୁ ଶ୍ରୀଗୁଣ୍ଡିଚା ନାଟମଣ୍ଡପ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିଲା। ଯେହେତୁ ମୁଣ୍ଡ ଉପରେ ରଥଯାତ୍ରା ଥିଲା, ଏହାର କାମଚଳା ମରାମତି କରାଯାଇଥିଲା। ରଥଯାତ୍ରା ଶେଷ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ପାଇଁ ଚେନ୍ନାଇ ଏସ୍‌ ଏନ୍‌ ୟୁନିଭର୍ସିଟିର କୁଳପତି ତଥା ଖଡ଼ଗପୁର ଆଇଆଇଟିର ପୂର୍ବତନ ଉପନିର୍ଦ୍ଦେଶକ ପ୍ରଫେସର ଏସ୍‌ କେ ଭଟ୍ଟଚାର୍ଯ୍ୟଙ୍କ ନେତୃତ୍ବରେ ଗଠିତ ଏକ ସ୍ବତନ୍ତ୍ର ବୈଷୟିକ କମିଟିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାମ ଜାରି ରହିଛି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ସହ ଅନ୍ୟାନ୍ୟ ସ୍ଥାନର ମରାମତି କାମ ଚାଲିଛି।

ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ୪ଟି ପଥର ସ୍ତମ୍ଭ ରହିଥିଲା, ଯାହା ଉପରେ ଥିବା କ୍ୟାପିଟାଲ୍‌ଗୁଡ଼ିକ ପଥର ଓ ରଟ୍‌ ଆଇରନ୍‌ ବିମ୍‌ ଦ୍ବାରା ସଂଯୋଜିତ ହୋଇ ନାଟମଣ୍ଡପ ଛାତର ଭାରକୁ ବହନ କରୁଥିଲା। ରଟ୍‌ ଆଇରନ୍‌ ବିମ୍‌ରେ ଜଙ୍କ୍‌ ଲାଗିବା ହେତୁ ପଥର ନିର୍ମିତ କଲମ କ୍ୟାପିଟାଲ୍‌ଗୁଡ଼ିକରେ ଫାଟ ସୃଷ୍ଟି ‌ହୋଇଥିଲା। ଫାଟ ସୃଷ୍ଟି ହେବା ଦ୍ବାରା ନାଟମଣ୍ଡପ ଛାତ ପ୍ରତି ବିପଦ ରହିଥିଲା। ପଥର କ୍ୟାପିଟାଲ୍‌ଠାରେ ଫାଟ ସୃଷ୍ଟି ହୋଇ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ନାଟମଣ୍ଡପ ଚାରିପାର୍ଶ୍ବରେ ଥିବା କାନ୍ଥର ପଲସ୍ତରା ଦୁର୍ବଳ ହୋଇ ପଥର ମଧ୍ୟ ନଷ୍ଟ ହୋଇଯାଇଥିଲା। ନାଟମଣ୍ଡପ ଓ ଜଗମୋହନ ପଥର ଚଟାଣ ବିଭିନ୍ନ ଜାଗାରେ ଖାଲ ସୃଷ୍ଟି ହୋଇଥିଲା। ଏଣୁ ସମସ୍ତ ପୁରୁଣା ଲୁହା ବିମ୍‌କୁ ବଦଳାଇ ସେହି ସ୍ଥାନରେ କଳଙ୍କବିହୀନ ଲୁହା ବିମ୍‌ ସ୍ଥାପନ କରାଯାଇଛି। ପଥର ସ୍ତମ୍ଭ କ୍ୟାପିଟାଲରେ ବ୍ୟବହୃତ ସ୍ୟାଣ୍ଡ୍‌ ଷ୍ଟୋନ୍‌କୁ ସଂପୂର୍ଣ୍ଣ ବଦଳାଇ ଏହି ସ୍ଥାନରେ ଖିଚିଙ୍ଗଠାରେ ମିଳୁଥିବା ମୁଗୁନି ପଥର ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ନାଟମଣ୍ଡପ ମଝି ଛାତ ଓ ଛାତ ତଳେ ଥିବା କର୍ପଲ, ଚଟାଣ ଓ ଚାରିପାର୍ଶ୍ବରେ ଥିବା ଦୁର୍ବଳ ପଥରକୁ ବଦଳାଇ ଖାଣ୍ଡେଲାଇନ୍‌ ପଥର ଦ୍ବାରା ମରାମତି କରାଯାଉଛି।