ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମ୍ରେ ଥିବା ଫାଟ ଓ ଅନ୍ୟାନ୍ୟ ମରାମତି କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ସ୍ବତନ୍ତ୍ର ବୈଷୟିକ କମିଟିର ପରାମର୍ଶକ୍ରମେ ଏହି ମରାମତି କରାଯାଉଛି। ଫେବ୍ରୁଆରି ସୁଦ୍ଧା ମରାମତି କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ନାଟମଣ୍ଡପ ଫାଟ ଓ ଅନ୍ୟାନ୍ୟ ସ୍ଥାନ ଅନୁଧ୍ୟାନ କରିଛନ୍ତି। ପରେ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି ସହ ମରାମତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଗଜପତି ମହାରାଜାଙ୍କ ସହ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟିର ଡ. ଏନ୍ ସି ପାଲ୍, ବିନ୍ଧେଶ୍ବର ପାତ୍ର, ଏସ୍ କେ ଭଟ୍ଟାଚାର୍ଯ୍ୟ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ କରି ନାଟମଣ୍ଡପ ବିମ୍ରେ ଥିବା ଫାଟ ଅନୁଧ୍ୟାନ କରିଥିଲେ। ପରେ ଗଜପତି ମହାରାଜା କହିଥିଲେ ଯେ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପର ଯେଉଁ ୪ ମୁଖ୍ୟ ବିମ୍ ରହିଛି, ସେଥିରେ ଫାଟ ରହିଛି। ଏହାକୁ ମରାମତି କରାଯିବ। ଏଥିପାଇଁ ଗଠିତ ସ୍ବତନ୍ତ୍ର ବୈଷୟିକ କମିଟି ଏହାର ସବିଶେଷ ଅନୁଧ୍ୟାନ କରୁଛନ୍ତି।
ଏହି ଅବସରରେ ଗଜପତି ମହାରାଜା କହିଥିଲେ , ୫ ଏକର ଜାଗାରେ ଶ୍ରୀଗୁଣ୍ଡିଚା ମନ୍ଦିର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟୀକରଣ କାମ କରାଯିବ। ଏହି ଡିଜାଇନ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିସାରିଛି। ଖୁବ୍ଶୀଘ୍ର ଏହି କାମ ଆରମ୍ଭ ହେବାକୁ ଯାଉଛି। ବୈଷୟିକ କମିଟିର ଡ. ପାଲ୍ କହିଥିଲେ, ମୁଖ୍ୟତଃ ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ସମସ୍ୟା ରହିଛି। ୪ ମୁଖ୍ୟ ପଥର ପିଲାର(ଖମ୍ବ) ଉପରେ ୪ ସେଣ୍ଟ୍ରାଲ୍ ଷ୍ଟୋନ୍ କ୍ୟାପିଟାଲ୍ ବିମ୍ ଓ ଏହା ତଳେ ୪ଟି ରଟ୍ ଆଇରନ୍ ବିମ୍ ରହିଛି। ଏହି ରଟ୍ ଆଇରନ୍ କଳଙ୍କି ଲାଗି ନଷ୍ଟ ହୋଇଯାଇଛି। ଏହାର ସମ୍ପୂର୍ଣ୍ଣ ମରାମତି କରାଯିବ। ଫାଟିଥିବା ବିମ୍ ବଦଳରେ ଗ୍ରାନାଇଟ୍ ପଥର ଲଗାଯିବ। କଳଙ୍କି ଲାଗିଥିବା ବିମ୍କୁ କାଢ଼ି ନୂଆ କଳଙ୍କିବିହୀନ ଲୁହା ବିମ୍ ଲଗାଯିବ। ଏଥିପାଇଁ ୪ ମାସର ଯୋଜନା ପ୍ରସ୍ତୁତ କରାଯାଇଥିବା ସେ ସୂଚନା ଦେଇଥିଲେ।
ମରାମତି ହେବ ଜଗମୋହନ, ନାଟମଣ୍ଡପ
ପୁରୀ: ଶ୍ରୀମନ୍ଦିର ଜଗମୋହନ ଭିତର ପାର୍ଶ୍ବ ମରାମତି ପରେ ଏବେ ବାହାରପାର୍ଶ୍ବ ମରାମତି କାମ ଆରମ୍ଭ କରିବାକୁ ଯାଉଛି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ)। ଏହାପୂର୍ବରୁ ଆଜି ଜଗମୋହନର ଡକୁମେଣ୍ଟେସନ୍ କରାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗର ଫଟୋଗ୍ରାଫର ଓ ଅନ୍ୟମାନେ ଆଜି ଜଗମୋହନର ବିଭିନ୍ନ ସ୍ଥାନର ଫଟୋ ଉଠାଇଛନ୍ତି। ସେପଟେ ନାଟମଣ୍ଡପ ମରାମତି ପାଇଁ ଆଜିଠାରୁ ଶ୍ରୀମନ୍ଦିର ନାଟମଣ୍ଡପରେ ଭାରାବନ୍ଧା କାମ ଆରମ୍ଭ ହୋଇଛି।
ମିଳିଥିବା ସୂଚନା ମୁତାବକ, ରଥଯାତ୍ର ପୂର୍ବରୁ ଶ୍ରୀମନ୍ଦିର ଜଗମୋହନ, ନାଟମଣ୍ଡପ ଓ ଅନ୍ୟାନ୍ୟ ସ୍ଥାନର ମରାମତି କରିବାକୁ ଲକ୍ଷ୍ୟ ରଖିଛି ପ୍ରତ୍ନତତ୍ତ୍ବ ବିଭାଗ। ପ୍ରାରମ୍ଭିକ ପର୍ଯ୍ୟାୟରେ ସବୁର ଡକୁମେଣ୍ଟେସନ୍ କରାଯାଇଛି। ଏଥିପାଇଁ ଆଜି ପ୍ରଥମେ ଜଗମୋହନ ଉପରପାର୍ଶ୍ବର ଫଟୋ ଓ ଭିଡିଓଗ୍ରାଫି କରାଯାଇଛି। ଅନେକ ସ୍ଥାନରେ ପୁରୁଣା କାଳରୁ ଲୁହାପଥର ଭିତରେ ଫସି ରହିଥିବାରୁ ଏହା ପାଣି ଖାଇ ଫୁଲିବା ଆରମ୍ଭ କରିଛି। ଫଳରେ, ପଥରରେ ଫାଟ ସୃଷ୍ଟିହେବା ଆରମ୍ଭ କରିଛି। ପଥରକୁ ଅକ୍ଷତ ରଖିବାପାଇଁ ଏହାକୁ ବି କାଟି ବାହାର କରିବାକୁ ଯୋଜନା କରାଯାଉଛି। ଅନେକ ସ୍ଥାନରେ ପଥର ଦୁର୍ବଳ ଥିବାରୁ ଏହାକୁ ବି ବଦଳାଇବାକୁ ଯୋଜନା କରାଯାଉଛି।
ଜଗ ମୋହନ ଡକୁମେଣ୍ଟେସନ୍ କାମ ଶେଷପରେ ନାଟମଣ୍ଡପର ଡକୁମେଣ୍ଟେସନ୍ କରାଯିବ। ନାଟମଣ୍ଡପ ପୂର୍ବପାର୍ଶ୍ବରେ ଭାରା ବନ୍ଧା କାମ ସରିବା ପରେ ନାଟମଣ୍ଡପର ଡକୁମେଣ୍ଟେସନ୍ ପାଇଁ ଫଟୋ ଓ ଭିଡିଓ ଉତ୍ତୋଳନ କରାଯିବ। ସେହି ଅନୁସାରେ ଆବଶ୍ୟକ ମରାମତି କରାଯିବ। ପ୍ରତ୍ନତତ୍ତ୍ବ ବିଭାଗର ବୈଷୟିକ ଅଧିକାରୀମାନେ ଆବଶ୍ୟକ ମରାମତିର ପରାମର୍ଶ ଦେବେ। ପୂର୍ବରୁ ଜଗମୋହନର ଭିତରପାର୍ଶ୍ବ ମରାମତି କରାଯାଇଥିଲା। ନାଟମଣ୍ଡପ ବିମ୍ରେ ଫାଟ ରହିଥିବା ବେଳେ ଏହାକୁ କ୍ରାକ୍ ମିଟର ଜରିଆରେ ଆଇଆଇଟି ଖଡଗପୁର ଅନୁଧ୍ୟାନ କରୁଛି।