ସେପ୍ଟେମ୍ବର ୧ରୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର

କୋଭିଡ୍‌ କଟକଣାରେ ହେବ ଦର୍ଶନ, ତିଆରି ହେବ ନୂଆ ପ୍ରଭା, ବିମାନ

ଭୁବନେଶ୍ବର : ଗତ ତିନିମାସ ଧରି ବନ୍ଦ ରହିଥିବା ଶ୍ରୀଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ପହିଲାରୁ ଖୋଲିବ। ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କୋଭିଡ୍‌ କଟକଣା ଭିତରେ ସର୍ବସାଧାରଣ ମହାପ୍ରଭୁଙ୍କ ଦର୍ଶନ ପାଇବେ। ଏକ ସମୟରେ ସିଂହଦ୍ବାରରୁ ଆଡ଼କାଠ ପର୍ଯ୍ୟନ୍ତ ସର୍ବାଧିକ ଶହେ ଜଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ। କୌଣସି ଭକ୍ତଙ୍କୁ ଭୋଗ ଲାଗି କରାଇବା ପାଇଁ ସୁଯୋଗ ଦିଆଯିବନି। ସାହାଣମେଲା ଓ ଗର୍ଭଗୃହ ଦର୍ଶନ ମଧ୍ୟ ହେବ ନାହିଁ। ସମସ୍ତେ ମାସ୍କ ପିନ୍ଧିବେ। ଭକ୍ତମାନଙ୍କ ମଧ୍ୟରେ ଅତି କମ୍‌ରେ ୬ଫୁଟ୍‌ ସାମାଜିକ ଦୂରତା ରହିବ। ଶୃଙ୍ଖଳିତ ଦର୍ଶନ ପାଇଁ ବିଏମ୍‌ସି ପକ୍ଷରୁ ୧ ତାରିଖ ପୂର୍ବରୁ ସ୍ବତନ୍ତ୍ର ବ୍ୟାରିକେଡ୍‌ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଗତ ଅଗଷ୍ଟ ୧୦ ତାରିଖରେ ବିଏମ୍‌ସି ଜାରି କରିଥିବା ଏସ୍‌ଓପି ପାଳନ ପୂର୍ବକ ଏହି ଦର୍ଶନ ଆରମ୍ଭ ହେବ ବୋଲି କୁହାଯାଇଛି।

ବୈଠକରେ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ବରୀ, ମା’ ପାର୍ବତୀଙ୍କ ପାଇଁ ତିନୋଟି ରୁପା ପ୍ରଭା ତିଆରି କରାଯିବ। ଏହି ରୁପା ପ୍ରଭା ପାଇଁ ଆବଶ୍ୟକ ରୁପା ସହ ସମସ୍ତ ନିର୍ମାଣ ଖର୍ଚ୍ଚ ଭୁବନେଶ୍ବରର ଶିବପ୍ରସାଦ ପଣ୍ଡା ବହନ କରିବେ। ସେ ଦେଇଥିବା ପ୍ରସ୍ତାବକୁ ଆଜି ବୋର୍ଡ ଗ୍ରହଣ କରିଛି। ସେହିଭଳି ମହାପ୍ରଭୁଙ୍କର ଶହେ ବର୍ଷର ପୁରୁଣା ବିମାନ ଓ ପାଲିଙ୍କି ମଧ୍ୟ ନୂଆ ତିଆରି ହେବ। ଏହାର ସମସ୍ତ ଖର୍ଚ୍ଚ ସୋଆ ବିଶ୍ବବିଦ୍ୟାଳୟ ବହନ କରିବ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଦେଇଥିବା ପ୍ରସ୍ତାବକୁ ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛି।

ଅନ୍ୟପଟେ କେତେକ ପ୍ରସଙ୍ଗକୁ ନେଇ ବଡ଼ୁ ନି‌ଯୋଗ ଅସନ୍ତୋଷ ପ୍ରକାଶ କରିଛି। ସାମନ୍ତରାପୁରରେ ନିଯୋଗ କରୁଥିବା ଘରକୁ ଟ୍ରଷ୍ଟ ବୋର୍ଡ ସ୍ବୀକୃତି ନ ଦେବାରୁ ଏହି ଅସନ୍ତୋଷ ପ୍ରକାଶ ପାଇଛି। ଯଦି ନିଯୋଗ ଅସହଯୋଗ କରେ ତେବେ ନୀତିକାନ୍ତିରେ ସମସ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ମନ୍ଦିର ଖର୍ଚ୍ଚକୁ ନେଇ ଚିନ୍ତା ବଢ଼ିଛି। ଆୟ ଅପେକ୍ଷା ବ୍ୟୟ ଅଧିକ ଥିବାରୁ ନିଅଣ୍ଟିଆ ବଜେଟ୍‌ ହୋଇଛି। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ମନ୍ଦିରର ଆୟ ଉତ୍ସ ଥିଲେ ମଧ୍ୟ ଆୟ ହେଉ ନାହିଁ। ମନ୍ଦିର ନିକଟରେ ଥିବା ମାର୍କେଟ୍‌ କମ୍ପ୍ଲେକ୍ସର ଭଡ଼ାରୁ ୫୦ ପ୍ରତିଶତ ଟ୍ରଷ୍ଟ ବୋର୍ଡକୁ ଆସିବାକୁ ବିଏମ୍‌ସି ସହ ଚୁକ୍ତି ହୋଇଛି। ହେଲେ ବିଏମ୍‌ସି ଏହାକୁ ନିୟମିତ ଦେଉ ନାହିଁ। ଏହି ଭଡ଼ା ନିୟମିତ ପ୍ରଦାନ କରିବାକୁ ବିଏମ୍‌ସିକୁ ଟ୍ରଷ୍ଟ ବୋର୍ଡ ଚିଠି ଲେଖିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଢେଙ୍କାନାଳ ଗଁଦିଆରେ ମହାପ୍ରଭୁଙ୍କର ୧୨୫ ଏକର ଜାଗାକୁ ଟ୍ରଷ୍ଟ ବୋର୍ଡ ଦଖଲ ନେଇଛି। କିନ୍ତୁ ସେଠାରୁ ଟଙ୍କାଟିଏ ଆୟ ଆସୁନାହିଁ। ଏଣୁ ସମ୍ପୃକ୍ତ ଜାଗାକୁ ଏକ ପ୍ରତିନିଧି ଦଳ ଯାଇ ଯାଇ ରୟତମାନଙ୍କ ସହ କଥାବାର୍ତ୍ତା କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ଅଧିଗ୍ରହଣ ହୋଇଥିବା ଜମିର ଟଙ୍କା ଦୋବୋତ୍ତର କମିସନଙ୍କ ନିକଟରେ ଜମା ହୋଇ ରହିଛି। ତାହା ମଧ୍ୟ ଆସି ପାରୁନାହିଁ। ଏ ସବୁ ଉପରେ ବୈଠକରେ ତନାଘନା ହୋଇଛି।

ସମ୍ବନ୍ଧିତ ଖବର