ପୁରୀ : ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜିଉ। ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ। ଏଥିପାଇଁ ଚାଲିଛି ଗୋପନ ନୀତି। ସ୍ନାନଯାତ୍ରାରେ ପରିଧାନ କରିଥିବା ଓଦା ବସ୍ତ୍ର ଗତକାଲି ଶ୍ରୀଅଙ୍ଗରୁ ଫିଟିବା ପରେ କିଛିଟା ଆରାମ ଅନୁଭବ କରିଛନ୍ତି ମହାପ୍ରଭୁ। ତଥାପି ଜ୍ବର ଛାଡ଼ିନାହିଁ। ଏଥିପାଇଁ ମହାପ୍ରଭୁଙ୍କୁ ଛପନ ଭୋଗ ବଦଳରେ ପଥି ଖାଇବାକୁ ଦିଆଯାଉଛି। ନାନାଦି ଫଳମୂଳ ସହ କ୍ଷୀର, ସର, ଛେନା ଆଦିରେ ପ୍ରସ୍ତୁତ ଚକଟା ଭୋଗ ଲାଗି ହେଉଛି। ଘନ ଅନ୍ଧକାରରେ ଏକମାତ୍ର ଦୀପର ଆଲୋକରେ ଦଇତାପତି ସେବକମାନେ ଏହି ଗୋପନ ନୀତି ସଂପନ୍ନ କରୁଛନ୍ତି।
ଶ୍ରୀମନ୍ଦିରରେ ଘଣ୍ଟଘଣ୍ଟା ବାଜିବା ନିଷେଧ କରାଯାଇଛି। କେହି ଯେପରି ଗୁପ୍ତ ନୀତିରେ ବାଧା ସୃଷ୍ଟି ନ କରିବେ, ସେଥିପାଇଁ ଅଣସର ଘର ନିକଟରେ ତାଡ଼ି ପଡ଼ିଛି। ତାଟ ସମ୍ମୁଖରେ ପଟିଦିଅଁ ପୂଜା ପାଉଛନ୍ତି। ପଟିଦିଅଁଙ୍କଠାରେ ଛପନ ଭୋଗ ଲାଗି ହେଉଛି। ବରିଷ୍ଠ ଦଇତାପତି ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଗତକାଲି ଯେଉଁ ଗୋପନ ନୀତି ଚାଲିଥିଲା, ଆଜି ବି ସେହି ଗୋପନ ନୀତି ଚାଲିଛି। ଠାକୁରଙ୍କୁ ଚକଟା ଭୋଗ ଲାଗି ହୋଇଛି। ଆଜି ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦଇତାପତି ସେବକମାନେ ପ୍ରସ୍ତୁତି ଶେଷ କରିଛନ୍ତି। ଶ୍ରୀଅଙ୍ଗ ଫିଟା ନୀତି ପରଦିନ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ହେବ। ଅଣସର ପଣା ବି ଠାକୁରଙ୍କୁ ଲାଗି ହେବ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ଅନ୍ୟପଟେ ଅଣସର ପାଇଁ ମହାପ୍ରଭୁ ଆଜି ବି ଶୁକ୍ଳ ବସ୍ତ୍ର ପରିଧାନ କରିଥିବା ବେଳେ ଦଇତାପତି ସେବକମାନେ ବି ଶୁକ୍ଳ ବସ୍ତ୍ର ପରିଧାନ କରିଛନ୍ତି। ଏପରିକି ଧଳା ଫୁଲ ଠାକୁରଙ୍କୁ ଲାଗି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/srimandir-puri.jpg)