୯ ମାସ ପରେ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର, ଦର୍ଶନ କରୁଛନ୍ତି ସେବାୟତ ଓ ସେମାନଙ୍କ ପରିବାର

ପୁରୁଣା ଭୁବନେଶ୍ବର: ଦୀର୍ଘ ୯ ମାସ ପରେ ଆଜି (ରବିବାର) ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଛି। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଆଜିଠାରୁ ଖୋଲିଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର। ହେଲେ ଆଜି କେବଳ ସେବାୟତଙ୍କ ପାଇଁ ଖୋଲିଛି ଲିଙ୍ଗରାଜ ମନ୍ଦିର। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପ୍ରଥମେ ଦର୍ଶନ କରୁଛନ୍ତି କେବଳ ସେବାୟତ ଓ ସେମାନଙ୍କ ପରିବାର। ଆଜିଠାରୁ ଆଗାମୀ ୩୧ ତାରିଖ ଯାଏଁ ସେବାୟତ ପରିବାରକୁ ଲିଙ୍ଗରାଜଙ୍କ ଦର୍ଶନ ଅନୁମତି ମିଳିବ।

କେବଳ କୋଭିଡ କଟକଣା ଭିତରେ ଦର୍ଶନ ଲାଗି ଅନୁମତି ଦିଆଯାଇଛି। ତେବେ ନୂଆବର୍ଷରେ ୨ ଦିନ ଦର୍ଶନ ବନ୍ଦ ରହିବ। ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱରବାସୀ ଶ୍ରୀଲିଙ୍ଗରାଜ ଦର୍ଶନ କରିପାରିବେ। ଜାନୁଆରି ୬ ତାରିଖରୁ ସାଧାରଣ ଭକ୍ତ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ବୋଲି ଜଣାଯାଇଛି।


ଏଣେ ବିଏମସି ପକ୍ଷରୁ ଆବଶ୍ୟକତା ଅନୁଯାୟୀ ମନ୍ଦିର ବାହାରେ ବ୍ୟାରିକେଡ୍ କରି ପୁଲିସକୁ ହସ୍ତାନ୍ତର କରାଯାଇଛି। ଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ ବଳ ସହ ୨ ସେକ୍ସନ ମହିଳା ପୁଲିସ ବଳ ନିୟୋଜିତ ହେବେ। ସମସ୍ତେ ଠିକ୍ ଭାବେ ମାସ୍କ ପିନ୍ଧିବା ସହ ୬ ଫୁଟ୍ର ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି। ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ହାତଧୁଆ ଏବଂ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ପାନ ଓ ଗୁଟ୍ଖା ଖାଇବା ଏବଂ ମନ୍ଦିର ପରିସରରେ ଛେପ ପକାଇବା ଉପରେ କଟକଣା ଜାରି କରାଯାଇଛି। ବରିଷ୍ଠ ନାଗରିକ, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ପ୍ରବେଶକୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର