ପୁରୀ: ପଞ୍ଚୁକର ଅନ୍ତିମ ପର୍ବରେ ଭାବମୟ ହୋଇଥିଲା ବଡ଼ଦାଣ୍ଡ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ସୁନାବେଶ ତଥା ରାଜାଧିରାଜ ବେଶରେ ଦର୍ଶନ ପାଇଁ ଚାତକ ଭଳି ଚାହିଁ ରହିଥିଲେ ଭକ୍ତ। ରାତିସାରା ଭଜନ କୀର୍ତ୍ତନରେ ଉଚ୍ଛୁଳୁଥିଲା ବଡ଼ଦାଣ୍ଡ। ଭକ୍ତଙ୍କ ଆଖିକୁ ନିଦ ନଥିଲା। ମହାପ୍ରଭୁ ବି ପହୁଡ଼ ଯାଇନଥିଲେ। କାର୍ତ୍ତିକ ପୂର୍ଣ୍ଣିମାର ମହାର୍ଘ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସକାଳ ସାଢ଼େ ୭ଟାରୁ ସୁନାବେଶରେ ମହାପ୍ରଭୁ ସୁସଜ୍ଜିତ ହୋଇଥିବାରୁ ବହୁ ଭକ୍ତ ଏହି ଦୁର୍ଲଭ ଦର୍ଶନର ସୁଯୋଗ ପାଇଛନ୍ତି। ଏଥିସହ ଭକ୍ତମାନେ ସଅଳ ଅବଢ଼ା ପାଇଛନ୍ତି। ପୂର୍ବାହ୍ନରେ ପ୍ରାୟ ଦେଢ଼ ଘଣ୍ଟା ଦର୍ଶନ ବନ୍ଦ ରହିବାରୁ ସିଂହଦ୍ବାର ବାହାରେ ଧାଡ଼ି ମରିଚିକୋଟ ଛକ ପର୍ଯ୍ୟନ୍ତ ଲମ୍ବିଥିଲା। ମାତ୍ର ଏହା ପରେ ସୁରୁଖୁରୁରେ ଦର୍ଶନ ମିଳିଛି।

Advertisment

ପରମ୍ପରା ଅନୁଯାୟୀ, ସୁନାବେଶ ବର୍ଷରେ ୫ଥର ଅନୁଷ୍ଠିତ ହୋଇଥାଏ। ଆଷାଢ଼ ଶୁକ୍ଳ ଏକାଦଶୀରେ ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ ହେଉଥିବା ବେଳେ ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳପୂର୍ଣ୍ଣିମାରେ ରତ୍ନ ସିଂହାସନ ଉପରେ ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି। ଶ୍ରୀବିଗ୍ରହଙ୍କର ଏହି ଐଶ୍ବର୍ଯ୍ୟ ବେଶ ଦେଖିଲେ ପରମ ପୁଣ୍ୟ ସାଧିତ ହୋଇଥାଏ ବୋଲି ବିଶ୍ବାସ ରହିଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହାର ଅନ୍ୟ ନାମ ରାଜାଧିରାଜ ବେଶ। ବୈକୁଣ୍ଠ ଚତୁର୍ଦ୍ଦଶୀରେ ମହାପ୍ରଭୁଙ୍କର ପହୁଡ଼ ହୋଇନଥିଲା। ତେଣୁ ଦ୍ବାର ଫିଟା ନୀତି ନହୋଇ ଭୋର ୫ଟାରେ ମଙ୍ଗଳ ଆଳତି ହୋଇଥିଲା। ପରେ ମଇଲମ, ତଡ଼ପଲାଗି, ଅବକାଶ ପୂଜା, ମଇଲମ, ରୋଷହୋମ ହୋଇଥିଲା। ସକାଳ ସାଢ଼େ ୭ଟାରେ ରାଜାଧିରାଜ ବେଶ ହୋଇଥିଲା। ସିଂହାରୀ ସେବକମାନେ ଶ୍ରୀଜିଉଙ୍କୁ ସୁବର୍ଣ୍ଣ ଅଳଙ୍କାରେ ସୁସଜ୍ଜିତ କରିଥିଲେ। ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ର ପରିଧାନ କରି ଅପରୂପ ବେଶରେ ଶ୍ରୀଜିଉ ଦର୍ଶନ ଦେଇଥିଲେ।

ପରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଗୋପାଳବଲ୍ଲଭ ପୂଜା ହୋଇଥିଲା। ୧୦ଟା ୨୫ରେ ସକାଳ ଧୂପ ଶେଷ ହେବା ପରେ ଭକ୍ତମାନେ ମହାପ୍ରଭୁଙ୍କ ଖେଚୁଡ଼ି ଡାଲମା ମହାପ୍ରସାଦ ପାଇଥିଲେ। ସକାଳ ଧୂପ ପ୍ରସାଦ ବାହାରି ପାଣି ପଡ଼ିବା ପର ଭୋଗ ମଣ୍ଡପ ଉଠିବା ପର୍ଯ୍ୟନ୍ତ ଦର୍ଶନ ହୋଇପାରିନଥିଲା। ସାଢ଼େ ୧୧ଟାରେ ଭକ୍ତମାନେ ପୁନର୍ବାର ଦର୍ଶନ ସୁଯୋଗ ପାଇଥିଲେ। ଦୁର୍ଲଭ ବେଶ ଦର୍ଶନ ପରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରସାଦ ସେବନ କରିବାକୁ ବହୁ ଭକ୍ତ ଅପେକ୍ଷା କରି ରହିଥିଲେ। ଆଜି ପ୍ରାୟ ସାଢ଼େ ୨ଟାରେ ମହାପ୍ରସାଦ ବାହାରିବାରୁ ବହୁ ଭକ୍ତ ସଅଳ ମହାପ୍ରସାଦ ପାଇପାରିଥିଲେ। ଅପରାହ୍‌ଣ ୪ଟା ୪୫ରେ ବେଶ ଶେଷ ହେବା ପରେ ମଧ୍ୟାହ୍ନ ଧୂପ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା।