ଶ୍ରୀଜିଉଙ୍କୁ ଅଣଦେଖା

ଗଠନ ହୋଇପାରୁନି ଶ୍ରୀମନ୍ଦିର ପରିଚାଳନା କମିଟି
ସଦସ୍ୟ ଚୟନ ନେଇ ନେତା-ପ୍ରଶାସକ ଛକାପଞ୍ଝା
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅଟକିଛି, ସରକାର ବେଧଡ଼କ

ଭୁବନେଶ୍ୱର : ଗଣମାଧ୍ୟମର ତନାଘନା ପରେ ‘ନବକଳେବର ବ୍ରହ୍ମ ବିଭ୍ରାଟ’ ଘଟଣାର ତଦନ୍ତ ରିପୋର୍ଟ ଦେଲେ ପୂର୍ବତନ ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର। ହେଲେ ବହୁଚର୍ଚ୍ଚିତ ଏହି ଘଟଣାରେ କାହାକୁ ଦୋଷୀ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି, ତତ୍କାଳୀନ ମୁଖ୍ୟ ପ୍ରଶାସକ ନିର୍ଦିଷ୍ଟ କ’ଣ ସୁପାରିସ କରିଛନ୍ତି; ସେ ନେଇ ଆଜି ବି ରାଜ୍ୟବାସୀ ଅନ୍ଧାରରେ। ସରକାରଙ୍କର ଶ୍ରୀଜଗନ୍ନାଥଙ୍କ ପ୍ରତି ନିଷ୍ଠା ଓ ଆନ୍ତରିକତା ଏତେ ଯେ, ନବକଳେବରର ଅଢେଇ ବର୍ଷ ପରେ ବି ବିଭ୍ରାଟ ପାଇଁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ ଗ୍ରହଣ କରାଯାଇପାରିଲାନି, ରିପୋର୍ଟଟି ଶ୍ରୀମନ୍ଦିର କାର୍ଯ୍ୟାଳୟ ଭିତରେ ଜଉମୁଦ ଦିଆଯାଇ ପଡ଼ିରହିଛି।

କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ସଂସ୍କାର କମିସନ ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କ କାର୍ଯ୍ୟକାଳକୁ ମଧ୍ୟ ରାଜ୍ୟ ସରକାର ଅଧାପନ୍ତରିଆ ଅବସ୍ଥାରେ ଅଟକାଇ ଦେଇଛନ୍ତି। କମିସନଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ହେଁ, ଏହାକୁ ବୃଦ୍ଧି କରିବା ଲାଗି ଆଉ ସରକାରଙ୍କ ଯେମିତି ଆଗ୍ରହ ନାହିଁ। ଫଳରେ ଚୂଡ଼ାନ୍ତ ରିପୋର୍ଟ ଦେବା ଆଗରୁ କମିସନ ଅକାମୀ ହୋଇପ଼ଡିଛି।

ଏପଟେ ସଂସ୍କାର କମିସନଙ୍କ ଅନ୍ତରୀଣ ରିପୋର୍ଟର ଏକ ଅଂଶକୁ କାର୍ଯ୍ୟକାରୀ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ରାଜ୍ୟ ସରକାର ଯେଉଁ ସୁପାରିସ କରିଥିଲେ, ତା’ ଭାଗ୍ୟ ମଧ୍ୟ ଖୋଲିପାରୁନି। ସରକାରଙ୍କ ରିପୋର୍ଟ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଳନ୍ଦୁ ଧରିବାକୁ ବସିଲାଣି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏଭଳି ଉଦାସୀନ ମନୋଭାବର ପରିଣାମ ସ୍ୱରୂପ ପୁଣି ଥରେ ଶ୍ରୀମନ୍ଦିର ଅଚଳାବସ୍ଥା ଭିତରକୁ ଠେଲି ହୋଇଗଲାଣି। ମାସେ କି ଦୁଇମାସ ନୁହେଁ, ସାତ ମାସ ହେଲା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗଠନ ନ କରାଯାଇପାରିବା କାରଣରୁ ସବୁକିଛି ଠପ୍‌ ହେବାକୁ ବସିଛି। କାହିଁକି ପରିଚାଳନା କମିଟି ଗଠନ ହୋଇପାରୁନାହିଁ; ଏ ନେଇ କାହା ପାଖରେ ଜବାବ ନାହିଁ। ସରକାରଙ୍କ ଆଇନ ବିଭାଗ ଏ କ୍ଷେତ୍ରରେ ଅତ୍ୟନ୍ତ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ଉଠିଛି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୌଣସି ଯୋଗ୍ୟ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଭ୍ୟ ନିଯୁକ୍ତି ଦେବା ପରିବର୍ତେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଠାରୁ ଆରମ୍ଭ କରି ଆଇନ ବିଭାଗ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ପସନ୍ଦର ତଥା ଅନୁଗତ ବ୍ୟକ୍ତିଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ ରଖିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବାରୁ କମିଟି ଚୂଡ଼ାନ୍ତ ହୋଇପାରୁନାହିଁ।

ଏଣୁ ବ୍ରହ୍ମବିଭାଟ କି ସଂସ୍କାର କମିସନଙ୍କ ରିପୋର୍ଟ କଥା ନୁହେଁ, ଶ୍ରୀମନ୍ଦିର ବଜେଟ୍‌ (୨୦୧୮-୧୯ ବର୍ଷ ପାଇଁ) ଅନୁମୋଦନ ହୋଇପାରିବ କି ନାହିଁ, ତାହା ବି ଆଶଙ୍କା ଭିତରକୁ ଠେଲି ହୋଇଗଲାଣି। ଗତ କିଛି ବର୍ଷ ହେଲାଣି ଫେବ୍ରୁଆରି-ମାର୍ଚ୍ଚ ପ୍ରଥମ ସପ୍ତାହରେ ବଜେଟ୍‌ ପ୍ରସ୍ତୁତ ହେଉଥିଲା ଓ କମିଟି ଏହାକୁ କାର୍ଯ୍ୟାନ୍ଵୟନ ପାଇଁ ଅନୁମୋଦନ ଦେଉଥିଲେ।

ସେହିଭଳି ଶ୍ରୀମନ୍ଦିର ଜଗମୋହନ ମରାମତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ପୂର୍ବଭଳି ଭିତରକାଠ ନିକଟରୁ ଶ୍ରୀବିଗ୍ରହଙ୍କୁ ଭକ୍ତ ଦର୍ଶନ କରିବେ, ନା ଗର୍ଭଗୃହକୁ ଯିବେ, ପାରମାଣିକ ଫି ଆଦାୟ ହେବ ନା ନାହିଁ ଏ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରିଚାଳନା କମିଟି ବିନା ନିଆଯାଇପାରିବ ନାହିଁ।

ଗତବର୍ଷ ରଥଯାତ୍ରା ପରେ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା, ଶ୍ରୀଜୀଉମାନଙ୍କ ଅଣସରଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବିଭିନ୍ନ ପ୍ରକ୍ରିୟାରେ ଯେଉଁ ଅବ୍ୟବସ୍ଥା ଦେଖାଯାଉଛି, ସରକାର ହଲାପଟା ହେଉଛନ୍ତି, ସେଥିରେ ପୂର୍ଣ୍ଣଛେଦ ଟାଣିବା ଲାଗି ଆସନ୍ତାବର୍ଷ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରାଯିବ। ହେଲେ ଯଥା ପୂର୍ବ ତଥା ପରଂ। ବିନା କମିଟିରେ ରଥଯାତ୍ରା ପ୍ରସ୍ତୁତି ବୈଠକ ହେବ କେମିତି? ଏହା ବ୍ୟତୀତ କମିଟି ଗଠନ ହୋଇନଥିବାରୁ ଶ୍ରୀବିଗ୍ରହଙ୍କୁ ନେଇ ପାଖାପାଖି ଦୁଇ ଡଜନ ପ୍ରସଙ୍ଗ ଅଟକି ରହିଛି, ଯାହା ଉପରେ କୌଣସି ଠୋସ୍‌ ନିଷ୍ପତ୍ତି ନିଆଯାଇପାରୁନାହିଁ।

ଶ୍ରୀମନ୍ଦିର ପ୍ରଶାସନ ଆଇନ ଅନୁସାରେ, ୧୮ଜଣଙ୍କୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇଥାଏ। ଗଜପତି ମହାରାଜା ହେଉଛନ୍ତି କମିଟିର ସ୍ଥାୟୀ ଅଧ୍ୟକ୍ଷ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଜଣେ ବରିଷ୍ଠ ଅଧିକାରୀଙ୍କୁ ରାଜ୍ୟ ସରକାର ଏଠାରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। କମିଟିର ସଭ୍ୟ ସଚିବ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାନ୍ତି। ପୁରୀ ଜିଲ୍ଲାପାଳ, ପୁରୀ ଏସ୍‌ପି, ଦେବୋତ୍ତର କମିସନର, ଆଇନ ବିଭାଗର ଅତିରିକ୍ତ ଶାସନ ସଚିବ, ଏଏସ୍‌ଆଇ ଅଧୀକ୍ଷକ ସଦସ୍ୟ ଅଟନ୍ତି। ଏମାନଙ୍କ ବ୍ୟତୀତ ଅନ୍ୟ ୧୦ଜଣଙ୍କୁ ରାଜ୍ୟ ସରକାର ମନୋନୀତ କରନ୍ତି। ୫ଜଣ ସେବାୟତ, ମୁକ୍ତି ମଣ୍ଡପ ପଣ୍ଡିତ ସଭା ଓ ମଠ ମହନ୍ତ ପ୍ରତିନିଧିଙ୍କୁ ସରକାର ବାଛିଥାନ୍ତି, ଯାହା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୁପାରିସ ଚୂଡ଼ାନ୍ତ ଅଟେ। ସେହିପରି ଅନ୍ୟ ଦୁଇ ଜଣ ବିଶେଷଜ୍ଞ ସଭ୍ୟ ଓ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ନିଯୁକ୍ତି ଦିଆଯାଇଥାଏ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଢେର୍‌ ମାସ ଆଗରୁ ତାଙ୍କ ତାଲିକା ଆଇନ ବିଭାଗକୁ ଦେଇ ସାରିଛନ୍ତି। ତା ସତ୍ତ୍ୱେ ସରକାର କମିଟି ଗଠନ ନ କରିବାର କାରଣ କଣ? କମିଟିରେ କିଏ କିଏ ରହିବେ, ସେ ନେଇ ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କର ଏକ ସମାନ୍ତରାଳ ଅଲିଖିତ ତାଲିକା ଯୋଗୁଁ ସରକାର କାହାକୁ ଗୁରୁତ୍ୱ ଦେବେ ସେ ନେଇ ଅକଳରେ ପଡିଛନ୍ତି କି? ସରକାରର ମୁଖ୍ୟ କାର୍ପଟଦାରମାନେ ସେମାନଙ୍କ ଅନୁଗତଙ୍କୁ ଏହି କମିଟିରେ ଥଇଥାନ ଲାଗି ଆଗ୍ରହ ରଖୁଥିବା ପରିପ୍ରେକ୍ଷୀରେ କମିଟି ଗଠନ ହୋଇପାରୁନାହିଁ କି? ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୁପାରିସକୁ ସରକାର ବଦଳାଇପାରିବେ?

ଶ୍ରୀମନ୍ଦିର ସେବା ସହିତ ଜଡିତ ବ୍ୟକ୍ତିମାନେ କମିଟି ଗଠନ ହୋଇନପାରିବା ନେଇ ଖୋଲା ଅସନ୍ତୋଷ ବ୍ୟକ୍ତ କଲେଣି। ସେମାନଙ୍କୁ ମଧ୍ୟ ଏ କ୍ଷେତ୍ରରେ ଅନ୍ଧାରରେ ରଖାଯାଇଛି। ପରିଚାଳନା କମିଟି ନ ଥିବାରୁ ଶ୍ରୀଜଗନ୍ନାଥଙ୍କ ଜମି ଭୂତ ଖାଉଥିଲେ ହେଁ ଏହାକୁ କେହି ସୁରକ୍ଷା ଦେଇପାରୁନାହାନ୍ତି। ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନରେ ପ୍ରଶାସକ (ରାଜସ୍ୱ) ମଧ୍ୟ ଖାଲି ପଡିଛି। ପୁରୀ ଉପଜିଲ୍ଲାପାଳଙ୍କୁ ଏହି ପଦବିରେ ଅବସ୍ଥାପିତ କରାଯାଇଥିଲେ ହେଁ, ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯାଇନଥିବାରୁ ସେ ମଧ୍ୟ ଦାୟିତ୍ୱ ନେଇପାରୁନାହାନ୍ତି।

ସମ୍ବନ୍ଧିତ ଖବର