ବିଳିବିଳେଇଲେ ଶ୍ରୀକାନ୍ତ : ଟାର୍ଗେଟରେ ରାହୁଲ ଗାନ୍ଧୀ

ଶ୍ରୀକାନ୍ତଙ୍କ ବିଚାରବିଭ୍ରାଟ ହୋଇଛି: କଂଗ୍ରେସ

ଭୁବନେଶ୍ବର : ବିଶୃଙ୍ଖଳା ଅଭିଯୋଗରେ ଗତକାଲି ରାତିରେ କଂଗ୍ରେସରୁ ବହିଷ୍କାର ହୋଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା। ବିଶୃଙ୍ଖଳିତଙ୍କୁ ସାବାଡ୍‌ କରିବାକୁ କଂଗ୍ରେସର ଏପରି ରାତିଅଧିଆ କାର୍ଯ୍ୟାନୁଷ୍ଠାନ ରାଜ୍ୟ ରାଜନୀତିରେ ଆ‌େଲାଡନ ସୃଷ୍ଟି କରିଛି। ସାରା ଦେଶ ନିର୍ବାଚନ ମୁଡ୍‌ରେ ଥିଲା ବେଳେ କଂଗ୍ରେସ ହାଇକମାଣ୍ଡ୍ ଯେ ଆଉ ବିଶୃଙ୍ଖଳାକୁ ବରଦାସ୍ତ କରିବା ମୁଡ୍‌ରେ ନାହାନ୍ତି, ସେହି ବାର୍ତ୍ତା ରାଜନୈତିକ ବିଶ୍ଳେଷକମାନଙ୍କୁ ଚର୍ଚ୍ଚାର ଖୋରାକ ଯାଇଛି। ଆଜି ଏହି ପ୍ରସଙ୍ଗରେ ଶ୍ରୀ ଜେନା ନିଜ ମତ ରଖିବା ସହ ସିଧାସଳଖ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି।

କଂଗ୍ରେସରୁ ବହିଷ୍କାର ହେଲା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଉତ୍‌କ୍ଷିପ୍ତ ହୋଇପଡ଼ିଛନ୍ତି। ଆଜି ପୂର୍ବାହ୍ନରେ ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି କଂଗ୍ରେସ ଉପରେ ମନଇଚ୍ଛା ବର୍ଷିଛନ୍ତି। ନିଜ ଭବିଷ୍ୟତ ରାଜନୈତିକ କ୍ୟାରିୟର୍‌କୁ ନେଇ କୌଣସି ସ୍ପ‌ଷ୍ଟ ମତ ନ ରଖି କେବଳ ଦୁଇ ପଟ୍ଟନାୟକ ପରିବାରକୁ ହରାଇବା ହିଁ ତାଙ୍କର ଏକମାତ୍ର କାମ ବୋଲି କହିଛନ୍ତି। ସିଧାସଳଖ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରି କହିଥିଲେ, ୨୫ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି। ସେହିଦିନ ସକାଳେ ମୁଁ ଏକ ମହାଖୁଲାସା କରିିବି। ତା’ପରେ ସାରା ଦେଶରେ ର‌ାହୁଲ ଗାନ୍ଧୀ ମୁହଁ ଦେଖାଇପାରିବେ ନାହିଁ।

ଶ୍ରୀକାନ୍ତ ଆହୁରି କହିଥିଲେ, ଦୁଇ ପଟ୍ଟନାୟକ ପରିବାର ୪୦ ବର୍ଷ ହେଲା ରାଜ୍ୟକୁ ଶାସନ କରି ତଳିତଳାନ୍ତ କରିଦେଲେଣି। ମୁଁ ଏହା ବିରୋଧରେ ସ୍ବର ଉଠାଇଥିଲି। କିନ୍ତୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଷ୍ପତ୍ତି ନେଇଛନ୍ତି ଯେ ଓଡ଼ିଶାରେ କେବଳ ପଟ୍ଟନାୟକ ଶାସନ ରହିବ। ସେଥିପାଇଁ ସେ ନବୀନ ପଟ୍ଟନାୟକଙ୍କ ସହ ମହାଗଠବନ୍ଧନ କରିଛନ୍ତି। କଂଗ୍ରେସର ଆଉ ସେହି ଆଦର୍ଶ ନାହିଁ। ଯେଉଁ ନବୀନ ପଟ୍ଟନାୟକ ଖଣି ମାଫିଆଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା ଠକିବାକୁ ସୁଯୋଗ ଦେଲେ, ତାଙ୍କରି ସହ ରାହୁଲ ହାତ ମିଳାଇଛନ୍ତି ଓ ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦେଇଛନ୍ତି।

ଶ୍ରୀ ଜେନାଙ୍କ ଅଭିଯୋଗ ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କଂଗ୍ରେସରେ ବିଶୃଙ୍ଖଳାର ସ୍ଥାନ ନାହିଁ। ଯିଏ ଯେତେ‌ ବଡ଼ ହେଲେ ବି ବିଶୃଙ୍ଖଳା ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ। ଶ୍ରୀକାନ୍ତ ବାବୁ ଦଳରୁ ବହିଷ୍କାର ହୋଇଛନ୍ତି ଓ ସେଥି ପାଇଁ ଏମିତି କହୁଛନ୍ତି। ଆଉ କେତେ ଦିନ ସେ ପୁରୁଣା କ୍ୟାସେଟ୍ ବଜାଇବେ। ଶ୍ରୀକାନ୍ତଙ୍କ ଚିନ୍ତାଧାରାରେ ବିଭ୍ରାଟ ଦେଖାଦେଇଛି। ରାହୁଲ ଗାନ୍ଧୀ ନବୀନ ପଟ୍ଟନାୟକଙ୍କ ଆଗରେ କାହିଁକି ମୁଣ୍ଡ ନୁଆଁଇବେ? ଯଦି ରାହୁଲ ଗାନ୍ଧୀ ଦୁର୍ବଳ ବୋଲି ସେ କହୁଛନ୍ତି, ତେବେ ଏତେ ଦିନ ଧରି ସେ କୁଆଡ଼େ ଥିଲେ? କଂଗ୍ରେସରେ ନ ଥିଲା ବେଳେ ସେ କଂଗ୍ରେସକୁ ସମାଲୋଚନା କରୁଥିଲେ। ପରେ ପୁଣି କଂଗ୍ରେସକୁ ଆସିଲେ। ଯଦି ଜାଣିଥିଲେ କଂଗ୍ରେସ ଖଣିଚୋରଙ୍କ ଦଳ, ତେବେ ସେ ଜାଣିଶୁଣି ଏହି ଦଳରେ ମିଶି ‌କିପରି ସାଂସଦ ଓ ମନ୍ତ୍ରୀ ହୋଇଥିଲେ? ସେ ଜଣେ ବରିଷ୍ଠ ନେତା, ତାଙ୍କ ମୁହଁରେ ଏସବୁ ଶୋଭା ପାଉନି। ଜନତା ଏହାର ବିଚାର କରିବେ।

ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଶ୍ରୀକାନ୍ତ ଜେନାଙ୍କ ଅଭିଯୋଗ ଅମୂଳକ। ବିଜେଡି ସହିତ ବିରୋଧୀ ଦଳନେତା, ପିସିସି ସଭାପତି ହାତ ମିଳେଇଥିବା ଅଭିଯୋଗ ନୂଆ ନୁହେଁ। ବିଜେଡି ସବୁବେଳେ କଂଗ୍ରେସ ଓ ବିଜେପି ଠାରୁ ସମାନ ଦୂରତା ରକ୍ଷା କରିଆସିଛି। ବିଜେପି, କଂଗ୍ରେସ ଓ ବିଜେଡି ଏହି ତିନି ରାଜନୈତିକ ଦଳର ଭିନ୍ନଭିନ୍ନ ନୀତି ଆଦର୍ଶ ରହିଛି। ଶ୍ରୀକାନ୍ତ ବିଜେପିକୁ ପରୋକ୍ଷରେ ସମର୍ଥନ କଲା ଭଳି କଥା କହୁଛନ୍ତି। ବିଜେପି ପ୍ରତି ତାଙ୍କର ଆଭିମୁଖ୍ୟ କଣ ଆଗେ ସେ ସ୍ପଷ୍ଟ କରିବା ଦରକାର। କଂଗ୍ରେସ ଦଳରେ ବିଶୃଙ୍ଖଳା ପାଇଁ ଏବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାରୁ ସେ ଏପରି ଟିପ୍ପଣୀ କରୁଛନ୍ତି। ଚାକିରି ଓ ଖଣି ଦୁର୍ନୀତି ନେଇ ଶ୍ରୀକାନ୍ତଙ୍କ ଅଭିଯୋଗ ଉପରେ ଉତ୍ତର ରଖି ଶ୍ରୀ ଦେବ କହିଛନ୍ତି ଏ କଥା ଯଦି ପୂର୍ବରୁ ଶ୍ରୀ ଜେନା ଜାଣିଥିଲେ ତାହେଲେ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ କାହିଁକି ଚୁପ୍ ବସିଥିଲେ। ସେତେବେଳେ ଖଣି ଉତ୍ତୋଳନ ମଞ୍ଜୁରି ତ ତତ୍କାଳୀନ କେନ୍ଦ୍ରରେ ଥିବା ୟୁପିଏ ସରକାର ଦେଇଥିଲେ। ଶ୍ରୀକାନ୍ତ ଜେନା କେନ୍ଦ୍ରମନ୍ତ୍ରୀ ଥିବାବେଳେ ଓଡ଼ିଶା ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ଦେବ।

ସମ୍ବନ୍ଧିତ ଖବର