ପଞ୍ଚଭୂତରେ ଲୀନ ହେଲେ ଶ୍ରୀହରିଲାଲ୍‌ ଶର୍ମା: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ

ଭୁବନେଶ୍ବର/ପୁରୀ: ପୂର୍ବତନ ଭାଇସ୍‌ ଆଡମିରାଲ ଶତାୟୁ ଶ୍ରୀହରିଲାଲ ଶର୍ମାଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଜି ଦିନ ପ୍ରାୟ ୧୧ଟାରେ ହସ୍ପିଟାଲରୁ ତାଙ୍କ ମରଶରୀର ନୀଳକଣ୍ଠନଗରସ୍ଥିତ ବାସଭବନରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପୂର୍ବରୁ ସେଠାରେ ପ୍ରସ୍ତୁତ ଥିବା ‌ନାଭାଲ୍‌ ଟିମ୍‌ ଓ ଟେରିଟୋରିଆଲ୍‌ ଆର୍ମି ପକ୍ଷରୁ ଗାର୍ଡ-ଅଫ୍‌-ଅନର୍‌ ଦିଆଯାଇଥିଲା। ଦିନ ପାଖାପାଖି ୩ଟାରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ପୁରୀ ନିଆଯାଇଥିଲା। ସ୍ବର୍ଗଦ୍ବାରରେ ନୌସେନା ପକ୍ଷରୁ ତୋପ ସଲାମି ଦିଆଯିବା ପରେ ଅପରାହ୍‌ଣ ୪ଟାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ସାନପୁଅ ନବୀନ ଶର୍ମା ମୁଖାଗ୍ନି ଦେଇଥିଲେ। ପୁତ୍ରବଧୂ ନଳୀନ ଶର୍ମା, ନାତି କ୍ୟାପଟେନ୍‌ ଅନୋଜ ଶର୍ମାଙ୍କ ସମେତ ସମ୍ପର୍କୀୟ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଅସୁସ୍ଥତା କାରଣରୁ ଶ୍ରୀହରିଲାଲ୍‌ ଶର୍ମା ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ୩ଦିନ ତଳେ ତାଙ୍କୁ ଭେଣ୍ଟିଲେଟ୍‌ରରୁ ବାହାରକୁ ଅଣାଯାଇଥିଲା। ତେବେ ସୋମବାର ସଂଧ୍ୟା ପ୍ରାୟ ୬ଟା ୨୦‌ରେ ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଯାଇଥିଲା। ଗତ ଡିସେମ୍ବର ୧ରେ ସ୍ବର୍ଗତ ଶର୍ମା ତାଙ୍କର ଶହେ ତମ ଜନ୍ମ ଉତ୍ସବ ପାଳନ କରିଥିଲେ।

ସମ୍ବନ୍ଧିତ ଖବର