ନିଲାମ କବଳରୁ କେବେ ମୁକୁଳିବ ଶ୍ରୀମନ୍ଦିର : ଟଙ୍କାକର ଦୀପକୁ ଦଶ ଟଙ୍କା, ରୋହିଣୀ କୁଣ୍ଡର ପାଦୁକ ପାଇଁ ୧୦୦ ଟଙ୍କ‌ା

ପୁରୀ : ଜଗତର ନାଥ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। କାଳିଆ ସାଆନ୍ତଙ୍କ ଦର୍ଶନ ଟିକକ ପାଇଁ କେବଳ ରାଜ୍ୟ ନୁହେଁ, ସମଗ୍ର ଦେଶର କୋଣଅନୁକୋଣରୁ ଧାଇଁଆସନ୍ତି ଶ୍ରଦ୍ଧାଳୁ। ଦିନ ଥିଲା, ଜଗାକୁ ଦର୍ଶନ କରିବା ପାଇଁ ଦୁଇ ଦିନର ଚୁଡ଼ାଚାଉଳ ଧରି ଶଗଡ଼ରେ ଆସୁଥିଲେ ଭକ୍ତ। ମାଟିରେ ନିଜ ହାତରେ ତିଆରି କରୁଥିଲେ ଦୀପ। ମାତ୍ର ଭକ୍ତର ‌ସେ ଶ୍ରଦ୍ଧା ଟିକକ ଏବେ ନିଲାମ କରିଦେଇଛି ଶ୍ରୀମନ୍ଦିର ପ୍ରଶାସନ। ବାହାରୁ ନେଲେ ଭିତରେ ଜାଳି ପାରିବନି, ଭିତରେ ଜାଳିବାକୁ ହେଲେ ଟଙ୍କାକର ଦୀପ ଦଶ ଟଙ୍କ‌ା‌ ଦେଇ କିଣିବାକୁ ବାଧ୍ୟ।

କେବଳ ଦୀପ କାହିଁକି, ରୋହିଣୀକୁଣ୍ଡରୁ ପାଦୁକ ଟିକେ ପାଇବାକୁ ହେଲେ ଦେବାକୁ ହେବ ୫୦ରୁ ୧୦୦ ଟଙ୍କା‌। ସେପଟେ କଳ୍ପବଟ ମଧ୍ୟ ନିଲାମ ଦିଆଯାଇଛି। କଳ୍ପ ବଟରେ ଗୋଡ଼ିବାନ୍ଧିବା ପାଇଁ ଭକ୍ତଙ୍କୁ ଦେବାକୁ ହେବ ଟଙ୍କା। ମହାପ୍ରଭୁଙ୍କ କୋଇଲି ବୈକୁଣ୍ଠ ଦର୍ଶନ, ନୀଳାଦ୍ରି ମ୍ୟୁଜିୟମ୍‌ ଓ ଆନନ୍ଦବଜାରର କଦଳୀପତ୍ର ବି ନିଲାମ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଆୟ ମନୋବୃତ୍ତି ରଖି ଏ ସବୁକୁ ନିଲାମରେ ଦେଇଛନ୍ତି। ଅନ୍ୟପକ୍ଷରେ ଲକ୍ଷ ଲକ୍ଷ ଟଙ୍କାରେ ଟେଣ୍ଡର ନେଉଥିବା ବ୍ୟବସାୟୀ ମଧ୍ୟ ଏଥିରୁ ଦୁଇଗୁଣା ମୁନାଫା କରିବାକୁ ଉଦ୍ୟମ କରୁଛନ୍ତି। ଏହାରି ଭିତରେ ଶ୍ରୀମନ୍ଦିରରେ ଭକ୍ତମାନେ ‌ଶୋଷଣର ଶିକାର ହେଉଛନ୍ତି।

ତେବେ ଏଠା‌ରେ ପ୍ରଶ୍ନ ଉଠୁଛି, ମନ୍ଦିର ପ୍ରଶାସନର କ’ଣ ଏତେ ଅଭାବ ‌ଯେ ମନ୍ଦିର ପରିଚାଳାନା ପାଇଁ ଭକ୍ତଙ୍କ ଉପରେ ନିଲାମ ବୋଝ ଦେଇ ଅର୍ଥ ଆଦାୟ କରୁଛି। ମହାପ୍ରଭୁଙ୍କ ନାମରେ ଅଚଳାଚଳ ସମ୍ପତ୍ତି ରହିଛି। ସମଗ୍ର ଦେଶର ‌ଯେତେ ମନ୍ଦିର ଅଛି ସବୁଠୁ ଅଧିକ ଭୂସମ୍ପତ୍ତି ମହାପ୍ରଭୁ ଜଗନ୍ନାଥଙ୍କ ନାମରେ ରହିଛି। ମହାପ୍ରଭୁଙ୍କ ନାମରେ ପ୍ରାୟ ୬୦ ହାଜର ଏକର ଜମି ରହିଛି। ରାଜ୍ୟ ବାହାରେ ମଧ୍ୟ ଶହ ଶହ ଏକର ମୂଲ୍ୟବାନ ଜମି ପଡ଼ିରହିଛି। ଯିଏ ମାଡ଼ିବସିଛି ସେ ଖାଉଛି। ମହାପ୍ରଭୁଙ୍କ ନାମରେ ଥିବା ମୂଲ୍ୟବାନ ଭୂସମ୍ପତ୍ତିକୁ ଆକଳନ କଲେ ଶ୍ରୀମନ୍ଦିର ଶହ ଶହ ବର୍ଷ ସେମିତି ଚାଲିପାରିବ। ମାତ୍ର ପ୍ରଶାସନ ସେ ଦାୟିତ୍ବ ନେଇ ପାରୁନାହିଁ। ଜବରଦଖଲରେ ଥିବା ଜମି ଫେରାଇ ଆଣିପାରୁନାହିଁ। ମହାପ୍ରଭୁଙ୍କ ନାମରେ ଖୋର୍ଦ୍ଧା ଜିଲ୍ଲ‌ାରେ ଥିବା ଖଣିରୁ କୋଟି କୋଟି ଟଙ୍କା ମାଫିଆ ଖାଇଯାଉଛନ୍ତି। ‌ଶ୍ରୀ ମନ୍ଦିର ପ୍ରଶାସନ ତାକୁ ମଧ୍ୟ ଜଗି ପାରୁନାହିଁ। ମହାପ୍ରଭୁଙ୍କ ନାମରେ ଥିବା ଖଣିରୁ ଶହ ଶହ କୋଟି ଟଙ୍କା ଲୁଟ ହୋଇ ଚାଲିଛି।

ଏ ଦିଗରେ ପ୍ରଶାସନ ପଦକ୍ଷେପ ନେଉନାହିଁ। କେବଳ ସେତିକି ନୁହେଁ, ମହାପ୍ରଭୁଙ୍କ ନାମରେ ଏବେ ବି ୬୦୦ କୋଟିରୁ ଅଧିକ ଟଙ୍କାର ସ୍ଥାୟୀ ଜମା ( ଫିକ୍ସ) ଡିପୋଜିଟ୍ ରହିଛି। ଯାହାର ସୁଧରେ ଶ୍ରୀମନ୍ଦିର ପରିଚାଳନା ସମ୍ଭବ ହୋଇପାରୁଛି। ସେପଟେ ସରକାରଙ୍କ ଅନୁଦାନ, ବଦାନ୍ୟ ବ୍ୟକ୍ତିଙ୍କ ଦାନ ମଧ୍ୟ ମିଳୁଛି। ମନ୍ଦିର ହୁଣ୍ଡିରୁ ମାସିକ ହାରାହାରି ୮୦ ଲକ୍ଷ ଟଙ୍କା ମିଳୁଛି। ତାହା ସହିତ ଶ୍ରୀମନ୍ଦିରକୁ ଅନୁଦାନ ମଧ୍ୟ ମିଳୁଛି। ଏତେ ଥାଇ ବି ଶ୍ରୀମନ୍ଦିର ପ୍ରଶାସନ ନିଜକୁ କାହିଁକି ଗରିବ ମନେ କରୁଛି। ନିଲାମରୁ ମିଳୁଥିବା ଆୟରେ ଶ୍ରୀମନ୍ଦିର ଚଳାଇ ଭକ୍ତଙ୍କୁ ପରୋକ୍ଷରେ ଶୋଷଣ କରୁଛି।

ଗୋଟିଏ ପଟେ ପୁରୀ ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ସରକାର ହଜାର ହଜାର କୋଟି ଟଙ୍କା ଦେଉଛନ୍ତି। ମନ୍ଦିର ଶ୍ରୀବୃଦ୍ଧି ପାଇଁ ଅଜସ୍ର ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଭକ୍ତଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯାଉନାହିଁ। ଭକ୍ତଙ୍କୁ ମନ୍ଦିର ପ୍ରଶ‌ାସନ କିଛି ବି ସୁବିଧା ଦେଉନାହିଁ। ସାମାନ୍ୟ ମାଗଣା ମହାପ୍ରସାଦ ଟିକେ ମଧ୍ୟ ଦେବାକୁ ମନ୍ଦିର ପ୍ରଶାସନ ଅସମର୍ଥ। ଏ ନେଇ ବଜେଟରେ ପ୍ରସ୍ତାବ ଥିଲେ ମଧ୍ୟ ପ୍ରଶାସନ ଜାଣିଶୁଣି କରାଇ ଦେଉନାହିଁ। ମନ୍ଦିର ପ୍ରଶାସନର ଏଭଳି ମନୋବୃତ୍ତି ମନ୍ଦିରକୁ ଏକ ବ୍ୟବସାୟିକ କେନ୍ଦ୍ର କରି ଦେଇଛି। ମନ୍ଦିର ଏବେ କିଛି ଲୋକଙ୍କ ଲାଭଜନକ ବ୍ୟବସାୟ କେନ୍ଦ୍ର ପାଲଟିଛି। ଶ୍ରୀମନ୍ଦିରକୁ ନିଲାମ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ସୁପ୍ରିମକୋର୍ଟ ମଧ୍ୟ ଏ ନେଇ ପରାମର୍ଶ ଦେଇଛନ୍ତି।

ଏତେ ସବୁ ପରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ନିଲାମ ମୁକ୍ତ ହେଉନାହିଁ। ଏ ସଂପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ ଏ ନେଇ କେହି ଜଣେ ନିଷ୍ପତ୍ତି ନେଇପାରିବ ନ‌ାହିଁ। ଏ ନେଇ ଆଲୋଚନା କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର