ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିରାଜିବେ ଶ୍ରୀଜିଉ। ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ବେଶ କାରିଗର ଦୟଣାମାଳି ସେବକ ବସନ୍ତ କୁମାର ରଣାଙ୍କ ନେତୃତ୍ବରେ କାରିଗରମାନେ ଏହି ବେଶ ପ୍ରସ୍ତୁତିରେ ଲାଗିଛନ୍ତି। ଗଜ ସଦୃଶ ହାଣ୍ଡିଆ ସାଙ୍ଗକୁ ସୋଲ ଖଚିତ ଭଳିକି ଭଳି ଫୁଲ, ନାନାଦି ରୂପ, ଅଳଙ୍କାର ପ୍ରସ୍ତୁତି ହେବ। ଏଥିପାଇଁ ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ଗଜବେଶର ମୁଖ ପ୍ରସ୍ତୁତି ପାଇଁ ଆବଶ୍ୟକ କଦଳୀ ପାଟୁକା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି।
ଏ ସମ୍ପର୍କରେ କାରିଗରମାନେ କହିଛନ୍ତି, ମହାପ୍ରଭୁଙ୍କ ଗଜବେଶ ନିଷ୍ଠାର ସହ କରିବାକୁ ପଡ଼େ। ସମସ୍ତ କାରିଗର ଶୁଦ୍ଧ ଶାକାହାର ଭୋଜନ ସେବନ ପୂର୍ବକ ବେଶ ପ୍ରସ୍ତୁତ କରିଥାନ୍ତି। ଶ୍ରୀଜିଉଙ୍କ ପାଇଁ ୧୨୦ ହାତକଣ୍ଟି ମାଳ, ଚନ୍ଦ୍ରିକା, କାନଫୁଲ, ଚଅଁର, ଆଡ଼କାନି, ସୋଲର ଫୁଲ ସହ ଟାହିଆ ପାଇଁ କଦମ୍ବ ଫୁଲ ପ୍ରସ୍ତୁତି ହେବ। ତରାସ ସହ ଗଜକାନ, ଥୋଡ଼, କରପଲ୍ଲବ, ଛତି ଆଦି ପ୍ରସ୍ତୁତ ହେବ। ରାଘବ ଦାସ ମଠ ପକ୍ଷରୁ ଶ୍ରୀବଳଭଦ୍ର ଓ ପ୍ରଭୁ ସୁଦର୍ଶନଙ୍କ ବେଶ ପ୍ରସ୍ତୁତ ହୋଇଥାଏ। ସେହିଭଳି ଗୋପାଳ ତୀର୍ଥ ମଠ ପକ୍ଷରୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ପ୍ରସ୍ତୁତ ହୋଇଥାଏ। ପବିତ୍ର ଅକ୍ଷୟ ତୃତୀୟାରୁ ଗଜ ବେଶ ଆରମ୍ଭ ହୋଇଥାଏ। ହତିଆର ରଖି ସଂକଳ୍ପ ପୂଜା କରିବା ପରେ କାରିଗରମାନେ ପ୍ରଥମ ଦେଢ଼ ମାସ ଗଜ ବେଶ ପ୍ରସ୍ତୁତ କରିଥାନ୍ତି। ସ୍ନାନଯାତ୍ର ପାଇଁ ଆବଶ୍ୟକ ଟାହିଆ ବି ପ୍ରସ୍ତୁତ କରିଥାନ୍ତି। ପରେ ବାକି ଟାହିଆ ପ୍ରସ୍ତୁତି ହୋଇଥାଏ। ସ୍ନାନଯାତ୍ରା ଦିନ ଅବକାଶ ନୀତି ସରିବା ପରେ ପ୍ରଥମେ ଶ୍ରୀବଳଭଦ୍ର ଓ ସୁଦର୍ଶନଙ୍କ ବେଶ ଏବଂ ପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ବେଶ ବିଜେ କରେ। ଗରୁଡ଼ ସ୍ତମ୍ଭ ନିକଟରେ ଏହାକୁ ରଖିବା ପରେ ସଂପୃକ୍ତ ମଠ ଏହି ବେଶକୁ ନୀତି ସଂପୃକ୍ତ ସେବକଙ୍କୁ ଯୋଗାଇ ଦେଇଥାନ୍ତି। ଗଜ ବେଶ ପାଇଁ ସୋଲ, ବାଉଁଶ, କଦଳୀ ପାଟୁଆ, ବିଭିନ୍ନ ପ୍ରକାର ଭେଲଭେଟ୍ କନା, କଟନ୍ କନା, ପଇତା, ବେତ, ହଳଦିଆ ଓ ଧଳା ଲେସ୍ର ଆବଶ୍ୟକ ପଡ଼ିଥାଏ। ଏହାକୁ ଯୋଡ଼ିବା ପାଇଁ କଇଁଥ ଅଠାର ଆବଶ୍ୟକ ରହିଥାଏ। କଇଁଥ ଗଛକୁ ହାଣିବା ପରେ ଏଥିରୁ ବାହାରୁଥିବା କ୍ଷୀରକୁ ଅଠା ଭାବେ ବ୍ୟବହାର କରାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/fsffshfh.jpg)