ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ମାଗଣାରେ ବୁଲିପାରିବେ

ପୁରୀ : ଅଢ଼େଇ ବର୍ଷ ପରେ ଶେଷରେ ଭକ୍ତଙ୍କ ପାଇଁ ‌ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର। ମାଗଣାରେ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିପାରିବେ। ଭକ୍ତ ଓ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିବ। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସପ୍ତାହେ ଭିତରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ନିଷ୍ପତ୍ତି ଅନୁଯାୟୀ, ଭକ୍ତମାନେ ଆଡ଼ପମଣ୍ଡପ ପାଖକୁ ଯାଇପାରିବେନି କି ସ୍ପର୍ଶ କରିପାରିବେନି। ସେହିଭଳି ରୋଷଘରକୁ ବି ପ୍ରବେଶ କରିପାରିବେନି। ଏଥିପାଇଁ ଆଡ଼ପମଣ୍ଡପ, ରୋଷଘର ପାଖରେ ବାରିକେଡିଂ କରାଯିବ।

ଅନ୍ୟ ନିଷ୍ପତ୍ତି ଅନୁସାରେ, ଶ୍ରୀମନ୍ଦିର ମରାମତି ପାଇଁ ୫ ବର୍ଷିଆ ବଜେଟ୍‌ ସହ ଅନ୍ୟାନ୍ୟ ଆକ୍ସନ ପ୍ଲାନ ମାସେ ଭିତରେ ପ୍ରସ୍ତୁତ କରି ଦେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି। ସେହିଭଳି ଗତ ବର୍ଷକ ଭିତରେ ଶ୍ରୀମନ୍ଦିର କ’ଣ ସବୁ ମରାମତି ହୋଇଛି, ସେ ଉପରେ ବିସ୍ତୃତ ବିବରଣୀ ଆସନ୍ତା ସୋମବାର ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଶ୍ରୀମନ୍ଦିର ଗର୍ଭଗୃହକୁ ଛାଡ଼ିଦେଲେ, ଅନ୍ୟାନ୍ୟ ସ୍ଥାନର ଲେଜର୍‌ ସ୍କାନିଂ ହୋଇଥିଲା। ଏହି ‌ରିପୋର୍ଟ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରଯାଇନି। ଏହି ରିପୋର୍ଟ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବାକୁ ପରିଚାଳନା କମିଟି କହିଛି। ଯେ ପର୍ଯ୍ୟନ୍ତ ଏହି ରିପୋର୍ଟ ପ୍ରଦାନ କରାନଯାଇଛି, ସେ ପର୍ଯ୍ୟନ୍ତ ଗର୍ଭଗୃହ କି ଅନ୍ୟାନ୍ୟ ସ୍ଥାନର ଲେଜର ସ୍କାନିଂ ଅନୁମତି ଦିଆଯାଇପାରିବ ନାହିଁ ବୋଲି ପରିଚାଳନା କମିଟି ରୋକ୍‌ଠୋକ୍‌ କହିଛି। ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପରିଚାଳନା କମିଟି ସଦସ୍ୟ ହୋଇଥିଲେ ବି ପରିଚାଳନା କମିଟି ବୈଠକରେ ଅନୁପସ୍ଥିତ ରହିବାକୁ ନେଇ ବି ହଟ୍ଟଗୋଳ ହୋଇଛି।

ଶ୍ରୀମନ୍ଦିର ମରାମତି ପାଇଁ ପ୍ରସ୍ତୁତ ହେବ ୫ ବର୍ଷିଆ ଯୋଜନା
ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଚିଠି ଲେଖିବ ପ୍ରତ୍ନତତ୍ତ୍ବ ବିଭାଗ
ରଥଯାତ୍ରା ବିଶୃଙ୍ଖଳାକୁ ନେଇ ଉଦ୍‌ବେଗ
ଶ୍ରୀମନ୍ଦିରରେ ସୀମିତ ହେବ ସେବକ ସଂଖ୍ୟା

ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ଥିବାରୁ ତ୍ବରିତ ଲାଗି ପ୍ରତ୍ନତତ୍ତ୍ବ ବିଭାଗ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିବ ବୋଲି ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅରୁଣ ମଲ୍ଲିକ କହିଛନ୍ତି। ସେ କହିଛନ୍ତି, ଆମେ ଜାଣିଛୁ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ରହିଛି। ଏହା ମରାମତି ବି ଆବଶ୍ୟକ ପଡ଼ୁଥିବା ଜାଣିବାକୁ ପାଇଛୁ। କିନ୍ତୁ ଅନୁଧ୍ୟାନ ନ କଲେ କିଛି କହିହେବନି। ଅନ୍ୟପଟେ ଆଜି ପ୍ରତ୍ନତତ୍ତ୍ବ ବିଭାଗ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇଥିଲେ ବି ଭିନ୍ନ ପ୍ରସଙ୍ଗ ଉଠାଇ ଶ୍ରୀମନ୍ଦିର ପରିଚାଳନା କମିଟି ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଏଡ଼ାଇ ଯାଇଥିବା ଜଣାପଡ଼ିଛି।

ରଥଯାତ୍ରାରେ ସେବକମାନେ ଠାକୁରଙ୍କ ସାମ୍ନାରେ ରହୁଥିବା କାରଣରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ପ୍ରସଙ୍ଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ସେହିଭଳି ଶ୍ରୀମନ୍ଦିର ଶୋଧ ଓ ଅନ୍ୟାନ୍ୟ କାର୍ଯ୍ୟ ଠିକ୍‌ରେ କରାଯାଉନଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ପ୍ରସଙ୍ଗରେ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ପରେ ‌ଖୁବଶୀଘ୍ର ଦଇତାପତି ନିଯୋଗ ଓ ଛତିଶାନିଯୋଗ ବୈଠକ ଡାକି ବିସ୍ତୃତ ଆଲୋଚନା କରିବାକୁ ଆଜି ପରିଚାଳନା କମିଟି ନିଷ୍ପତ୍ତି ନେଇଛି।

ଶ୍ରୀମନ୍ଦିରରେ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ ବେଳେ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ପାଳିଆ ସେବକଙ୍କ ସହ ପାଳି ନ ଥିବା ସେବକମାନେ ଗର୍ଭଗୃହରେ ପଶି ଭକ୍ତଙ୍କ ଦର୍ଶନ ପଥ ଓଗାଳୁଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। ଏ ନେଇ ଉଦ୍‌ବେଗ ପ୍ରକାଶ ପରେ ଶେଷରେ ଶ୍ରୀମନ୍ଦିରରେ ସେବକ ସଂଖ୍ୟା ସୀମିତ କରିବାକୁ ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି, ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ଆମେ ଶ୍ରୀମନ୍ଦିର ସେବକ ସଂଖ୍ୟା ସୀମିତ କରିବାକୁ ନିଷ୍ପତ୍ତି ନେଇଛୁ। ଯେଉଁମାନଙ୍କ ପାଳି ରହିଛି, ସେମାନେ ହିଁ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଗର୍ଭଗୃହକୁ ଯାଇପାରିବେ। ଅନ୍ୟ କାହାରିକୁ ଏଠାକୁ ଅନୁମତି ମିଳିବନି। ଫଳରେ ମହାପ୍ରଭୁଙ୍କ ଆଗରେ ଅଯଥା ଭିଡ଼ ହେବନି, ଭକ୍ତମାନେ ଶୃଙ୍ଖଳିତ ଦର୍ଶନ ସାରି ଫେରିବେ। ସୂଚନାଯୋଗ୍ୟ, ଶ୍ରୀମନ୍ଦିର ସ୍ବତ୍ତ୍ବଲିପି ଅନୁଯାୟୀ ମହାପ୍ରଭୁଙ୍କ ୧୧୯ ପ୍ରକାରର ଦୈନିକ ସେବା ରହିଥିବାବେଳେ ବର୍ତ୍ତମାନ ପ୍ରାୟ ୯୦ଟି ସେବା ସଂପାଦନ ହେଉଛି। କିନ୍ତୁ ଯେଉଁମାନେ ପାଳି ଖଟୁଛନ୍ତି, ସେମାନଙ୍କଠାରୁ ଢ଼େର ଅଧିକ ସେବକ ଗର୍ଭଗୃହରେ ପଶି ମହାପ୍ରଭୁଙ୍କ ଦର୍ଶନ ଅବରୋଧ କରିବା ସହ ଭକ୍ତଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇ ଆସୁଛି।

ମହାପ୍ରଭୁଙ୍କ ଅମୃତମଣୋହି ଜମି ସହ ଅନ୍ୟାନ୍ୟ ଜମିକୁ ନେଇ ଆଜିର ବୈଠକରେ ତମ୍ବିତୋଫାନ ହୋଇଛି। ବନ୍ଦୋବସ୍ତରେ ମହାପ୍ରଭୁଙ୍କ ଯେଉଁ ଜମି ଏପଟସେପଟ ହୋଇଛି, ତାର ସଂଶୋଧନ ପାଇଁ ବାରମ୍ବାର ରାଜସ୍ବ ବିଭାଗର ଅଧିକାରୀଙ୍କୁ ଚିଠି କଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି। ତହସିଲଦାରମାନେ ଚିଠି ପାଇ ନିରବ ବସୁଛନ୍ତି। ଏହାକୁ ନେଇ ଆଜିର ବୈଠକରେ ଆଲୋଚନା ପରେ ଜିଲ୍ଲାପାଳ ଏ ଦିଗରେ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି। ନିଜେ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଚିଠି କରି ତୁରନ୍ତ ସଂଶୋଧନ କାର୍ଯ୍ୟ ସମ୍ପାଦନ କରିବାକୁ କହିବେ ବୋଲି କହିଛନ୍ତି।

ପୁରୀ ଜିଲ୍ଲାରେ ବନ୍ଦୋବସ୍ତରେ ମହାପ୍ରଭୁଙ୍କ ପ୍ରାୟ ୨ହଜାର ଏକର ଜମି ଏପଟସେପଟ କରାଯାଇଛି। ସର୍ବାଧିକ ଜମି ଦୁର୍ନୀତି ପୁରୀ ତହସିଲ ଅଧୀନରେ ହୋଇଛି। ପ୍ରାୟ ୧୧ଶହ ଏକର ଜମି ପୁରୀ ତହସିଲ ଅଧୀନରେ ଚଞ୍ଚକତା କରାଯାଇଛି। ସେହିଭଳି ଗୋପ ତହସିଲରେ ୪ଶହ ଏକର, ବ୍ରହ୍ମଗିରି ତହସିଲରେ ୨ଶହ ଏକର ଜମି ଚଞ୍ଚକତା କରାଯାଇଛି। କୃଷ୍ଣପ୍ରସାଦ ଓ ସତ୍ୟବାଦୀକୁ ଛାଡ଼ିଦେଲେ ବାକି ତହସିଲରେ ଏଭଳି ୪୦ରୁ ୫୦ ଏକର ଜମି ଚଞ୍ଚକତା କରାଯାଇଛି। ଏହାର ତାଲିକା ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ସମ୍ପୃକ୍ତ ତହସିଲଦାରଙ୍କୁ ବାରମ୍ବାର ଚିଠି ଲେଖିଲାଣି। କିନ୍ତୁ କେହି ଏହାକୁ କର୍ଣ୍ଣପାତ କରୁନାହାନ୍ତି। କିଭଳି ଏହି ଜମି ମହାପ୍ରଭୁଙ୍କ ଖାତାକୁ ଫେରିବ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି। ସେପଟେ ଶ୍ରୀମନ୍ଦିର ଲ୍ୟାଣ୍ଡ ସବ୍‌କମିଟି ନିଷ୍ପତ୍ତିକୁ ଆଜି ପରିଚାଳନା କମିଟି ମଞ୍ଜୁରି ପ୍ରଦାନ କରିଛି।

ସମ୍ବନ୍ଧିତ ଖବର