ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା: ନାଟମଣ୍ଡପ ମରାମତି ପ୍ରସଂଗରେ ଏଏସ୍‌ଆଇର ସତ୍ୟପାଠ

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନ‌ାଟ ମଣ୍ଡପ ମରାମତି କାର୍ଯ୍ୟ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ନାଟମଣ୍ଡପ ମରାମତି ଓ ସଂରକ୍ଷଣ କାର୍ଯ୍ୟ ଏହି ଅବଧି ଭିତରେ କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସ˚ସ୍ଥା (ଏଏସ୍‌ଆଇ)କୁ ମାର୍ଚ୍ଚ ୧୩ରେ ଅନୁମତି ଦିଆଯାଇଥିଲା। ହାଇକୋର୍ଟରେ ଏଏସଆଇ ପୁରୀ ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଦାଖଲ କରିଥିବା ସତ୍ୟପାଠରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି। ଏଏସଆଇର ନୂଆଦିଲ୍ଲୀସ୍ଥିତ ନିର୍ଦ୍ଦେଶକ (କଂଜରଭେସନ)୨୦୨୩, ଫେବ୍ରୁଆରି ୨୫ରେ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସି ନାଟମଣ୍ଡପର ଫଟା ବିମର ସ୍ଥିତି ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ନିର୍ଦ୍ଦେଶକଙ୍କ ପରାମର୍ଶ ଅାଧାରରେ ନାଟ ମଣ୍ଡପର କ୍ଷତିଗ୍ରସ୍ତ ହୋଇଥିବା ଅଂଶକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି। ସଂରକ୍ଷଣ କାମ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଡ କରାଯିବା ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ମିଳିଥିବା ଅନୁମତି ଅନୁସାରେ ମାର୍ଚ୍ଚ ୧୪ରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଥିବା ବୈଷୟିକ ବିଶେଷଜ୍ଞ କୋର୍ କଂଜରଭେସନ କମିଟିକୁ ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକ (କଂଜରଭେସନ)ଙ୍କ ଅଧ୍ୟକ୍ଷତାରେ ପୁନର୍ଗଠନ କରାଯାଇଛି। ଏଥିରେ ଅନ୍ୟ ବିଶେଷଜ୍ଞମାନେ ରହିଛନ୍ତି।  ସେମାନେ ବୈଷୟିକ ପରାମର୍ଶ ପ୍ରଦାନ କରିବେ ବୋଲି ଏଏସଆଇ ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଆଜି ଆମିକସ୍ କ୍ୟୁରୀ ଦର୍ଶାଇଥିଲେ ଯେ ନାଟ ମଣ୍ଡପ ମରାମତି ଓ ସଂରକ୍ଷଣ କାର୍ଯ୍ୟରେ ବିଳମ୍ବ ହୋଇଛି। ଅନ୍ୟପକ୍ଷରେ ମରାମତି କାର୍ଯ୍ୟ ଆରମ୍ଭ ନେଇ ଉପସ୍ଥାପନ କରାଯାଇଥିବା ଏଏସଆଇର ତଥ୍ୟକୁ ହାଇକୋର୍ଟ ବିଚାରକୁ ନେଇ ଏ ସଂପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୦କୁ ଧାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ନାଟ ମଣ୍ଡପ ମରାମତିର ଅଗ୍ରଗତି ନେଇ ଏଏସଆଇ ରିପୋର୍ଟ ଦାଖଲ କରିବ। ହାଇକୋର୍ଟ ଅଭିଷେକ ଦାସଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଜାନୁଆରି ୫ରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ନାଟମଣ୍ଡପର ଦୁର୍ବଳ ତଥା ଫାଟା ବିମ୍‌ର ମରାମତି ଓ ସଂରକ୍ଷଣ ଆବଶ୍ୟକ। ନଭେମ୍ବର ୨୦୨୨, ୨୭ରେ ଏଏସ୍‌ଆଇ ଅତିରିକ୍ତ ନିର୍ଦ୍ଦେଶକ, ଆଞ୍ଚଳିକ ନିର୍ଦ୍ଦେଶକ, ଆମିକସ୍ କ୍ୟୁରୀ ଓ ଅନ୍ୟ ବିଶେଷଜ୍ଞମାନେ ନାଟ ମଣ୍ଡପର ସ୍ଥିତି ଅନୁଧ୍ୟାନ କରିବା ସହିତ ମରାମତି ଓ ସଂରକ୍ଷଣ ପ୍ରସଂଗରେ କେତେକ ପରାମର୍ଶ ପ୍ରଦାନ କରିଥିବା ବେଳେ ଏ ନେଇ ଏଏସଆଇ ଡିଜିଙ୍କୁ ଅବଗତ କରାଯାଇଥିଲା। ଏଭଳି ସ୍ଥିତିରେ ନାଟମଣ୍ଡପର ସାନି ସ୍ଥିତି ସଂପର୍କିତ ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଜାନୁଆରି ୫ରେ ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ। ଆମିକସ୍ କ୍ୟୁରୀ ଇଂଜିନିୟର ଏନ.କେ.ମହାନ୍ତି ଓ ଏଏସଆଇ ତରଫରୁ ଆଇନଜୀବୀ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର