ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁଙ୍କ ଟଙ୍କା : ୩୮୯ କୋଟି ମୂଳ ଜମା ସହିତ ମିଳିଲା ୩୯୭ କୋଟି

୩୦ରେ ଉଠିବ ବଳକା ୧୫୬ କୋଟି ଟଙ୍କା
ଏଣିକି ଏସ୍‌ବିଆଇରେ ରହିବ ଫାଉଣ୍ଡେସନ ଫଣ୍ଡ
ଟେଣ୍ଡର ଆଧାରରେ ହେବ ଅନ୍ୟ ପାଣ୍ଠି ଜମା
ଆଜି ଖୋଲିବ ଟେଣ୍ଡର, ଏକାଧିକ ବ୍ୟାଙ୍କରେ ରହିବ

ପୁରୀ : ୟେସ୍ ବ୍ୟାଙ୍କ‌ରେ ଜମା ଥିବା ମହାପ୍ରଭୁଙ୍କ ଟଙ୍କା ଫେରିବ କି ନାହିଁ ସେ ନେଇ ଯେଉଁ ଆଶଙ୍କା ରହିଥିଲା ତାହା ଆଜି ଦୂର ହୋଇଛି। ମହାପ୍ରଭୁଙ୍କ ଜମା ଟଙ୍କାର ଏକ ବଡ଼ ଭାଗ ଶ୍ରୀମନ୍ଦିର ଆକାଉଣ୍ଟକୁ ଫେରିଛି। ଏ ସଂପର୍କରେ ଆଜି ୟେସ୍ ବ୍ୟାଙ୍କର ସିନିଅର ଭାଇସ ପ୍ରେସିଡେଣ୍ଟ ଜୟଦେବ ଦାସ ଚିଠି ଲେଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ଜଣାଇଛନ୍ତି। ୟେସ୍ ବ୍ୟାଙ୍କରୁ ଆଜି ୩୯୭ କୋଟି ୨୩ଲକ୍ଷ ୨୭ ହଜାର ୬୩୬ ଟଙ୍କା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପୁରୀ ମୁଖ୍ୟ ଶାଖାରେ ଶ୍ରୀଜଗନ୍ନାଥ ଟେମ୍ପୁଲ କର୍ପସ ପାଣ୍ଠି ନାମରେ ଥିବା ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି। ମୂଳ ଜମା ୩୮୯ କୋଟି ଟଙ୍କାର ସହିତ ଶେଷ ତ୍ରୈମାସିକ ସୁଧ ମୋଟ ୮ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ପ୍ରଦାନ କରାଯାଇଛି। ପୂର୍ବରୁ ୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ସମସ୍ତ ସୁଧ ଦିଆଯାଇଥିଲା। ବ୍ୟାଙ୍କରେ ଜମା ଥିବା ଅବଶିଷ୍ଟ ୧୫୬ କୋଟି ଟଙ୍କା ଆସନ୍ତା ୩୦ ତାରିଖରେ ଅବଧି ପୂରିବା ( ମାଚ୍ୟୁରିଟି) ପରେ ମିଳିବ ବୋଲି ଶ୍ରୀ ଦାସ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ଟଙ୍କା ଉଠାଇ ନେବାକୁ ଆବେଦନ କରିଥିଲେ ବି, ରିଜର୍ଭ ବ୍ୟାଙ୍କର ନିର୍ଦେଶାବଳୀ ଉଲଂଘନ କରୁଥିବାରୁ ମାଚ୍ୟୁରିଟି ପରେ ହିଁ ଦୁଇଟି ଆକାଉଣ୍ଟରେ ଥିବା ୧୫୬ କୋଟି ସୁଧ ସହିତ ଆସନ୍ତା ୩୦ ତାରରିଖରେ ପ୍ରଦାନ କରାଯିବ। ଅର୍ଥାତ ୩୦ ତାରିଖ ସୁଦ୍ଧା ମହାପ୍ରଭୁଙ୍କ ବଳକା ଅର୍ଥ ଫେରି ଆସିବ।

ତେବେ ଏ ଟଙ୍କା ଏବେ କେଉଁଠି ରଖାଯିବ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ। ପରିଚାଳନା କମିଟି ନିଷ୍ପତ୍ତି ମୁତାବକ, ଆହ୍ବାନ କରାଯାଇଥିବା ଟେଣ୍ଡର ଆଧାରରେ ହିଁ ଟଙ୍କା ଜମା ରଖାଯିବ। ଆସନ୍ତାକାଲି ଟେଣ୍ଡର ଖୋଲାଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି। ଏଣିକି ମହାପ୍ରଭୁଙ୍କ ସମସ୍ତ ପାଣ୍ଠି ଟଙ୍କା ଗୋଟିଏ ବ୍ୟାଙ୍କରେ ରହିବ ନାହିଁ। ସରକାରଙ୍କ ନିଷ୍ପତ୍ତି ମୁତାବକ ଶ୍ରୀମନ୍ଦିର ଫାଉଣ୍ଡେସନ ଫଣ୍ଡ୍‌ର ଟଙ୍କା କେବଳ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ( ଏସବିଆଇ)ରେ ହିଁ ରଖାଯିବ। ତେବେ ଅନ୍ୟ ଦୁଇଟି ଫଣ୍ଡ( ପାଣ୍ଠି) ଟେମ୍ପୁଲ ଫଣ୍ଡ ଓ କର୍ପସ ଫଣ୍ଡ ଟଙ୍କା ଟେଣ୍ଡର ମାଧ୍ୟମରେ ନିଷ୍ପତ୍ତି ନିଆଯିବ। ‌ଅଧିକ ସୁଧ ଦେବାକୁ ଥିବା ପ୍ରଥମ ତିନୋଟି ବ୍ୟାଙ୍କରେ ଦୁଇଟି ପାଣ୍ଠିର ସମସ୍ତ ଟଙ୍କା ଜମା ରଖାଯିବ। ସର୍ବାଧିକ ସୁଧ ଦେଉଥିବା ଜାତୀୟକରଣ ବ୍ୟାଙ୍କରେ ୫୦ ପ୍ରତିଶତ ଟଙ୍କା ଜମା ରହିବ। ଏହା ପରେ କ୍ରମାନ୍ବୟରେ ଅନ୍ୟ ଦୁଇଟି ବ୍ୟାଙ୍କରେ ୨୫ ପ୍ରତିଶତ ଲେଖାଏଁ ଅର୍ଥ ରଖାଯିବ। ଯଦି ଦ୍ବିତୀୟ ଓ ତୃତୀୟ ବ୍ୟାଙ୍କ ରାଜି ନ ହୁଅନ୍ତି ତେବେ ଅଧିକ ସୁଧ ଦେଉଥିବା ଅନ୍ୟ ବ୍ୟାଙ୍କରେ ଟଙ୍କା ରଖାଯିବ ବୋଲି ଶ୍ରୀ ଜେନା ଜଣାଇଛନ୍ତି।

ସୂଚନା ମୁତାବକ, ମହାପ୍ରଭୁଙ୍କ ସର୍ବମୋଟ ୫୯୨ କୋଟି ଟଙ୍କା ବିଭିନ୍ନ ଦଫାରେ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ମହାପ୍ରଭୁଙ୍କ ପାଣ୍ଠିରୁ ସ୍ଥାୟୀ ଜମାରେ ୫୪୫ କୋଟି ଟଙ୍କା ଓ ଫେକ୍ସିଫିକସ ଆକାଉଣ୍ଟରେ ୪୭ କୋଟି ଟଙ୍କା ରଖାଯାଇଥିଲା। ମନ୍ଦିର ପ୍ରଶାସନର ମୋଟ ୬ଟି ବ୍ୟାଙ୍କ ଆକାଉଣ୍ଟରେ ସବୁତକ ଟଙ୍କା କେବଳ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ଗୋଟିଏ ବ୍ୟାଙ୍କରେ ସବୁ ତକ ଟଙ୍କା ରଖିବା ନିୟମ ବିରୋଧୀ ହୋଇଥିଲେ ବି ପ୍ରଶାସକ ଓ କିଛି ଅଧିକାରୀ ସମସ୍ତ ଆଇନକାନୁନକୁ ଫାଙ୍କି ଦେଇ ସବୁତକ ଟଙ୍କାକୁ ୟେସ୍ ବ୍ୟାଙ୍କରେ ରଖିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି, ଅର୍ଥ ସବ୍‌ କମିଟିକୁ ଅନ୍ଧାରରେ ରଖି ମହାପ୍ରଭୁଙ୍କ ସବୁତକ ଟଙ୍କାକୁ ଘରୋଇ ବ୍ୟାଙ୍କ( ୟେସ୍ ବ୍ୟାଙ୍କରେ) ଜମା କରାଯାଇଥିଲା। ଏପରିକି ମହାପ୍ରଭୁଙ୍କ ଫାଉଣ୍ଡେସନ ଫଣ୍ଡ ବା ହୁଣ୍ଡି ଟଙ୍କା ଏସ୍‌ବିଆଇ ରହିବାର ନିୟମ ଥିବା ବେଳେ ଏହାକୁ ୟେସ୍ ବ୍ୟାଙ୍କରେ ରଖାଯାଇଥିଲା। ମହାପ୍ରଭୁଙ୍କ ସମସ୍ତ ଟଙ୍କାକୁ ଏକାଧିକ ବ୍ୟାଙ୍କରେ ରଖିବାର ନିୟମ ଥିଲେ ବି ଏହାକୁ ମଧ୍ୟ ଉଲଂଘନ କରାଯାଇଥିଲା। ଏହାକୁ ନେଇ ରାଜ୍ୟ ତମାମ ତମ୍ବି ତୋଫାନ ହେବା ପରେ ସରକାର, ବିରୋଧୀ, ମନ୍ଦିର ପ୍ରଶାସନ ସବୁ ସ୍ତରରେ ମହାପ୍ରଭୁଙ୍କ ଟଙ୍କା ଫେରାଇ ଆଣିବାକୁ ଉଦ୍ୟମ କରାଯାଇଥିଲା। ଏପରିକି କେନ୍ଦ୍ର ଅର୍ଥମନ୍ତ୍ରୀ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପର୍ଯ୍ୟନ୍ତ କଥା ଯାଇଥିଲା। ଆଜି ଟଙ୍କା ଫେରିବା ପରେ ପ୍ରଶ୍ନ ଉଠାଇଥିବା ପରିଚାଳନା କମିଟି ସେବକ ସଦସ୍ୟ ଖୁସି ବ୍ୟକ୍ତ କରିଛନ୍ତି। ମହାପ୍ରଭୁଙ୍କ ଟଙ୍କା ଫେରିଥିବା ଶ୍ରୀଜଗନ୍ନାଥ ସେନା ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ଆଇନାନୁନକୁ ଫାଙ୍କୁଥିବା ପ୍ରଶାସକ, ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର