ପାରଳାଖେମୁଣ୍ଡି: ଦିନେ ଶ୍ରମିକ ଓ ରେଶମ ଚାଷୀଙ୍କ କୋଳାହଳରେ ଫାଟି ପଡ଼ୁଥିଲା ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ ନିକଟ କୁଶପଲ୍ଲୀର ରେଶମ ସୂତା କଟା ଓ ବଳା କେନ୍ଦ୍ର। ଏବେ ସବୁ ଶୂନ୍‌ଶାନ୍‌, କେନ୍ଦ୍ର ଶ୍ରୀହୀନ। ଜିଲ୍ଲାର ଏକମାତ୍ର ଶିଳ୍ପକେନ୍ଦ୍ର ଦିନେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫ଶହ ପରିବାରର ଗୁଜୁରାଣ ମେଣ୍ଟାଉଥିଲା। ଗଜପତି ଜିଲ୍ଲାର ଦାଦନ ସମସ୍ୟାର ସମାଧାନ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ଶିଳ୍ପକେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଢେର୍‌ କିଛି ବର୍ଷ ଏହା ଭଲରେ ଚାଲିଲା। ହେଲେ ୨୦୦୩ ମସିହାରେ ଏହାକୁ ହଠାତ୍‌ ବନ୍ଦ କରି ଦିଆଗଲା। ଗଲା ୨୧ବର୍ଷ ହେଲା ଏହି ଶିଳ୍ପକେନ୍ଦ୍ର ପୁନଃ ଚାଲୁ କରିବା ପାଇଁ ସ୍ଥାନୀୟ ଲୋକେ, ଜିଲ୍ଲାବାସୀ ବାରମ୍ବାର ଦାବି କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଏଠାକାର ଲୋକେ ବାହାର ରାଜ୍ୟରେ କାମ କରିବାକୁ ବାଧ୍ୟ ହେଉଛନ୍ତି। କଞ୍ଚାମାଲର ଅଭାବ ଯୋଗୁଁ ଏହି ଶିଳ୍ପ ବନ୍ଦ ହୋଇଯାଇଥିବା ବେଳେ ଆବଶ୍ୟକୀୟ ପରିମାଣର କଞ୍ଚାମାଲ ମିଳିଲେ ଏହାକୁ ପୁନଃ ଚଳାଇବା ପାଇଁ ପ୍ରସ୍ତାବ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି। 

Advertisment

ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଗଜପତି ଜିଲ୍ଲାର ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭରଶୀଳ। ଯେଉଁମାନେ ଚାଷ କରିପାରନ୍ତି ନାହିଁ ସେମାନେ ସ୍ଥାନୀୟ ଅଞ୍ଚଳରେ କୌଣସି କାମଧନ୍ଦା ପାଉନଥିବାରୁ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହୁଅନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଗତ ୧୯୯୪ମସିହାରେ ଗଜପତି ଜିଲ୍ଲା ରା.ଉଦୟଗିର ବ୍ଲକ୍‌ ମହେନ୍ଦ୍ରଗଡ଼ ନିକଟସ୍ଥ କୁଶପଲ୍ଲୀ ଠାରେ ରେଶମ ସୂତାକଟା ଓ ବଳା କେନ୍ଦ୍ର ସ୍ଥାପନ କରାଯାଇଥିଲା। ରେଶମ ସୂତା କଟା ଓ ବଳା ପାଇଁ ପ୍ରାୟ ୩ଶହ ଜଣ ଏଠାରେ କାମ କରୁଥିବା ବେଳେ ରେଶମ ପୋକ ପାଳନ କରୁଥିଲେ ଏହି ଅଞ୍ଚଳର ହଜାର ହଜାର ମହିଳା ଓ ପୁରୁଷ। ୨୦୦୩ ମସିହା ଯାଏଁ ଏହି କେନ୍ଦ୍ର ଭଲରେ ଚାଲୁଥିଲା। ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ଶିଳ୍ପ ଯୋଗୁଁ ହଜାର ହଜାର ପରିବାର ଗୁଜୁରାଣ ମେଣ୍ଟାଉଥିଲେ। 

କୋଟି କୋଟି ଟଙ୍କାରେ ନିର୍ମିତ କୋଠାରେ ଏବଂ କିଣାଯାଇଥିବା ମେସିନ ସବୁ ସେଦିଦିନ ଠାରୁ ଖତ ଖାଉଛି। ଯଦିଓ ଏବେ ବି ଏହି ଅଞ୍ଚଳର ଲୋକେ ରେଶମ ଚାଷ କରୁଛନ୍ତି ଏବଂ କୁଶଳୀ କାରିଗର ରହିଛନ୍ତି, ତଥାପି କେନ୍ଦ୍ର ଚାଲୁ ନଥିବାରୁ ଚାଷୀ ତାଙ୍କ ଉତ୍ପାଦିତ ରେଶମ ସୂତା ବିକ୍ରି କରିବାରେ ଏବଂ ଶ୍ରମିକ କାମ ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଅନେକ ଯୁବକ ଏହି ସମାନ କାମ କରିବା ପାଇଁ ଗୁଜୁରାଟର ସୁରତ ସହରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏଠାରେ କାମ କରୁଥିବା ମହିଳାମାନେ ଏବେ ବେକାର ହୋଇ ଘରେ ବସିଛନ୍ତି। ସେହିପରି ରେଶମ ଚାଷ କରୁଥିବା ଲୋକେ ସେମାନଙ୍କ ଉତ୍ପାଦ ବିକ୍ରି କରିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାହାରୁ ଆସୁଥିବା ଲୋକେ ଉତ୍ପାଦକୁ ଶାଗମାଛ ଦରରେ କିଣି ନେଉଛନ୍ତି।  ଫଳରେ ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ନୂତନ ସରକାର ଦାୟିତ୍ବ ନେବା ପରେ ଏବେ ଏହି କେନ୍ଦ୍ର ଖୋଲିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି। ଶିଳ୍ପକେନ୍ଦ୍ର କୋଠାଟି ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ଯାହାକୁ ମରାମତି କରାଯିବା ସହ ନୂତନ ମେସିନ ଲଗାଇ ଏହି କେନ୍ଦ୍ର ପୁନଃଚାଲୁ କରିବାକୁ ଲୋକେ ଦାବି କରିଛନ୍ତି।

ଏନେଇ ରେଶମ ଚାଷ ନିରୀକ୍ଷକ ଅର୍ଜୁନ ସାହୁ କହିଛନ୍ତି, ଆଗରୁ ବହୁ ଲୋକେ ଏହି ଚାଷ କରୁଥିଲେ। କିନ୍ତୁ ଶିଳ୍ପକେନ୍ଦ୍ର ବନ୍ଦ ହେବା ପରେ ଏହି ଉତ୍ପାଦ ବିକ୍ରି ପାଇଁ ବାହାର ଲୋକଙ୍କ ଉପରେ ନିର୍ଭର କରିବାକୁ ପଡୁଛି। ତେଣୁ ଅନେକ ଏହି ଚାଷରୁ ମୁହଁ ଫେରାଇ ନେଲେଣି। ତଥାପି କିଛି ଲୋକ ଏହି ଚାଷ ଜାରି ରଖିଛନ୍ତି। ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆ ଯାଉଥିବା ସେ କହିଛନ୍ତି। ଶିଳ୍ପବିହୀନ ଗଜପତି ଜିଲ୍ଲାରେ ଗଢ଼ି ଉଠିଥିବା ଏହି ଏକମାତ୍ର ଶିଳ୍ପ ବନ୍ଦ ହେବା ନିଶ୍ଚିତ ଭାବେ ଦାଦନ ସମସ୍ୟା ବଢାଇଛି। ଏନେଇ ଜିଲ୍ଲାପାଳ ବିଜୟ କୁମାର ଦାଶ ଆଲୋଚନା ବେଳେ କହିଛନ୍ତି, ରେଶମ ସୂତାକଟା ଓ ବଳା କେନ୍ଦ୍ର ପାଇଁ ଯେତିକି ଉତ୍ପାଦ ଆବଶ୍ୟକ ତାହା ନ ହେବାରୁ ଏହି କେନ୍ଦ୍ର ବନ୍ଦ ହୋଇଯାଇଛି। ବର୍ତ୍ତମାନ ଯଦି ଆବଶ୍ୟକ ପରିମାଣର ଉତ୍ପାଦ ହୁଏ, ଏହି କେନ୍ଦ୍ର ଚାଲୁ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ସେ କହିଛନ୍ତି।