ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଓ ଆନନ୍ଦପୁର ଅଞ୍ଚଳରେ ନିଆରା ପରମ୍ପରା ଦେଖିବାକୁ ମିଳିଛି। ତତ୍କାଳୀନ କେନ୍ଦୁଝର ରାଜା ଜନାର୍ଦ୍ଦନ ଭଞ୍ଜଙ୍କ ଉଦ୍ୟମରେ ଘସିପୁରା ବ୍ଲକ୍ର ପଣ୍ଡୁଆ ଗ୍ରାମରେ ଜଗନ୍ନାଥ, ଆନନ୍ଦପୁର ବ୍ଲକ୍ ନୟାଗଡ଼ରେ ବଳଭଦ୍ର ଓ ମଦନପୁର ଗ୍ରାମରେ ସୁଭଦ୍ରାଙ୍କ ବିଗ୍ରହ ପ୍ରତିଷ୍ଠା କରିଥିଲେ। ଦୀର୍ଘ ୨୦୦ ବର୍ଷରୁ ଊର୍ଦ୍ଧ୍ବ ହେବ ତିନିଠାକୁର ତିନି ଗ୍ରାମରେ ଏକା ଏକା ପୂଜା ପାଉଛନ୍ତି। ଏଭଳି ପରମ୍ପରା ସାରା ରାଜ୍ୟରେ ବିରଳ ବୋଲି ଗବେଷକ ହଳଧର ପଣ୍ଡା କହିଛନ୍ତି।
୧୭୯୨ ମସିହାରେ ଦୀର୍ଘବର୍ଷ ଧରି ପରାଧୀନ ଥିବା ଘସିପୁରା ବ୍ଲକ୍ ପଣ୍ଡୁଆ ନିକଟସ୍ଥ ମଛରାଁ ଦୁର୍ଗକୁ କେନ୍ଦୁଝର ରାଜା ଜନାର୍ଦ୍ଦନ ଭଞ୍ଜ ମୋଗଲମାନଙ୍କଠାରୁ ଛଡ଼ାଇ ଆଣି କେନ୍ଦୁଝର ରାଜ୍ୟରେ ମିଶାଇ ଦେଇଥିଲେ। ଏହି ଭୟଙ୍କର ଯୁଦ୍ଧରେ ମୋଗଲ ପ୍ରତିନିଧ ଜଲ୍ଲାଲୁଦ୍ଦିନଙ୍କଠାରୁ ମଛରାଁ ଦୁର୍ଗକୁ ଛଡ଼ାଇ ଆଣିବାରେ ସୈନ୍ୟ ସାମନ୍ତଙ୍କ ସହ ପଣ୍ଡୁଆ ପାଇକ କ୍ଷତ୍ରିୟ ଗଡ଼ନାୟକ ଶତ୍ରୁଶଲ୍ୟ, ସାଇବରାୟ, ଉତ୍ତରକବାଟ, ଦକ୍ଷିଣକବାଟ, ବାହୁବଳେନ୍ଦ୍ର, ଚମ୍ପତି, ଭୂୟାଁ ମହାପାତ୍ର, ଚୌଧୁରୀ ଓ ଦଳବେହେରାଙ୍କ ବିଶେଷ ଭୂମିକା ରହିଥିଲା। ଏମାନଙ୍କ ବୀରତ୍ବ ବଳରେ ମଛରାଁ ଦୁର୍ଗ କେନ୍ଦୁଝର ରାଜାଙ୍କ ଅଧୀନକୁ ଆସିଥିଲା। ହେଲେ, ବିଶ୍ବାସଘାତକ କରିଥିବା ପଛିକୋଟ ଜମିଦାରଙ୍କ ଭୂମିକା କେନ୍ଦୁଝର ରାଜାଙ୍କୁ ବିଚଳିତ କରିଥିଲା। ତାଙ୍କୁ ଉଚିତ ଶିକ୍ଷା ଦେବାପାଇଁ ପଣ୍ଡୁଆଗଡ଼ର ବୀର ପାଇକଙ୍କ ସହଯୋଗରେ ପଛିକୋଟ ଗଡ଼ ଉପରେ ଆକ୍ରମଣ କରି ଏହାର ପତନ ଘଟାଇଥିଲେ। ରାଜା ଜନାର୍ଦ୍ଦନ ଭଞ୍ଜ ନିଜ ବିଜୟ ସ୍ମାରକୀ ସ୍ବରୂପ ସେଠାକାର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହକୁ ନିଜ ରାଜ୍ୟକୁ ନେଇ ଆସିଥିଲେ।
ଶ୍ରୀବିଗ୍ରହମାନଙ୍କୁ କେଉଁଠାରେ ସ୍ଥାପିତ କରାଯିବ ସେ ସମ୍ପର୍କରେ ରାଜା ନିଜେ ନିଷ୍ପତ୍ତି ନେଇଥିଲେ। ଯେହେତୁ ପଣ୍ଡୁଆର କ୍ଷତ୍ରିୟ ପାଇକମାନେ ଯୁଦ୍ଧରେ ଅଗ୍ରଣୀ ଭୂମିକା ନେଇଥିଲେ ସେଠାରେ ଜଗନ୍ନାଥଙ୍କୁ ଅବସ୍ଥାପିତ କରାଗଲା। ସହଯୋଗୀ ପାଇକମାନଙ୍କୁ ସମ୍ମାନ ପୂର୍ବକ ନୟାଗଡ଼ରେ ବଳଭଦ୍ର ଓ ମଦନପୁର ଗ୍ରାମରେ ସୁଭଦ୍ରାଙ୍କ ବିଗ୍ରହକୁ ସ୍ଥାପନା କରିଥିଲେ। ସେହିଦିନଠାରୁ ପଣ୍ଡୁଆରେ ଏକାକୀ ଜଗନ୍ନାଥ ପ୍ରଭୁ ଦଧିବାମନ ଭାବେ ପୂଜା ପାଇ ଆସୁଛନ୍ତି।