ୟେସ୍ ବ୍ୟାଙ୍କରୁ ଫେରିବ ମହାପ୍ରଭୁଙ୍କ ୫୪୫ କୋଟି : ଅବଧି ପୂର୍ବରୁ ଉଠିବ ୧୫୬ କୋଟି, କ୍ଷତି ସହିବ ମନ୍ଦିର

ପୁରୀ : ୟେସ୍ ବ୍ୟାଙ୍କରେ ଜମା ରହିଥିବା ମହାପ୍ରଭୁଙ୍କ ଟଙ୍କା ବୁଡ଼ିବ କି ଫେରିବ ତାକୁ ନେଇ ଯେଉଁ ସନ୍ଦେହ ଥିଲା ତା’ର ଅନ୍ତଃ ଘଟିପାରେ। ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ସମସ୍ତ ୫୪୫ କୋଟି ଟଙ୍କା ଉଠାଣ କରାଯିବ ବୋଲି ଆଜି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ ଆଜି ସନ୍ଧ୍ୟାରେ ମାଚ୍ୟୁରିଟି ( ଅବଧି) ସରୁଥିବା ମୋଟ ୩୮୯ କୋଟି ଟଙ୍କା ଆସନ୍ତାକାଲି ଉଠାଯିବ। ଏଥି ସହିତ ଆସନ୍ତା ୩୦ ତ‌ାରିଖରେ ମାଚ୍ୟୁରିଟି (ଅବଧି ସରିବାକୁ ଥିବା) ୧୫୬ କୋଟି ଟଙ୍କା ମଧ୍ୟ ମନ୍ଦିର ପ୍ରଶାସନ ଉଠାଇ ଆଣିବ ବୋଲି ନିଷ୍ପତ୍ତି ନେଇଛି। ଏଥିରେ ଆଉ ଅଧିକ କାଳ ବିଳମ୍ବ କରାଯିବ ନାହିଁ। ଅର୍ଥାତ ୟେସ୍ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ସମସ୍ତ ୫୪୫ କୋଟି ଟଙ୍କା ଶ୍ରୀମନ୍ଦିର ଆକାଉଣ୍ଟକୁ ଫେରାଇ ଆଣିବା ଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ତେବେ ପ୍ରି ମାଚ୍ୟୁରିଟି (ଅବଧି ସରିନଥିବାରୁ) ଟଙ୍କା ଉଠାଣ ଯୋଗୁଁ ୧୫୬ କୋଟି ଟଙ୍କାର ସୁଧରେ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ କ୍ଷତି ହେବ ବୋଲି ଆକଳନ କରାଯାଉଛି।

ତେବେ ଆସନ୍ତାକାଲି ଫେରିବାକୁ ଥିବା ଟଙ୍କା କେଉଁ ବ୍ୟାଙ୍କରେ ଜମା ରହିବ ସେ ନେଇ ନିଷ୍ପତ୍ତି ହୋଇନାହିଁ। ପ୍ରଥମେ ମନ୍ଦିର ଆକାଉଣ୍ଟକୁ ଟଙ୍କା ଫେରିବା ପରେ ରାଜ୍ୟ ସରକାରଙ୍କ ଯେଉଁ ବ୍ୟାଙ୍କରେ ରଖିବାକୁ ନିର୍ଦ୍ଦେଶ ଦେବେ ସେଠାରେ ହିଁ ଟଙ୍କା ରଖାଯିବ ବୋଲି ଶ୍ରୀ ଜେନା କହିଛନ୍ତି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଗତ ୧୦/୧୦/୨୦୧୮ ଚିଠି ନମ୍ବର ୩୨୬୪୮ ଓ ୨୦/୭/୨୦୧୯ରେ ଚିଠି ନମ୍ବର ୨୪୭୦୫ ବଳରେ ମହାପ୍ରଭୁଙ୍କ ସବୁତକ ଟଙ୍କା ୟେସ୍ ବ୍ୟାଙ୍କରେ ଜମା ରଖାଯାଇଥିଲା। ମହାପ୍ରଭୁଙ୍କ ସର୍ବମୋଟ ୫୯୨ କୋଟି ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ମହାପ୍ରଭୁଙ୍କ ପାଣ୍ଠିରୁ ସ୍ଥାୟୀ ଜମାରେ ୫୪୫ କୋଟି ଟଙ୍କା ଓ ଫେକ୍ସିଫିକସ ଆକାଉଣ୍ଟରେ ୪୭ କୋଟି ଟଙ୍କା ରଖାଯାଇଥିଲା। ମନ୍ଦିର ପ୍ରଶାସନର ମୋଟ ୬ଟି ବ୍ୟାଙ୍କ ଆକାଉଣ୍ଟରେ ସବୁତକ ଟଙ୍କା ଜମା କରାଯାଇଥିଲା। ୨୦୧୯ ମାର୍ଚ୍ଚ ୧୯ରେ ୮.୬୧ ସୁଧ ହାରର ୩୭୧ କୋଟି ଟଙ୍କା, ମାର୍ଚ୍ଚ ୨୫ରେ ୮.୫୬ ସୁଧ ହାରରେ ୩୩ କୋଟି ଟଙ୍କା ଓ ଉକ୍ତ ମାସ ୨୯ ତାରିଖରେ ୮.୪୫ ସୁଧ ହାର‌ରେ ୧୨୩ କୋଟି ଟଙ୍କା ଜମା କରାଯାଇଥିଲା। ସେହି ୨୯ ତାରିଖରେ ଅନ୍ୟ ଏକ ଆକାଉଣ୍ଟରେ ୮.୩୫ ସୁଧ ହାରରେ ୧୦ କୋଟି ଟଙ୍କା ଜମା କରାଯାଇଥିଲା।

ସେହିଭଳି ସେପ୍ଟେମ୍ବର ୩୦ ତାରିଖରେ ୭.୪୦ ସୁଧ ହାରରେ ୧୮ କୋଟି ଟଙ୍କା, ସେହି ଦିନ ଅନ୍ୟ ଏକ ଆକାଉଣ୍ଟରେ ୭.୬୦ ସୁଧହାରରେ ୩୭ କୋଟି ଟଙ୍କା ଜମା କରାଯାଇଥିଲା। ଏହି ଭଳି ଶ୍ରୀମନ୍ଦିର ପ୍ରଶାସନର ୬ଟି ଆକାଉଣ୍ଟରେ ୫୯୨ କୋଟି ଟଙ୍କା ଜମା କରାଯାଇଥିଲା। ଏଥିରେ ଶ୍ରୀଜଗନ୍ନାଥ ଟେମ୍ପୁଲ ପାଣ୍ଠିର ୨୪୪.୬୦ କୋଟି ଟଙ୍କା, ଶ୍ରୀ ଜଗନ୍ନାଥ ଟେମ୍ପୁଲ କର୍ପସ ପାଣ୍ଠିର ୨୫୫.୬୬ କୋଟି ଟଙ୍କା ଓ ଶ୍ରୀଜଗନ୍ନାଥ ଫାଉଣ୍ଡେସନ ଫଣ୍ଡର ୯୧.୭୪ କୋଟି ଟଙ୍କା ଜମା କରାଯାଇଥିଲା। ମୋଟ ସୁଧ ହାର ୭.୪୦ ରୁ ୮.୬୧ ପର୍ଯ୍ୟନ୍ତ ସମସ୍ତ ଟଙ୍କା ରହିଥିଲା। ତେବେ ଡିସେମ୍ବର ୨୦ ତାରିଖ ପରିଚାଳନା କମିଟିରେ ଏ ସଂପର୍କରେ ଆଲୋଚନା ହେବା ପରେ ଗତ ଜାନୁଆରି ୧୩ ତାରିଖରେ ୪୭ କୋଟି ଟଙ୍କା ଉଠାଣ କରାଯାଇ ୟୁକୋ ବ୍ୟାଙ୍କରେ ରଖାଯାଇଥିଲା। ମାତ୍ର ଅବଶିଷ୍ଟ ଟଙ୍କାକୁ ଉଠାଇ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା କରିବାକୁ କୁହାଯାଇଥିଲେ ବି ପ୍ରଶାସନର ଅସାବଧାନତା ‌ଯୋଗୁଁ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଉଠାଯାଇପାରିନଥିଲା।

ମହାପ୍ରଭୁଙ୍କ ଟଙ୍କା ଫେରାଇ ଆଣିବା ନିଷ୍ପତ୍ତିକୁ ବିଭିନ୍ନ ସଂଗଠନ ପକ୍ଷରୁ ସ୍ବାଗତ କରାଯାଉ ଥିବା ବେଳେ ଟଙ୍କାକୁ ବିପଦ ଭିତରକୁ ଠେଲି ଦେଇଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଓ ଅନ୍ୟ କିଛି ସଂଗଠନ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରି ମାଚ୍ୟୁରିଟି ଯୋଗୁଁ ମନ୍ଦିର ସୁଧ ବାବଦରେ ଯେଉଁ କ୍ଷତି ସହିଲା ତାହା ଅଭିଯୁକ୍ତ ଅଧିକାରୀଙ୍କ ଠାରୁ ଆଦାୟ କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର