୨୨ ସୁଦ୍ଧା ନିରୂପଣ ସ୍ଥାନ ଏଏସ୍‌ଆଇକୁ ପ୍ରଦାନ ପାଇଁ ନିର୍ଦ୍ଦେଶ

ନାଟମଣ୍ଡପ ଦୁର୍ବଳ ବିମ୍‌ ମରାମତି ପ୍ରସଂଗ

ହାଇକୋର୍ଟରେ ଶ୍ରୀଜଗନ୍ନାଥ ମନ୍ଦିର ମାମଲା

କଟକ : ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଗରୁଡ ସ୍ତମ୍ଭ ନିକଟ ନାଟମଣ୍ଡପର ପଥର ବିମ୍‌ରେ ଦେଖା ଦେଇଥିବା ଫାଟ ଓ ଅନ୍ୟାନ୍ୟ ଜରୁରି ମରାମତି ପାଇଁ ନିରୂପଣ କରାଯାଇଥିବା ସ୍ଥାନ ଜାନୁଆରି ୨୨ ତାରିଖ ସୁଦ୍ଧା ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)କୁ ପ୍ରଦାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀଜଗନ୍ନାଥ ମନ୍ଦିର ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଗରୁଡ ସ୍ତମ୍ଭ ନିକଟ ନାଟମଣ୍ଡପ ଓ ଏହାର ପାଶ୍ୱବର୍ତ୍ତୀ ଦୁର୍ବଳ ସ୍ଥାନ ଗଡିକର ମରାମତି ପାଇଁ ଆବଶ୍ୟକ ଥିବା ଜାଗା ଯୋଗାଇବା ପାଇଁ ୧୫ ଦିନ ମହଲତ ଆବଶ୍ୟକ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିଲା। ଛତିଶା ନିଯୋଗ ସହ ଆଲୋଚନା ପରେ ମରାମତି ପାଇଁ ଜାଗା ଯୋଗାଇ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଦର୍ଶାଇଥିଲା।

ଅନ୍ୟପକ୍ଷରେ ଏଏସଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ ୨୦୧୮, ଜାନୁଆରି ୮ରେ ମରାମତି ପାଇଁ ନିରୂପଣ କରାଯାଇଥିବା ଜାଗା ଯୋଗାଇ ଦେବା ପାଇଁ ଗତ ଜାନୁଆରି ୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖା ଯାଇଛି। ନାଟମଣ୍ଡପ ନିକଟ ଦୁଇ ଖୁମ୍ଭ ନିକଟରେ ସମର୍ଥନ ପାଇଁ ଷ୍ଟିଲର ଢାଞ୍ଚା ନିର୍ମାଣ ପାଇଁ ମନ୍ଦିର ପ୍ରଶାସନ ନିକଟରୁ ଅନୁମତି ଲୋଡା ଯାଇଛି। ମୂଳ ଢାଞ୍ଚାର ଯେପରି ଆଉ କିଛି କ୍ଷତି ହେବ ନାହିଁ ସେଥିପ୍ରତି ଧ୍ୟାନ ଦିଆଯିବ ଓ ଭକ୍ତଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଯାଇ ମରାମତି କାର୍ଯ୍ୟ ସଂପାଦନ ଉପରେ ଗୁରୁତ୍ୱାରୋପ କରାଯାଉଛି ବୋଲି ସତ୍ୟାପଠରେ ଦର୍ଶାଯାଇଥିଲା। ଉଭୟ ପକ୍ଷଙ୍କ ତରଫରୁ ଏହି ପ୍ରସଂଗରେ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

ମାମଲାର ଶୁଣାଣି କରି ଗରୁଡ ସ୍ତମ୍ଭ ନିକଟବର୍ତ୍ତୀ ଦୁର୍ବଳ ସ୍ଥାନର ମରାମତି ପାଇଁ ଜାନୁଆରି ୨୨ ତାରିଖ ସୁଦ୍ଧା ନିରୂପଣ କରାଯାଇଥିବା ସ୍ଥାନ ପ୍ରଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଗରୁଡ ସ୍ତମ୍ଭ ନିକଟରେ କଣ ମରାମତି କାରାଯିବ, ଏଥି ପାଇଁ କେତେ ସମୟ ଆବଶ୍ୟକ ଓ ବ୍ୟୟ ଅଟକଳ ପ୍ରସଂଗରେ ସତ୍ୟପାଠ ମାଧ୍ୟମରେ ଅବଗତ କରିବାକୁ ଏଏସଆଇକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ବେହେରଣ ଦ୍ୱାର ନିକଟରେ ମରାମତି କାର୍ଯ୍ୟ ଚାଲିଛି। ଏହି ମରାମତି କାର୍ଯ୍ୟ ୨୦୧୮, ଫେବ୍ରୁଆରି ୨୮ ସୁଦ୍ଧା ଶେଷ କରାଯିବା ପାଇଁ ଯୋଜନା ରହିଛି। ଏଏସଆଇ କୋର୍‌ କମିଟି ସଦସ୍ୟ ନିୟମିତ ଭାବେ ମରାମତି କାର୍ଯ୍ୟର ନିରୀକ୍ଷଣ କରୁଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଜଗମୋହନ ମରାମତି କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିବା ବେଳେ ଏ ସଂପର୍କରେ ପରବର୍ତ୍ତୀ ଶୁଣାଣି ସମୟରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ଚିତ୍ରସେନ ପରିଡା, ତ୍ରିଲୋଚନ ଦାଶ, ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର