ପୁରୀ : ୟେସ୍ ବ୍ୟାଙ୍କରେ ଜମା ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମା ହୋଇଥିବା ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଜଗନ୍ନାଥ ମନ୍ଦିର କର୍ପସ ପାଣ୍ଠିର ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା। ଏହି ରାଶିରେ ମୂଳଧନ ୩୮୯ କୋଟି ଏବଂ ତା’ର ସୁଧ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ରହିଛି। ଜଗନ୍ନାଥଙ୍କ ଅବଶିଷ୍ଟ ୧୫୬ କୋଟି ଟଙ୍କାର ଜମା ଟଙ୍କା, ଅନ୍ୟ ୨ଟି ସ୍ଥାୟୀ ଜମା ମାର୍ଚ ୩୦ରେ ମିଳିବ ବୋଲି ଜଣାଯାଇଛି। ୟେସ୍ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଏନେଇ ସୂଚନା ଦେଇଛନ୍ତି। ଏହି ଟଙ୍କା ଇ-ଟ୍ରାନସଫର୍ ଜରିଆରେ ଫେରିଥିବାର ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଗତ ୧୦/୧୦/୨୦୧୮ ଚିଠି ନମ୍ବର ୩୨୬୪୮ ଓ ୨୦/୭/୨୦୧୯ରେ ଚିଠି ନମ୍ବର ୨୪୭୦୫ ବଳରେ ମହାପ୍ରଭୁଙ୍କ ସବୁତକ ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରଖାଯାଇଥିଲା। ମହାପ୍ରଭୁଙ୍କ ସର୍ବମୋଟ ୫୯୨ କୋଟି ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ମହାପ୍ରଭୁଙ୍କ ପାଣ୍ଠିରୁ ସ୍ଥାୟୀ ଜମାରେ ୫୪୫ କୋଟି ଟଙ୍କା ଓ ଫେକ୍ସିଫିକସ ଆକାଉଣ୍ଟରେ ୪୭ କୋଟି ଟଙ୍କା ରଖାଯାଇଥିଲା। ମନ୍ଦିର ପ୍ରଶାସନର ମୋଟ ୬ଟି ବ୍ୟାଙ୍କ ଆକାଉଣ୍ଟରେ ସବୁତକ ଟଙ୍କା ଜମା କରାଯାଇଥିଲା। ୨୦୧୯ ମାର୍ଚ୍ଚ ୧୯ରେ ୮.୬୧ ସୁଧ ହାରର ୩୭୧ କୋଟି ଟଙ୍କା, ମାର୍ଚ୍ଚ ୨୫ରେ ୮.୫୬ ସୁଧ ହାରରେ ୩୩ କୋଟି ଟଙ୍କା ଓ ଉକ୍ତ ମାସ ୨୯ ତାରିଖରେ ୮.୪୫ ସୁଧ ହାରରେ ୧୨୩ କୋଟି ଟଙ୍କା ଜମା କରାଯାଇଥିଲା। ସେହି ୨୯ ତାରିଖରେ ଅନ୍ୟ ଏକ ଆକାଉଣ୍ଟରେ ୮.୩୫ ସୁଧ ହାରରେ ୧୦ କୋଟି ଟଙ୍କା ଜମା କରାଯାଇଥିଲା।
ସେହିଭଳି ସେପ୍ଟେମ୍ବର ୩୦ ତାରିଖରେ ୭.୪୦ ସୁଧ ହାରରେ ୧୮ କୋଟି ଟଙ୍କା, ସେହି ଦିନ ଅନ୍ୟ ଏକ ଆକାଉଣ୍ଟରେ ୭.୬୦ ସୁଧହାରରେ ୩୭ କୋଟି ଟଙ୍କା ଜମା କରାଯାଇଥିଲା। ଏହି ଭଳି ଶ୍ରୀମନ୍ଦିର ପ୍ରଶାସନର ୬ଟି ଆକାଉଣ୍ଟରେ ୫୯୨ କୋଟି ଟଙ୍କା ଜମା କରାଯାଇଥିଲା। ଏଥିରେ ଶ୍ରୀଜଗନ୍ନାଥ ଟେମ୍ପୁଲ ପାଣ୍ଠିର ୨୪୪.୬୦ କୋଟି ଟଙ୍କା, ଶ୍ରୀ ଜଗନ୍ନାଥ ଟେମ୍ପୁଲ କର୍ପସ ପାଣ୍ଠିର ୨୫୫.୬୬ କୋଟି ଟଙ୍କା ଓ ଶ୍ରୀଜଗନ୍ନାଥ ଫାଉଣ୍ଡେସନ ଫଣ୍ଡର ୯୧.୭୪ କୋଟି ଟଙ୍କା ଜମା କରାଯାଇଥିଲା। ମୋଟ ସୁଧ ହାର ୭.୪୦ ରୁ ୮.୬୧ ପର୍ଯ୍ୟନ୍ତ ସମସ୍ତ ଟଙ୍କା ରହିଥିଲା। ତେବେ ଡିସେମ୍ବର ୨୦ ତାରିଖ ପରିଚାଳନା କମିଟିରେ ଏ ସଂପର୍କରେ ଆଲୋଚନା ହେବା ପରେ ଗତ ଜାନୁଆରି ୧୩ ତାରିଖରେ ୪୭ କୋଟି ଟଙ୍କା ଉଠାଣ କରାଯାଇ ୟୁକୋ ବ୍ୟାଙ୍କରେ ରଖାଯାଇଥିଲା। ମାତ୍ର ଅବଶିଷ୍ଟ ଟଙ୍କାକୁ ଉଠାଇ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା କରିବାକୁ କୁହାଯାଇଥିଲେ ବି ପ୍ରଶାସନର ଅସାବଧାନତା ଯୋଗୁଁ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଉଠାଯାଇପାରିନଥିଲା।