ଶ୍ରୀକ୍ଷେତ୍ର ଗାଥା ବଖାଣିବ ନରେନ୍ଦ୍ର ପୁଷ୍କରିଣୀ କାନ୍ଥ

ପୁରୀ: ନୂଆ ରୂପ ନେଉଛି ନରେନ୍ଦ୍ର ପୁଷ୍କରିଣୀ। କାଚକେନ୍ଦୁ ଭଳି ଝଲମଲ ଜଳରାଶି ‌ପାଇଁ ଚାଲିଛି ପଙ୍କୋଦ୍ଧାର। ଔଷଧୀୟ ଗୁଳ୍ମରେ ତୀର୍ଥ ଜଳକୁ ବିଶୋଧନ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଚନ୍ଦନ ସରୋବରର ଚତୁଃପାର୍ଶ୍ବକୁ ଆକର୍ଷଣୀୟ କରିବା ପାଇଁ ୨୮୨ଟି ପ୍ୟାନେଲ୍‌ ନିର୍ମାଣ କରାଯାଉଛି। ଖଣ୍ଡୋଲାଇଟ ପଥରରେ ନିର୍ମିତ ସ୍ଥାପତ୍ୟରେ ଝଟକିବାକୁ ଯାଉଛି ଚନ୍ଦନ ସ‌ରୋବରର କାନ୍ଥ। ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ବଖାଣିବାକୁ ଯାଉଛି ଗଙ୍ଗବଂଶ ସମୟର ଏହି ଐତିହ୍ୟ ପୁଷ୍କରିଣୀ। ୧୮ କୋଟି ଟଙ୍କା ବିନିମୟରେ ବଦଳୁଛି ସରୋବରର ଚେହେରା। ତେବେ ନରଣଗଡ଼ରୁ ଆସୁଥିବା ଗୁଣାତ୍ମକ ଖଣ୍ଡୋଲାଇଟ ପଥର ଆବଶ୍ୟକ ମୁତାବକ ପହଞ୍ଚିପାରୁନଥିବାରୁ କାମ ବିଳମ୍ବ ହେଉଛି।

୨୮୨ ପ୍ୟାନେଲ୍‌ରେ ଝଲସିବ କଳାକୃତି
ଖଣ୍ଡୋଲାଇଟ ଅଭାବରୁ ବିଳମ୍ବ ହେଉଛି କାମ
୧୮କୋଟି ଟଙ୍କାର ବଜେଟ
ଶୁଖାଗଲା ୩ ଫୁଟର ପାଣି

ଗୁରୁତ୍ବପୂର୍ଣ୍ଣ କଥା ହେଲା ନରେନ୍ଦ୍ର ପୁଷ୍କରିଣୀ ସମେତ ଅନ୍ୟ ତିନିଟି ତୀର୍ଥ ପୁଷ୍କରିଣୀର ନବୀକରଣ ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରାଯାଇଛି। ୩ ଫୁଟ ପର୍ଯ୍ୟନ୍ତ ଜଳରାଶି ଶୁଖାଯାଇଛି। ଗଙ୍ଗବଂଶ ରାଜତ୍ବ ସମୟରେ ନିର୍ମିତ ପାଚେରି ଦୁର୍ବଳ ହୋଇଯାଇଥିଲା। କିଛି ସ୍ଥାନରେ ପାଚେରି ଭାଙ୍ଗି ଯାଇଥିଲା ଏବଂ ଅଧିକାଂଶ ସ୍ଥାନରେ ଏହା ଝୁଲି ରହିଥିଲା। ଏଥିପାଇଁ କାନ୍ଥରେ (ସଏଲ ନେଲିଙ୍ଗ) ଡ୍ରିଲ୍ କରି ରଡ୍‌ ଦେଇ ବାନ୍ଧି ସୁଦୃଢ଼ କରାଯାଇଛି। କାନ୍ଥକୁ ମଜଭୁତ କରାଯାଇଛି। ବେଶି ବାଙ୍କିଯାଇଥିବା ତଥା ଝୁଲି ରହିଥିବା କାନ୍ଥକୁ ଭାଙ୍ଗି ନୂଆ କାନ୍ଥ ଉଠାଯାଇଛି।

ନରେନ୍ଦ୍ର ପୁଷ୍କରିଣୀକୁ ପ୍ରବେଶ ପଥରେ ନିର୍ମିତ ହେବ ସୁଦୃଶ୍ୟ ତୋରଣ। ଚନ୍ଦନ ଯାତ୍ରା ସମୟରେ ମହାପ୍ରଭୁ ଏହି ସରୋବରରେ ନୌବିହାର କରୁଥିବାରୁ ଏହାର ପ୍ରବେଶ ତୋରଣକୁ ନୌକାର ରୂପ ଦିଆଯିବ। ସୁଆଣ୍ଡୋରେ କଳାକୃତି କରିଥିବା ଶିଳ୍ପୀ ଏହି ତୋରଣ ନିର୍ମାଣ କରିବେ। ଏହାବ୍ୟତୀତ ନରେନ୍ଦ୍ର ପୁଷ୍କରିଣୀ ପରିକ୍ରମା କରିବା ପାଇଁ ୩ ମିଟରର ପାଦଚଲା ରାସ୍ତା ରହିବ। ସରୋବର କାନ୍ଥରେ ୨୮୨ଟି ପ୍ୟାନେଲ୍‌ରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର, ରଥଯାତ୍ରା, ମନ୍ଦିର ତୋଳା, ଝୁଲଣ ଯାତ୍ରା, ପର୍ବପର୍ବାଣୀ, ୩୨ ବେଶ, ମନ୍ଦିର ଭିତରର ନୀତିକାନ୍ତି, ମହାପ୍ରସାଦ ପ୍ରସ୍ତୁତି, ଶ୍ରୀକ୍ଷେତ୍ରର ସାହିଯାତ, ନରେନ୍ଦ୍ର ପୁଷ୍କରିଣୀ ଖନନର କଥାବସ୍ତୁ ପାଚେରି କାନ୍ଥରେ ଦେଖିବାକୁ ପାଇବେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ। ବର୍ତ୍ତମାନ ସୁଦ୍ଧା ସରୋବର ପାଚେରିରେ ପ୍ୟାନେଲ୍‌ ନିର୍ମାଣ କାର୍ଯ୍ୟ ୪୦ ପ୍ରତିଶତ ଶେଷ ହୋଇଛି।

ପୁଷ୍କରିଣୀ ଚତୁଃପାର୍ଶ୍ବକୁ ଆଲୋକୀକରଣ କରାଯିବ। ତୀର୍ଥ ଜଳରେ ପାଦ ବୁଡ଼ାଉଥିବା ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ କଳଙ୍କି ନିରୋଧ ଷ୍ଟିଲ୍‌ ରେଲିଂ ଖଞ୍ଜାଯିବ। ଭାଙ୍ଗିଯାଇଥିବା ପାହାଚକୁ ଉଠାଯାଇ ନୂତନ ପଥ‌ର ସଂଯୋଗ ହେବ। ପାହାଚକୁ ମଧ୍ୟ ଖଣ୍ଡୋଲାଇଟ୍‌ ପଥରର ଛାପ ଦିଆଯିବ। ପ୍ରବେଶ ପାଚେରି ଓ ଚତୁଃପାର୍ଶ୍ବ ପାଚେରି ଫୁଲ ଗଛରେ ସଜ୍ଜିତ ହେବ। ଏହାବ୍ୟତୀତ ପୁଷ୍କରିଣୀ ନିକଟରେ ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ ଓ ପୋଷାକ ବଦଳାଇବା କକ୍ଷ ନିର୍ମାଣ କରାଯିବ। ଦଶାହ କାର୍ଯ୍ୟ କିମ୍ବା ତୀର୍ଥ ପୁଷ୍କରିଣୀ ନିକଟରେ ଚୁଟି ପକାଇବା, ପିଣ୍ଡଦାନ ପାଇଁ ସ୍ବତନ୍ତ୍ର ସୁବିଧା କରାଯିବ।

ଓବିସିସି ପକ୍ଷରୁ ଏବିସିଏଲ୍‌ ତଥା ଆଚାର୍ଯ୍ୟ ବ୍ରଦର୍ସ କନଷ୍ଟ୍ରକ୍ସନ ଲିମିଟେଡ୍‌କୁ କାର୍ଯ୍ୟାଦେଶ ଦିଆଯାଇଛି। ଗତବର୍ଷ ଜୁନ୍‌ ମାସରୁ କାର୍ଯ୍ୟାଦେଶ ପରେ କାମ ଆରମ୍ଭ ହୋଇଛି। ୧୮ ମାସ ମଧ୍ୟରେ ଏହି କାର୍ଯ୍ୟ ସରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଓବିସିସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶ୍ରୀଧର ରାଉତ କହିଛନ୍ତି,ଗୁଣାତ୍ମକ ଖଣ୍ଡୋଲାଇଟ ପଥର ମିଳିବାରେ ବିଳମ୍ବ ଯୋଗୁ କାମ ଶିଥିଳ ପଡ଼ିଛି। ଏହି ପଥର କେବଳ ନରଣଗଡ଼ରୁ ଆସୁଥିଲେ ହେଁ ବର୍ତ୍ତମାନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପଥର ଯୋଗାଣ ହେଉଛି। ଏଥିଯୋଗୁ ନରେନ୍ଦ୍ର ସରୋବର ପାଇଁ ପଥର ଯୋଗାଇବା ବିଳମ୍ବ ହେଉଛି। ପଥର ମିଳିବା ପରେ କଳାକୃତି କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର