ଶ୍ରୀଜିଉଙ୍କ ରଥ ଚକ: ମାଗଣାରେ ଦେବେ କହି ଭଣ୍ଡେଇଲେ

କାହାକୁ ମିଳିଲାନି ଚକ ଓ ଅନ୍ୟାନ୍ୟ ଅଂଶ, ଶ୍ରୀଗୁଣ୍ଡିଚା ମନ୍ଦିର ବେଢ଼ାରେ ଖରାବର୍ଷା ଖାଉଛି

ପୁରୀ : ଶ୍ରୀଜିଉଙ୍କ ରଥ ଚକ ଓ ଅନ୍ୟାନ୍ୟ ଅଂଶକୁ ମାଗଣାରେ ଭକ୍ତଙ୍କୁ ଦିଆଯିବ। ଇଚ୍ଛୁକ ଭକ୍ତ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଆବେଦନ କରି ଏହା ପାଇପାରିବେ। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସବ୍‌କମିଟି ବି ଗଠନ ହେଲା। ସ୍ବତନ୍ତ୍ର ଏସ୍‌ଓପି ଜାରି ହେଲା। ହେଲେ ଘୋଷଣାର ବର୍ଷେ ପରେ ବି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ଚଳିତବର୍ଷ ହଜାର ହଜାର ଭକ୍ତ ରଥ ଚକ ଓ ଅନ୍ୟାନ୍ୟ ଅଂଶ ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି। ରଥଯାତ୍ରା ସରିବାର ୩ ମାସ ପରେ ବି ଭକ୍ତମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଗାମୀ ୨୭ ତାରିଖ ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗ ଉଠାଇବାକୁ ଦାବି ରଖିଛନ୍ତି। ସେ‌ପଟେ ୩ ମାସ ଧରି ଖରାବର୍ଷା ଖାଇବା ପରେ ଚକଗୁଡ଼ିକ ନଷ୍ଟ ହେବାକୁ ଲାଗିଲାଣି। ଯେଉଁ ପୁରୁଣା ଚକ ଥିଲା, ତହା ସମ୍ପୂର୍ଣ୍ଣ ଖତ ଖାଇଗଲାଣି।

ପଡ଼ିଛି ହଜାର ହଜାର ଆବେଦନ

ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ପୂର୍ବରୁ ରଥ ଚକ ଓ ଅନ୍ୟାନ୍ୟ ଅଂଶ ପାଇଁ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ ହୋଇଥିଲା। ରଥ ଚକ ପାଇଁ ୫୦ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। ସେହିଭଳି ପ୍ରଭା ଓ ଅନ୍ୟାନ୍ୟ ଅଂଶର ମଧ୍ୟ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ ହୋଇଥିଲା। କିନ୍ତୁ ଦର ଅଧିକ ରହିବାରୁ ଭକ୍ତମାନେ ଚକ ନେବାକୁ ଆଗ୍ରହ ପ୍ରକାଶ କଲେନି। ଯେଉଁମାନେ ଚକ ନେଲେ, ସେମାନେ ନନ୍ଦିଘୋଷ ରଥ ଚକକୁ ପ୍ରାଥମିକତା ଦେଲେ। ଯେଉଁଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ସଂରକ୍ଷିତ ହୋଇ ରହୁଥିବା ଚକ, ପ୍ରଭା ଓ ଅନ୍ୟାନ୍ୟ ଅଂଶ ନଷ୍ଟ ହେବାକୁ ବସିଲା। ବର୍ଷ ବର୍ଷ ଧରି ଏହା ପଡ଼ି ରହିବା ପରେ ଚକ ସବୁ ପାଣି ଖାଇ ଖତ ହୋଇଗଲା। କେତେକରେ ଉଇ ଚରିଗଲେ। ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଚକ ବିକିବା ନିଷ୍ପତ୍ତିକୁ ପରିବର୍ତ୍ତନ କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ପୂର୍ବଭଳି ରଥ ଚକ, ପ୍ରଭା ଓ ଅନ୍ୟାନ୍ୟ ଅଂଶ ବିକ୍ରି ନ କରି ଭକ୍ତଙ୍କୁ ମାଗଣାରେ ଏହା ପ୍ରଦାନ କରିବାକୁ ୨୦୨୧ ଅଗଷ୍ଟ ୨୬ ତାରିଖରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ବୈଠକରେ ଭକ୍ତଙ୍କୁ ଦାନ ସୂତ୍ରରେ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଦେବାକୁ ନିଷ୍ପତ୍ତି ହୋଇଥିଲା। ସେ ସମୟରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର କହିଥିଲେ ଯେ ପ୍ରତିବର୍ଷ ରଥଯାତ୍ରା ପରେ କିଛି ଟଙ୍କା ଜମା କରି ରଥର ଚକ ଓ ଅନ୍ୟାନ୍ୟ ଅଂଶ ଭକ୍ତମାନେ ନେଇଥାନ୍ତି।

କିନ୍ତୁ ପରିଚାଳନା କମିଟି ନିଷ୍ପତ୍ତିକ୍ରମେ ଏହି ନିମୟକୁ ପରିବର୍ତ୍ତନ କରାଯାଇଛି। ଆଗ୍ରହୀ ବ୍ୟକ୍ତିଙ୍କୁ ରଥ ଚକ ଓ ଅନ୍ୟାନ୍ୟ ଅଂଶ ମାଗଣାରେ ଯୋଗାଇ ‌ଦିଆଯିବ। କେଉଁ ଆଧାରରେ ଯୋଗାଇ ଦିଆଯିବ, ସେ ଉପରେ ବିଚାର କରାଯିବ। ତଥାପି ଏଥିପାଇଁ ଆବେଦନପତ୍ର ଗ୍ରହଣ କରାଯିବ। ଯେଉଁମାନେ ରଥ ଚକ ଓ ଅନ୍ୟାନ୍ୟ ଅଂଶ ନେବାକୁ ଚାହୁଛନ୍ତି, ସେମାନେ ଆବେଦନ କରିପାରିବେ। ଯଦି ଅଧିକ ଆବେଦନ ଆସେ, ତେବେ ଲଟେରି ମାଧ୍ୟମରେ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଯୋଗାଇ ଦିଆଯିବ। ଏଥିପାଇଁ ଏକ ସବ୍‌କମିଟି ଗଠନ କରାଯାଇଛି। ଏହି ସବ୍‌କମିଟି ଏ ଉପରେ ବିଧିବଦ୍ଧ ନିଷ୍ପତ୍ତି ନେବ। ସେହି ଅନୁଯାୟୀ ଏହି ବୈଠକର କିଛିଦିନ ଭିତରେ ରଥ ଚକ ଓ ଅନ୍ୟାନ୍ୟ ଅଂଶ ଭକ୍ତଙ୍କୁ ଦେବା ଉପରେ ସ୍ବତନ୍ତ୍ର ଏସ୍‌ଓପି ଜାରି ହେଲା। ଯେଉଁ ଭକ୍ତମାନେ ରଥ ଚକ ଓ ଅନ୍ୟ ଅଂଶ ନେବେ, ସେଗୁଡ଼ିକୁ ସମ୍ମାନପୂର୍ବକ ରଖିବେ ବୋଲି ଲିଖିତ ଆକାରରେ ଦେବାକୁ କୁହାଯାଇଥିଲା। ଯଦି କେହି ଅସମ୍ମାନ କରିବାର ନଜରକୁ ଆସେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଥିଲା। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଲକ୍ଷ୍ୟରେ ଏହା କରାଯାଉଛି ବୋଲି ସ୍ପଷ୍ଟ କରାଗଲା। ଏ ଭିତରେ ବର୍ଷେ ଗଡ଼ିଗଲାଣି। କିନ୍ତୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିନି। ଫଳରେ ଭକ୍ତଙ୍କୁ ଏହା ନିରାଶ କରିଛି।

ସମ୍ବନ୍ଧିତ ଖବର