ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ୍‌ ଖୁବ୍‌ଶୀଘ୍ର

ଏକାମ୍ରକ୍ଷେତ୍ର ପ୍ରକଳ୍ପ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ସେବାୟତଙ୍କ ସହ ଆଲୋଚନା କଲେ
ମଠଘାଟରେ ବସି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ‌ମନ୍ଦିର ଆଇନ୍‌ ଢାଞ୍ଚାରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଖୁବ୍‌ ଶୀଘ୍ର ସ୍ବତନ୍ତ୍ର ଆଇନ ଆସିବ। ଏହି ଆଇନ ଲାଗୁ ହେବା ପାଇଁ ବିଭିନ୍ନ ସମୟରେ ସେବକମାନେ ଦାବି କରୁଥିବା ବେଳେ ଏହା ଖୁବ୍‌ ଶୀଘ୍ର ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏକାମ୍ରକ୍ଷେତ୍ର ପ୍ରକଳ୍ପ କାମର ସମୀକ୍ଷା କରିବା ସହ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାରକୁ ଯାଇ ମହାପ୍ରଭୁଙ୍କୁ ପ୍ରଣାମ କରିବା ପରେ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେବାୟତମାନେ ଶ୍ରୀମନ୍ଦିର ଭଳି ଏଠାରେ ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରିବି, ନିଶ୍ଚିତ କରିବି।

ଶ୍ରୀଲିଙ୍ଗରାଜ ମନ୍ଦିର ଆଇନ ନେଇ ଆଇନ ବିଭାଗ ପ୍ରସ୍ତୁତି ଚଳାଇଥିବା ବେଳେ ଏହା ଉପରେ ଖୁବ୍‌ ଶୀଘ୍ର କ୍ୟାବିନେଟ୍‌ ମୋହର ମାରିବା ସମ୍ଭାବନା ସୃଷ୍ଟି ହୋଇଛି। ଏହି ଆଇନ ଲାଗୁ ହେଲେ ଲିଙ୍ଗରାଜ ମନ୍ଦିରର ସମସ୍ତ ନୀତିକ୍ରାନ୍ତି ଠାରୁ ଆରମ୍ଭ କରି ଆୟ ଓ ଖର୍ଚ୍ଚର ଦାୟିତ୍ବ ମନ୍ଦିର ପ୍ରଶାସନ ନେବ। ଶ୍ରୀମନ୍ଦିର ଭଳି ଏଠାରେ ମଧ୍ୟ ଜଣେ ମୁଖ୍ୟ ପ୍ରଶାସକ ରହିବେ। ମନ୍ଦିରକୁ ସରକାରୀ ଅନୁଦାନ ନିୟମିତ ମିଳିବ। ମନ୍ଦିର ଉନ୍ନତିମୂଳକ କାମ ପାଇଁ ବିଭିନ୍ନ ସମୟରେ ତ୍ବରିତ ପଦକ୍ଷେପ ନିଆଯାଇପାରିବ।

ସିଂହଦ୍ବାର ସମ୍ମୁଖରେ ସେବାୟତମାନଙ୍କ ସହ ଆଲୋଚନା କରିବାବେଳେ ମୁଖ୍ୟମନ୍ତ୍ରୀ କହିଥିଲେ, ଏକାମ୍ରକ୍ଷେତ୍ର ପ୍ରକଳ୍ପ ପାଇଁ ଆପଣମାନେ ସହଯୋଗ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଏହାପରେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ ଏହି ସରକାର ଅମଳରେ ବିନ୍ଦୁ ସାଗରରୁ ଆରମ୍ଭ କରି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଅନେକ ବିକାଶମୂଳକ କାମ ହୋଇଛି। ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଲିଙ୍ଗରାଜ। ଆପଣ ସୁସ୍ଥ ଥିବା ପର୍ଯ୍ୟନ୍ତ ରାଜ୍ୟଭାର ଆପଣ ହିଁ ସମ୍ଭାଳନ୍ତୁ।

ଏହାପରେ ମୁଖ୍ୟମନ୍ତ୍ରୀ ଦେବୀ ପାଦହରା ପୁଷ୍କରଣୀ ବୁଲି ଦେଖିବା ସହ ବିନ୍ଦୁସାଗର ମଠଘାଟ ଠାରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଥିଲେ। ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିବା ସହିତ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ଏହି ଯୋଜନା ଏକ ସଫଳ ଉଦ୍ୟମ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଥିଲେ ଯେ ନୂଆ ବର୍ଷ ପୂର୍ବରୁ ସମସ୍ତ ସୌନ୍ଦର୍ଯ୍ୟୀକରଣ କାମ ଶେଷ କରିବାକୁ ଯୋଜନା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୯୫% କାମ ଶେଷ ହୋଇଛି। ଖୁବ୍‌ ଶୀଘ୍ର ଏକାମ୍ର କ୍ଷେତ୍ର ନୂଆ ରୂପ ପାଇବ। ମହାଶିବରାତ୍ରି ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ଏକ ଭିନ୍ନ ଏକାମ୍ରକ୍ଷେତ୍ର ଭେଟି ଦିଆଯିବ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି। ଐତିହ୍ୟ ନଗରୀ ଭୁବନେଶ୍ବରର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବରେ ବିକଶିତ କରିବା, ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଏକ ଅନନ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଏକାମ୍ର କ୍ଷେତ୍ର ପରିଦର୍ଶନ ସମୟରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ଉନ୍ନୟନ କମିସନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ, ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ, ପୂର୍ତ୍ତ ସଚିବ କ୍ରିଷନ କୁମାର, ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର