ଶ୍ରୀଗୁଣ୍ଡିଚା ମନ୍ଦିରରେ ଏବେ ବି କୋଭିଡ୍‌ କଟକଣା

୩ ବର୍ଷ ହେଲା ମନ୍ଦିରରେ ପ୍ରବେଶ ମନା, ହାତଗୁଞ୍ଜା ଦେଇ ଗଳାବାଟରେ ଯାଉଛନ୍ତି ଭକ୍ତ

ପୁରୀ : ଶ୍ରୀମନ୍ଦିର ଭଳି ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ସଂପୂର୍ଣ୍ଣ ଖୋଲା ଥିଲା। ବାହାରୁ ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରଭୁଙ୍କ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର ବି ବୁଲି ‌ଘରକୁ ଫେରୁଥିଲେ। କିନ୍ତୁ କୋଭିଡ୍‌ ପାଇଁ ୩ ବର୍ଷ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିଲେ ବି ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶରେ କଟକଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ଅନ୍ୟପଟେ ଏପରି କରି ଶ୍ରୀମନ୍ଦିର ପ୍ରଶାସନ ଦୁର୍ନୀତିର ବାଟ ଖୋଲି ଦେଇଛି। କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏହାର ପୂର୍ଣ୍ଣ ଫାଇଦା ଉଠାଉଛନ୍ତି। ହାତଗୁଞ୍ଜା ନେଇ ବାହାରୁ ଆସୁଥିବା ଅଜଣା ଭକ୍ତମାନଙ୍କୁ ଗଳିଆ ବାଟରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଛାଡ଼ୁଛନ୍ତି। ଏ ସଂପର୍କରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନି।

ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲିବାକୁ ବିଭିନ୍ନ ମହଲରୁ ଦାବି ପରେ କିଛି ମାସ ତଳେ ଶ୍ରୀମନ୍ଦିର ପରିଚାଳନା କମିଟି ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଥିଲା। ଏ ଭିତରେ ତିନି ମାସ ବିତିଥିଲେ ବି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇନି। ଏବେ ବି ଶ୍ରୀଗୁଣ୍ଡିଚା ମନ୍ଦିରରେ ସର୍ବସାଧାରଣ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି। କିଛି ଜେଟିପିଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିର ଫାଟକରେ ଜଗାରଖା ପାଇଁ ନିୟୋଜିତ କରାଯାଇଛି। ଏମାନେ ଜଗିବା ବଦଳରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ବାର ଛୋଟଦ୍ବାର ଦେଇ ବାହାରୁ ଆସୁଥିବା ଭକ୍ତଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଛାଡ଼ୁଛନ୍ତି। ଯେଉଁଠି ସର୍ବସାଧାରଣଙ୍କ ପ୍ରବେଶ ବନ୍ଦ ରହିଛି, ସେଠି ନିର୍ଦ୍ଧିଷ୍ଟ ଭକ୍ତଙ୍କୁ ଛୋଟ ଦ୍ବାର ମନ୍ଦିର ଦେଇ ଛାଡ଼ିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଏହି ଭକ୍ତମାନେ ହାତଗୁଞ୍ଜା ଦେଇ ମନ୍ଦିର ଭିତରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଶ୍ରୀଗୁଣ୍ଡିଚା ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର