ପୁରୀ : ରତ୍ନବେଦି ଛାଡ଼ି ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ମହାପ୍ରଭୁ ଆଜି ଜନ୍ମବେଦି ତଥା ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି। ଗତକାଲି ଠାରୁ ଶରଧାବାଲିରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜି ଅପରାହ୍ଣରେ ଦଇତାପତି ଓ ଅନ୍ୟ ସେବାୟତମାନେ ଗୋଟି ପହଣ୍ଡିରେ ଜନ୍ମବେଦିକୁ ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହରିବୋଲ, ଜୟ ଜଗନ୍ନାଥ ଧ୍ବନିରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଥିଲା। କିନ୍ତୁ ଭକ୍ତ ବିନା ଜନ୍ମବେଦିରେ ସେ ଭଳି କୋଳାହଳ ନାହିଁ। ଚଳିତବର୍ଷ କରୋନା କଟକଣା ପାଇଁ ଆସନ୍ତାକାଲିର ଆଡ଼ପ ଦର୍ଶନ ବନ୍ଦ ରଖାଯାଇଛି। ଭକ୍ତମାନେ କେବଳ ଆଡ଼ପ ଅବଢ଼ା ପାଇପାରିବେ। ତା’ ପୁଣି କଟକଣା ଭିତରେ। ରଥ ଉପରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୈନିନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୨ଟା ସୁଦ୍ଧା ପହଣ୍ଡି କରିବାକୁ ଯୋଜନା କରାଯାଇଥିଲେ ବି ଅପରାହ୍ଣ ୫ଟା ୨୭ରେ ପୁଷ୍ପାଞ୍ଜଳି ନୀତି ପରେ ପହଣ୍ଡି ଆରମ୍ଭ ହୋଇଥିଲା।
ଅପରାହ୍ଣ ୫ଟା ୩୫ରେ ପ୍ରଥମେ ରାମକୃଷ୍ଣ ଓ ମଦନମୋହନ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ଅପରାହ୍ଣ ୫ଟା ୫୫ରେ ପ୍ରଭୁ ସୁଦର୍ଶନ ବିଜେ କରିଥିଲେ। ସଂଧ୍ୟା ସାଢ଼େ ୬ଟାରେ ବଡ଼ଠାକୁର ବଳଭଦ୍ର, ରାତି ୭ଟା ୨୫ରେ ମା’ ସୁଭଦ୍ରା ଓ ରାତି ୮ଟା ୬ରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଜନ୍ମବେଦିକୁ ବିଜେ କରିଥିଲେ। କର୍ଫ୍ୟୁ କଟକଣା ଭିତରେ ଭକ୍ତଙ୍କୁ ଦୂରେଇ ରଖି ପହଣ୍ଡି ନୀତି ସଂପନ୍ନ ହୋଇଥିଲା। ପ୍ରତିବର୍ଷ ଆଡ଼ପ ମଣ୍ଡପକୁ ମହାପ୍ରଭୁ ବିଜେ କରିବା ପରେ ପରଦିନ ଆଡ଼ପ ଦର୍ଶନ ଆରମ୍ଭ ହୋଇଥାଏ। ବିଶ୍ୱାସ ରହିଛି, ବର୍ଷକୁ ଥରେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୂଣ୍ୟ ମିଳେ।
ଏଥି ପାଇଁ ଲକ୍ଷ ଲକ୍ଷ ଭକ୍ତ ଆଡପ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଦୌଡ଼ି ଆସନ୍ତି। ସେ ପଟେ ବର୍ଷକୁ ୯ ଦିନ ମିଳୁଥିବା ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତମାନେ ଚାହିଁ ରହିଥାନ୍ତି। ସ୍ୱାଦ ଦୃଷ୍ଟିରୁ ବି ଆଡ଼ପ ଅବଢ଼ା ଶ୍ରୀମନ୍ଦିର ଅବଢ଼ା ଠାରୁ ଭିନ୍ନ। କିନ୍ତୁ ଚଳିତ ବର୍ଷ ସବୁକିଛି ବନ୍ଦ ରଖାଯାଇଛି। କେବଳ ଦୈନନ୍ଦିନ ନୀତିକାନ୍ତି ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଆସନ୍ତାକାଲି ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ କରିଛି।
ନିର୍ଘଣ୍ଟ ନୀତି ଅନୁଯାୟୀ, ଆସନ୍ତାକାଲି ସକାଳ ୫ଟାରେ ଦ୍ବାରଫିଟା ନୀତି ଅନୁଷ୍ଠିତ ହେବ। ସାଢ଼େ ୫ଟାରେ ଭିତରଶୋଧ ଓ ୬ଟାରେ ମଙ୍ଗଳଆଳତି ନୀତି ସଂପନ୍ନ ହେବ। ସାଢ଼େ ୬ଟାରେ ମଇଲମ ଓ ତଡ଼ପଲାଗି, ୭ଟାରେ ଅବକାଶ ନୀତି ସଂପନ୍ନ ହେବ । ସକାଳ ୯ଟାରେ ରୋଷହୋମ, ୯ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୯ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ପୂର୍ବାହ୍ଣ ୧୦ଟାରେ ଗୋପାଳବଲ୍ଲଭ, ସାଢ଼େ ୧୦ ରୁ ୧୨ଟା ମଧ୍ୟରେ ସକାଳଧୂପ, ସାଢ଼େ ୧୨ଟାରୁ ସାଢ଼େ ଗୋଟାଏ ଭୋଗମଣ୍ଡପ, ଗୋଟାଏ ୪୫ରେ ମଇଲମ, ସାଢ଼େ ୨ଟାରେ ଯାତ୍ରାଙ୍ଗୀ ମହାସ୍ନାନ, ୩ଟାରେ ଘଣ୍ଟଛତା ସର୍ବାଙ୍ଗ, ସାଢ଼େ ୩ଟାରେ ନୂଆଲୁଗା ଲାଗି ଓ ବେଶ, ସାଢ଼େ ୪ଟାରୁ ସାଢ଼େ ୫ଟା ମଧ୍ୟାହ୍ନ ଧୂପ, ସଂଧ୍ୟା ୫ରୁ ସାଢ଼େ ୬ଟା ଭିତରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବ।
ରାତି ୭ଟାରୁ ୮ଟା ମଇଲମ ଓ ବେଶ, ସାଢ଼େ ୮ଟାରେ ସଂଧ୍ୟା ଆଳତି, ୯ଟା ରୁ ସାଢ଼େ ୧୦ଟା ସଂଧ୍ୟାଧୂପ, ୧୧ଟାରୁ ସାଢ଼େ ୧୧ଟା ମଇଲମ ଓ ଚନ୍ଦନଲାଗି, ସାଢ଼େ ୧୨ଟାରେ ବଡ଼ସିଂହାର ବେଶ, ଗୋଟାଏରେ ବଡ଼ସିଂହାର ଭୋଗ ସଂପନ୍ନ ପରେ ରାତି ସାଢ଼େ ଗୋଟାଏରେ ପହୁଡ଼ ହେବ।