ଅନ୍ତର୍ଜାତୀୟ ଆକର୍ଷଣ କେନ୍ଦ୍ର ପାଲଟିବ ଶ୍ରୀସଦାଶିବ ପରିସର: ଧର୍ମେନ୍ଦ୍ର

ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ ଉଦ୍‌ଘାଟିତ

ପୁରୀ : କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଅଧୀନ ଶ୍ରୀସଦାଶିବ ପରିସରରେ ହିନ୍ଦୁ ଅଧ୍ୟୟନ କେନ୍ଦ୍ର ଓ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ଦଶହରାରେ ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ଆଦର୍ଶ ବେଦବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ଶୁଭାରମ୍ଭ ସୌଭାଗ୍ୟର ବିଷୟ। ଏହା ପୁରୀ କିମ୍ବା ରାଜ୍ୟ ଭିତରେ ସୀମିତ କରାନଯାଉ। ଆମେ ରାଷ୍ଟ୍ରୀୟ ଶିକ୍ଷାନୀତି କ୍ରିୟାନ୍ବୟନ କାମରେ ଲାଗିଛୁ। ହିନ୍ଦୁ ଅଧ୍ୟୟନ କେନ୍ଦ୍ରକୁ ୟୁଜିସି ସ୍ନାତକୋତ୍ତରର ମାନ୍ୟତା ପ୍ରଦାନ କରାଯାଇଛି। ଚଳିତବର୍ଷ ଶ୍ରୀସଦାଶିବ ପରିସରରେ ଏହି ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବ। ଏଠି ଯେଉଁ ହିନ୍ଦୁ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହେବ, ତାହା ହିନ୍ଦୁ ପରମ୍ପରା ଆଧାରରେ ହେବ। କେବଳ ଦେଶ ନୁହେଁ, ଅନ୍ତର୍ଜାତୀୟ ସ୍ତରରେ ବି ଏହାର ଆକର୍ଷଣ ବଢ଼ିବ। କାରଣ ଅତୀତରେ ଅନେକ ବିଶ୍ବସ୍ତରୀୟ ଗବେଷକମାନେ ଭାରତ ଆସିଛନ୍ତି, ହିନ୍ଦୁ ପରମ୍ପରାକୁ ବୁଝିବା ପାଇଁ। ଶ୍ରୀସଦାଶିବ ପରିସର ନିଶ୍ଚିତ ପକ୍ଷେ ଏ ଦିଗରେ ସହଯୋଗ କରିବ। ଆମର ମୂଳଜ୍ଞାନ ହେଉଛି ବେଦ, ମୂଳତତ୍ତ୍ବ ହେଉଛି ଉପନିଷଦ। ପ୍ରଥମଥର ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ବେଦ ଓ ଉପନିଷଦ ଇଁ ବୋର୍ଡ ତିଆରି କରାଯାଇଛି। ଏହି ବୋର୍ଡ ଉଜ୍ଜୟିନୀ ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ ଅଧୀନରେ କାର୍ଯ୍ୟକରିବ। ଏହାର ଏକ ‌ଶାଖା ପୁରୀ ଶ୍ରୀସଦାଶିବ ପରିସରରେ ‘ଶ୍ରୀଜଗନ୍ନାଥ ରାଷ୍ଟ୍ରୀୟ ବେଦ ବିଦ୍ୟାଳୟ’ ନାମରେ ଆରମ୍ଭ ହୋଇଛି। ଏହା ଏକବିଂଶ ଶତାଦ୍ଦୀରେ ଭାରତୀୟ ପରମ୍ପରା, ହିନ୍ଦୁତ୍ବ, ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆହୁରି ପ୍ରଭାବଶାଳୀ କରିବା ସହ ନୂଆପିଢ଼ିକୁ ଯୋଡ଼ିବା ଦିଗରେ ସହାୟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ମାନିତ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉଜ୍ଜୟିନୀ ମହର୍ଷି ରାଷ୍ଟ୍ରୀୟ ସନ୍ଦିପନୀ ବେଦ ବିଦ୍ୟା ପ୍ରତିଷ୍ଠାନର ଉପଧ୍ୟକ୍ଷ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ମିଶ୍ର, ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନର ସଚିବ ପ୍ରଫେସର ବିରୁପାକ୍ଷ ଜଡ଼ିପାଲ, ଶ୍ରୀସଦାଶିବ ପରିସରର ନିର୍ଦ୍ଦେଶକ ପ୍ରଫେସର ଖଗେଶ୍ବର ମିଶ୍ର ଯୋଗଦେଇ ଭାରତୀୟ ସଂସ୍କୃତିରେ ସଂସ୍କୃତର ଭୂମିକା ଓ ହିନ୍ଦୁଧର୍ମର ମୂଳସୂତ୍ର ଉପରେ ଆଲୋଚନା କରିଥିଲେ। କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର କୁଳପତି ଆଚାର୍ଯ୍ୟ ଶ୍ରୀନିବାସ ବରଖେଡ଼ୀ ସ୍ବାଗତ ଭାଷଣ ଦେଇଥିଲେ। ମହର୍ଷି ସନ୍ଦିପନୀ ରାଷ୍ଟ୍ରୀୟ ବେଦ ବିଦ୍ୟା ପ୍ରତିଷ୍ଠାନର ସଚିବ ପ୍ରଫେସର ଜଡ଼ିପାଲ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ର‌ଫେସର ଅତୁଲ କୁମାର ନନ୍ଦ, ବିଶ୍ବନାଥ ମିଶ୍ର, ରମାକାନ୍ତ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର