ଜଗତସିଂହପୁର: ପୁରୀ ଶ୍ରୀକ୍ଷେତ୍ର ସହିତ ଜଗତସିଂହପୁର ପୁନଙ୍ଗ ପଞ୍ଚାୟତସ୍ଥିତ ସିଦ୍ଧ ବାରଙ୍ଗ ପୀଠର ରହିଛି ଆଧ୍ୟାତ୍ମିକ ସଂଯୋଗ। ବର୍ଷକୁ ଗୋଟିଏ ଦିନ ସ୍ବୟଂ ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ର ଛାଡ଼ି ଏହି ପୀଠକୁ ବିଜେ କରନ୍ତି ବୋଲି ବିଶ୍ବାସ ରହିଛି। ସେହିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବା ସହିତ ମହାପ୍ରସାଦ ସେବନ କରନ୍ତି। ସେବାୟତ ମହେନ୍ଦ୍ର ନାଥ ଖୁଣ୍ଟିଆଙ୍କ କହିବା ଅନୁସାରେ, ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଶିଶୁ ଅନନ୍ତଙ୍କ ପ୍ରଧାନ ଶିଷ୍ୟ ହେଉଛନ୍ତି ସିଦ୍ଧ ବାରଙ୍ଗ। ଶିଶୁ ଅନନ୍ତ ଜୀବନର ଶେଷ ପର୍ଯ୍ୟନ୍ତ ଏଠାରେ ଥିଲେ। ତାଙ୍କର ଶିଷ୍ୟ ଭାବେ ସିଦ୍ଧ ବାରଙ୍ଗ ମଧ୍ୟ ତାଙ୍କ ପାଖେ ପାଖେ ରହୁଥିଲେ। ଶିଶୁ ଅନନ୍ତଙ୍କ ଯେତେ ମାଳିକା ଲେଖାହୋଇଛି ସେସବୁ ଶିଷ୍ୟ ସିଦ୍ଧ ବାରଙ୍ଗଙ୍କୁ କହିଛନ୍ତି। ସିଦ୍ଧ ବାରଙ୍ଗଙ୍କ ଆରାଧ୍ୟ ଥିଲେ ଶ୍ରୀଜଗନ୍ନାଥ। ସେହି ହିସାବରେ ପ୍ରତିଦିନ ଧ୍ୟାନ ଓ ତପ ବଳରେ ଶ୍ରୀକ୍ଷେତ୍ର ଯାଆନ୍ତି ଓ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଆସନ୍ତି। ବାର୍ଦ୍ଧକ୍ୟ ଅବସ୍ଥାରେ ଯିବାଆସିବା କରିବା ଅସୁବିଧା ହେଲା। ତେଣୁ ସିଦ୍ଧ ବାରଙ୍ଗ, ଜଗନ୍ନାଥଙ୍କୁ ଆଜ୍ଞା ମାଗିଥିଲେ ଯଦି ଦର୍ଶନ ନ ମିଳେ ତାହେଲେ ଜଳ ସ୍ପର୍ଶ କରିବେନି। ସେତେବେଳର ପୁରୀ ରାଜା ପ୍ରତାପ ରୁଦ୍ର ଦେବ ବାରଙ୍ଗଠାରେ ଶ୍ରୀଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ।
ସିଦ୍ଧ ବାରଙ୍ଗଙ୍କ ପରମ ଶିଷ୍ୟ ଖୁଣ୍ଟିଆ ସେବାୟତଙ୍କ ମଧ୍ୟରୁ ଶ୍ରୀରାମ ଖୁଣ୍ଟିଆ ଏଠାକୁ ଆସି ମନ୍ଦିର ସେବା ପୂଜା ଜାରି ରଖିଲେ। ଶ୍ରୀରାମ ଖୁଣ୍ଟିଆଙ୍କ ବଂଶଧରମାନେ ଆଜିପର୍ଯ୍ୟନ୍ତ ସେବାକାର୍ଯ୍ୟ କରି ଆସୁଛନ୍ତି। ପଣ୍ଡୁ ଚତୁର୍ଦ୍ଦଶୀ ଦିନ ବାରଙ୍ଗ ଗୋସେଇଁଙ୍କ ସିଦ୍ଧିପ୍ରାପ୍ତି ହୋଇଥିଲା। ଏହି ପୀଠରେ ସମାଧି ନେଇଥିବାରୁ ଏହା ସିଦ୍ଧବାରଙ୍ଗ ପୀଠରେ ନାମିତ ହୋଇଛି। ସେହିଦିନ ରାତିର ଚତୁର୍ଥ ପ୍ରହରୀରେ ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ବର ମାଗିଥିଲେ ଯେ ବର୍ଷକୁ ଗୋଟିଏ ଦିନ କ୍ଷେତ୍ର ଉପରେ ମହାପ୍ରଭୁ ବିଜେ କରିବେ। ତାଙ୍କ ସିଦ୍ଧିପ୍ରାପ୍ତି ଦିନ ପଣ୍ଡୁ ଚତୁର୍ଦ୍ଦଶୀରେ ଆଜିପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀକ୍ଷେତ୍ର ଛାଡ଼ି ଗୋଟିଏ ଦିନ ଏଠାକୁ ବିଜେ କରନ୍ତି ବୋଲି ବିଶ୍ବାସ ରହିଛି। ମାଳଚୂଳ ରୂପରେ ଠାକୁର ବିଜେ କରନ୍ତି। ମାଳଚୂଳ ଆସିବା ପରେ ଶ୍ରୀଜଗନ୍ନାଥଙ୍କର ତୁଳସୀମାଳ ଓ ଚନ୍ଦନ ଏଥିରେ ଲାଗି ହୁଏ। ଏହାପରେ ପୀଠରେ ପୂଜା ପାଉଥିବା ଜଗନ୍ନାଥଙ୍କର ପହୁଡ଼ ପଡ଼େ ଓ ସେହି ସମୟରେ ସିଦ୍ଧ ବାରଙ୍ଗଙ୍କ ସମାଧି ଉପରେ ମାଳଚୂଳ ଲାଗି ହୁଏ। ଏହା ପରଦିନ ମାଳଚୂଳ ଏକ ମାସ ପାଇଁ ବଡ଼ ସେବାୟତଙ୍କ ଘରେ ପୂଜା ହୁଏ। ତା’ ପରେ ପୀଠ ନିକଟରେ ଥିବା ଗୁପ୍ତ ଗଙ୍ଗାରେ ବିସର୍ଜନ ହୁଅନ୍ତି ବୋଲି ସେବାୟତ ମହେନ୍ଦ୍ର ନାଥ ଖୁଣ୍ଟିଆ କହିଛନ୍ତି।